28.1 C
Bhubaneswar
Friday, March 29, 2024
Homeଓଡିଶାଅନୁଗୁଳରେ ଆଦିବାସୀ ଓ ତଫସିଲଭୁକ୍ତ ଜାତି ଜମି ହଡପ : ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ରାଜସ୍ୱ...

ଅନୁଗୁଳରେ ଆଦିବାସୀ ଓ ତଫସିଲଭୁକ୍ତ ଜାତି ଜମି ହଡପ : ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ରାଜସ୍ୱ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ*

*
ଭୁବନେଶ୍ୱର – ଅନୁଗୁଳ ଜିଲ୍ଲାରେ ଗତ ୧୦ ବର୍ଷ ଭିତରେ ଆଦିବାସୀ ଏବଂ ତଫସିଲଭୁକ୍ତ ଜାତି ଲୋକମାନଙ୍କର ୭୦୦ ଏକରରୁ ଉର୍ଦ୍ଧ୍ୱ ଜମି ଏକ ନିର୍ଦ୍ଦିଷ୍ଟ ପରିବାର ହଡପ କରିଥିବାର ବିରଳ ଦୃଷ୍ଟାନ୍ତକୁ ଆଜି ଲୋକଲୋଚନକୁ ଆଣିବା ସହିତ ଏଥିରେ ସଂପୃକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ରାଜସ୍ୱ ଅଧିକାରୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପିସିସି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀ ଦାବି କରିଛନ୍ତି । ଆଦିବାସୀ ଓ ତଫସିଲଭୁକ୍ତ ଜାତି ଲୋକଙ୍କର ଜମି କିଣିଲା ବେଳେ ଯେଉଁ ନିୟମ କାନୁନ୍ ଅଛି ସେଗୁଡିକୁ ପାଦରେ ଦଳିଦେଇ ଚଂଚକତା ଓ ମିଥ୍ୟାର ଆଶ୍ରୟ ନେଇ ତତ୍‌କାଳୀନ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଅଧିକାରୀମାନେ ଜମି ବିକ୍ରୀର ପଞ୍ଜିକରଣ କରିଛନ୍ତି । ଏହି ଜମିର ଆନୁମାନିକ ମୂଲ୍ୟ ୨୫୦ କୋଟି ଟଙ୍କାରୁ ଅଧିକ ହେବ । ଯେଉଁ ପରିବାର ଏହି ଜମି କିଣିଛନ୍ତି ତାଙ୍କର ଆର୍ଥିକ ସାମର୍ଥ୍ୟକୁ ନେଇ ପ୍ରଶ୍ନ ଉଠାଇବା ସହିତ ଏହି ପରିବାର କୋଭିଡ୍ ସମୟରେ ସରକାରଙ୍କୁ ବିଭିନ୍ନ ଜିନିଷପତ୍ର ଯୋଗାଣରେ ଦଲାଲି କରୁଥିବା ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି । ରାଜ୍ୟରେ ରାଜସ୍ୱ ମନ୍ତ୍ରୀ ଭାବରେ ଜଣେ ଆଦିବାସୀ ନେତା ଥିବାବେଳେ ଏଭଳି ଘଟଣା କେମିତି ଘଟିଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ପ୍ରକାଶଥାଉକି ଶ୍ରୀ ସୁଶିଲ୍ କୁମାର ଅଗ୍ରୱାଲଙ୍କ ପରିବାରର ବିଭିନ୍ନ ସଦସ୍ୟଙ୍କ ନାମରେ ଉପରବର୍ଣ୍ଣିତ ୭୦୦ ଏକର ଜମି କିଣା ଯାଇଛି । ଶ୍ରୀ ଅଗ୍ରୱାଲଙ୍କ ୨୦୧୦ ମସିହାରେ କୌଣସି ଆର୍ଥିକ ସ୍ୱଚ୍ଛଳତା ନଥିଲା । ଶ୍ରୀ ଅରବିନ୍ଦ ଅଗ୍ରୱାଲ୍ ଅନୁଗୁଳ ଜିଲ୍ଲାପାଳ ଥିବା ସମୟରେ ଯୋଗାଣ ବିଭାଗ ଅଧିନରେ ଜଣେ ପରିବହନ ଏଜେଂଟ ଭାବରେ ବ୍ୟବସାୟ ଆରମ୍ଭ କରିଥିଲେ ଶ୍ରୀ ସୁଶିଲ ଅଗ୍ରୱାଲ । ଏହି ୧୦ ବର୍ଷ ଭିତରେ ସେ ୨୫୦ କୋଟି ଟଙ୍କାର ସଂପତି କେମିତି କିଣିଲେ ତାହା ଏକ ଆଶ୍ଚର୍ଯ୍ୟର ବିଷୟ । ଏହି ସୁଶିଲ ଅଗ୍ରୱାଲ ମାଲକାନଗିରି ଜିଲ୍ଲା ସମେତ କଟକ, ଅନୁଗୁଳ ଇତ୍ୟାଦି ଜିଲ୍ଲାମାନଙ୍କୁ ନିମ୍ନମାନର ଲେବର କିଟ୍ ଯୋଗାଣ କରି କୋଟି କୋଟି ଟଙ୍କା ଆତ୍ମସାତ୍ କରିବାର ଅଭିଯୋଗ ଏହା ପୂର୍ବରୁ ଶ୍ରୀ ମାଝୀ କରିଥିଲେ । ସୁଶିଲ ଅଗ୍ରୱାଲ ନିଜେ ବିଭିନ୍ନ ଜିନିଷପତ୍ର ଯୋଗାଣ କରିବା ସହିତ ଅନ୍ୟ ଯୋଗାଣକାରୀ ସଂସ୍ଥାମାନଙ୍କର ଦଲାଲ ଭାବରେ ମଧ୍ୟ କାର୍ଯ୍ୟ କରୁଥିବାର ସ୍ପଷ୍ଟ ପ୍ରମାଣ ରହିଛି । ଉଲ୍ଲେଖଯୋଗ୍ୟ ଯେ ସୁଶିଲ ଅଗ୍ରୱାଲ ହେଉଛନ୍ତି ଅରବିନ୍ଦ ଅଗ୍ରୱାଲଙ୍କ ସଂପର୍କିୟ ଏବଂ ଅରବିନ୍ଦ ଅଗ୍ରୱାଲ, ରଂଜିତ ମହାନ୍ତି, ସଚିନ୍ ଯାଦବ ପ୍ରଭୃତି ଅନୁଗୁଳର ଜିଲ୍ଲାପାଳ ଥିବାବେଳେ ଚଂଚକତାପୂର୍ଣ୍ଣ ପଦ୍ଧତିକୁ ଅନୁକରଣ କରି ଏହି ଜମି ହଡପ କରିଛନ୍ତି । ଏଥିରେ ସେହି ସମୟରେ ଅନୁଗୁଳର ୬ ଜଣ ଉପଜିଲ୍ଲାପାଳ ଯଥା ସୁଦର୍ଶନ ପରିଡା, ଅଭୟ ନାୟକ, ଏ. କେର୍କେଟା, ପ୍ରସନ୍ନ ଦାସ, ସରୋଜ ମହାନ୍ତି, ବାସୁଦେବ ଶତପଥି ପ୍ରମୁଖ ଏଥିରେ ସଂପୃକ୍ତ ଥିବାର ପ୍ରମାଣ ମିଳେ । ଆଦିବାସୀ ଏବଂ ଦଳିତମାନଙ୍କ ଜମି କିଣିଲା ବେଳେ ଯେଉଁ ଡାକ୍ତରୀ ସାର୍ଟିଫିକେଟ୍ ଗୁଡିକୁ ବ୍ୟବହାର କରାଯାଇଛି ତାହା ମିଥ୍ୟା ଦସ୍ତାବିଜ ଉପରେ ଆଧାରିତ । ଆଇନ୍‌ତଃ ଜଣେ ଆଦିବାସୀ ବା ତଫସିଲଭୁକ୍ତ ଜାତିର ଲୋକକୁ ବର୍ଷରେ ଥରେ ଜମି ବିକିବାର ପ୍ରାବଧି ଥିଲାବେଳେ ଏ କ୍ଷେତ୍ରରେ ତାକୁ ମଧ୍ୟ ଅବମାନନା କରାଯାଇ ଗୋଟିଏ ବର୍ଷରେ ବାରମ୍ବାର ତା ଠାରୁ ଜମି କିଣାଯାଇଛି । ସୁଶିଲ ଅଗ୍ରୱାଲ ଶହ ଶହ କୋଟି ଟଙ୍କାର ମାଲିକ ହେବା ଏବଂ ଏତେ ପରିମାଣରେ ଜମି କିଣିବା ପଛରେ କିଛି ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ରାଜନେତାମାନଙ୍କର ସଂପୃକ୍ତି ଅଛି ବୋଲି ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି ।
ରାଜ୍ୟ ସରକାର ଆଦିବାସୀ ଏବଂ ତଫସିଲଭୁକ୍ତ ଜାତିର ଲୋକଙ୍କର ସ୍ୱାର୍ଥର ପ୍ରହରୀ ବୋଲି ଡିଣ୍ଡିମ ପିଟୁଥିବା ବେଳେ ଏହି ଘଟଣା ବିଜେଡି ସରକାରର ଅସଲ ମୁଖାକୁ ପଦାରେ ପକାଇ ଦେଇଛି । ପଞ୍ଜିକରଣ ମାଧ୍ୟମରେ ଯେଉଁ ଜମି କିଣାଯାଇଛି ତାକୁ ତୁରନ୍ତ ବାତିଲ କରି ସେମାନଙ୍କ ଜମି ଫେରାଇବା ସହିତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀକୁ କଠୋର ଦଣ୍ଡ ବିଧାନ କରିବା ପାଇଁ ଦାବି କରାଯାଇଛି । ରାଜସ୍ୱ ମନ୍ତ୍ରୀ ହିସାବରେ ଶ୍ରୀ ସୁଦାମ ମାର୍ଣ୍ଡି ଏହାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ସରକାର ଯଦି ଏ ଦିଗରେ ଦୃଢ଼ ପଦକ୍ଷେପ ନ ନିଅନ୍ତି ତେବେ ନ୍ୟାୟିକ ରାସ୍ତାରେ ଯିବା ପାଇଁ ମଧ୍ୟ ଶ୍ରୀ ମାଝୀ ଚେତାବନୀ ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ, ପୂର୍ବତନ ସାଂସଦ ନକୁଳ ନାୟକ, ସନ୍ତୋଷ ପଟ୍ଟନାୟକ, ଟିକନ ବେହେରା, ଜୟନ୍ତ ସାହୁ, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking