27.1 C
Bhubaneswar
Friday, March 29, 2024
Homeଓଡିଶା*ସ୍ୱର୍ଗତ ଶରତ କରଙ୍କୁ ରାଜ୍ୟ ସରକାର ଉଚିତ୍ ସମ୍ମାନ ଦେଇନାହାନ୍ତି*

*ସ୍ୱର୍ଗତ ଶରତ କରଙ୍କୁ ରାଜ୍ୟ ସରକାର ଉଚିତ୍ ସମ୍ମାନ ଦେଇନାହାନ୍ତି*

ଭୁବନେଶ୍ୱର : ସ୍ୱର୍ଗତଃ ଶରତ କୁମାର କରଙ୍କ ବିୟୋଗରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆଜିର ପ୍ରେସ୍ ବାର୍ତା ମାଧ୍ୟମରେ ଅତ୍ୟନ୍ତ ଦୁଃଖ ଓ ମର୍ମାହତ ହୋଇ କହିଛନ୍ତି ଯେ ସ୍ୱର୍ଗତ କର ଆମ ଯୁଗର ଜଣେ ବରିଷ୍ଠ ରାଜନୈତିକ ନେତା ଥିଲେ । ଏହାକୁ କେହି ଅସ୍ୱୀକାର କରିବେ ନାହିଁ । ସେ ବିଧାୟକ ଥିଲେ, ମନ୍ତ୍ରୀ ଥିଲେ, ସାଂସଦ ଥିଲେ ଏପରିକି ବିଧାନସଭାର ବାଚସ୍ପତି ମଧ୍ୟ ଥିଲେ । ଜଣେ ସୁସାହିତ୍ୟିକ, ସୁବକ୍ତା ଓ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ ଥିଲେ । ତାଙ୍କର ଦେହତ୍ୟାଗ ପରେ ପିଲାମାନେ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ଇଚ୍ଛା ପୂରଣ କରିବା ପାଇଁ ସରକାରଙ୍କୁ ପ୍ରାର୍ଥନା କଲେ । ଅନ୍ୟମାନଙ୍କ କ୍ଷେତ୍ରରେ ସରକାର ଅନୁମତି ଦେଉଥିବା ବେଳେ ଶରତବାବୁଙ୍କ ଶରୀରକୁ ଦାହ କରିବା ପାଇଁ ଅନୁମତି ଦେଲେ ନାହିଁ । ଶ୍ରୀ ପଟ୍ଟନାୟକ ଦୁଃଖର ସହ କହିଛନ୍ତି ଯେ ବହୁ ଲୋକଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଉଛି । କିନ୍ତୁ କ’ଣ ପାଇଁ ଶରତବାବୁଙ୍କ ଭଳି ଏପରି ଜଣେ ବିଶିଷ୍ଟ ଲୋକଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସରକାରଙ୍କ ତରଫରୁ ଦିଆଗଲା ନାହିଁ । ଏହା ମୁଖ୍ୟମନ୍ତ୍ରୀ ଜାଣିଛନ୍ତି କି ନାହିଁ ମୁଁ ଜାଣେ ନାହିଁ । ଯଦି ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ନଜାଣିଛନ୍ତି ଦୟାକରି ଏହାର କାରଣ ବୁଝନ୍ତୁ, କାହା ସ୍ୱାର୍ଥରେ ଓ କେଉଁମାନଙ୍କ ଦାୟିତ୍ୱହୀନତା ପାଇଁ ଆଜି ଓଡିଶାରେ ଏଭଳି ଏକ ଅପମାନସୂଚକ କାର୍ଯ୍ୟ ହୋଇଛି ସେ ସଂପର୍କରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଯେଉଁ ଭୁଲ୍‌ଟି ହୋଇଛି ସେ ଭୁଲ୍ ପାଇଁ ରାଜ୍ୟ ସରକାର ଦୁଃଖ ପ୍ରକାଶ କରିବେ କି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଓଡିଶା ଜନସାଧାରଣ ବିଚାର କରନ୍ତୁ ଯେ କିଭଳି ଭାବରେ ଓଡିଶାରେ ପାତର ଅନ୍ତରର ବିଚାର ହେଉଛି । ଜଣେ ସୁନାମଧନ୍ୟ ବ୍ୟକ୍ତି ଏବଂ ବିଧାନସଭାର ବାଚସ୍ପତି ଥିବା ସତ୍ୱେ ତାଙ୍କ ମରଶରୀରକୁ ବିଧାନସଭାକୁ ମଧ୍ୟ ନିଆଗଲା ନାହିଁ । ଏହା କିପରି ମନୋଭାବ? ସରକାର କିପରି କାର୍ଯ୍ୟ କରୁଛନ୍ତି ଏହାକୁ ଓଡିଶାବାସୀ ବିଚାର କରିବା ଦରକାର ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହାକୁ ନେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking