32.1 C
Bhubaneswar
Thursday, March 28, 2024
Homeଓଡିଶାନବୀନ ସରକାରଙ୍କ ବିଚିତ୍ର ନୀତି, ସାଧାରଣ ବିୁଦ୍ୟତ ଉପଭୋକ୍ତାଙ୍କୁ ମାଡ଼ : ଶିଳ୍ପ କମ୍ପାନୀଙ୍କୁ ଛାଡ଼

ନବୀନ ସରକାରଙ୍କ ବିଚିତ୍ର ନୀତି, ସାଧାରଣ ବିୁଦ୍ୟତ ଉପଭୋକ୍ତାଙ୍କୁ ମାଡ଼ : ଶିଳ୍ପ କମ୍ପାନୀଙ୍କୁ ଛାଡ଼

ଭୁବନେଶ୍ୱର  – ବକେୟା ବିଦ୍ୟୁତ ବିଲ୍ ପୈଠ ନ କଲେ ଆସନ୍ତା ଜାନୁଆରୀ ୧୫ ରୁ ଉପଭୋକ୍ତାଙ୍କର ବିଦ୍ୟୁତ୍‌ ସଂଯୋଗ କାଟି ଦିଆଯିବ ବୋଲି ସେସୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଯେଉଁ ଧମକ ଦେଇଛନ୍ତି ତାକୁ ପ୍ରଦେଶ କଂଗ୍ରେସ କମିଟି ତୀବ୍ର ବିରୋଧ କରିଛି । ସାଧାରଣ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ମାଡ ଏବଂ କମ୍ପାନୀଙ୍କୁ ଛାଡ ନୀତିରେ ନବୀନ ସରକାର ହାତଗଣତି କେତେକ କମ୍ପାନୀଙ୍କ ଉପରେ ବାକି ପଡିଥିବା ବିଦ୍ୟୁତ୍ ବିଲ୍ କେବେ ଆଦାୟ କରିବେ ଓ କାହାର କାହାର ବିଦ୍ୟୁତ ବିଚ୍ଛିନ୍ନ
କରାଯାଇଛି ତା’ର ଏକ ସବିଶେଷ ବିବରଣୀ ତଥ୍ୟ ସମ୍ବଳିତ ଶ୍ୱେତ ପତ୍ର ଜନସାଧାରଣଙ୍କ ଆଗରେ ରଖିବାକୁ ପ୍ରଦେଶ କଂଗ୍ରେସ କମିଟି ଦାବି କରିଛି ।
ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ମନୋଜ ମହାପାତ୍ର କହିଲେ ଯେ ୭ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ତାଙ୍କର ଘରୋଇ ବ୍ୟବହୃତ ବିଜୁଳି ବିଲ୍ ପୈଠ ନକଲେ ଆସନ୍ତା ଜାନୁଆରୀ ୧୫ ରୁ ବିଦ୍ୟୁତ୍‌ ସଂଯୋଗ କାଟି ଦିଆଯିବ ବୋଲି ସେସୁ କାର୍ଯ୍ୟନିର୍ବାହୀ ଅଧିକାରୀ ଅରୁଣ ବୋଥ୍ରା ଧମକ ଦେଇଛନ୍ତି । ଅନ୍ୟ ପକ୍ଷରେ ବହୁ ଘରୋଇ ଶିଳ୍ପ ସଂସ୍ଥା, ସରକାରୀ ଉଦ୍ୟୋଗ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଉପରେ କୋଟି କୋଟି ଟଙ୍କାର ବିଦ୍ୟୁତ୍‌ ବିଲ୍ ବାକି ପଡିଛି । ୨୦୧୬ ମସିହାରେ ତତ୍‌କାଳୀନ ଅର୍ଥମନ୍ତ୍ରୀଙ୍କ ଲିଖିତ ଉତରକୁ ଆଧାର କରି ଶ୍ରୀ ମହାପାତ୍ର କହିଲେ ଯେ କୋର୍ଟର ମକଦ୍ଦମାର ଆଳ ଦେଖାଇ ରାଉରକେଲା ଷ୍ଟିଲ ପ୍ଲାଂଟ – ୩୧୪ କୋଟି, ନାଲ୍‌କୋ – ୩୫୪ କୋଟି, ଆରତି ଷ୍ଟିଲ୍‌ ଆଣ୍ଡ ପାୱାର – ୪୦ କୋଟି, ଆଇସିସିଏଲ / ଇମ୍‌ଫା, ଚୌଦ୍ୱାର – ୮୭୨ କୋଟି ସମେତ ୨୬ ଟି କମ୍ପାନୀ ଉପରେ ୧୮୭୪ କୋଟି ଟଙ୍କାର ବିଦ୍ୟୁତ ବିଲ ଆଦାୟ କରାଯାଇ ନାହିଁ ଏବଂ ବିଦ୍ୟୁତ ସଂଯୋଗ ମଧ୍ୟ ବିଛିନ୍ନ କରାଯାଇ ନାହିଁ ।
ପୁନଶ୍ଚ ବହୁ ଶିଳ୍ପସଂସ୍ଥା ଯାଣିସୁଣି କୋଟି କୋଟି ଟଙ୍କାର ବିଦ୍ୟୁତ ବିଲ୍ ବକେୟା ରଖିଥିବା ବେଳେ ରାଜ୍ୟ ସରକାର ତାକୁ ଆଦାୟ କରିବାରେ ଅସମର୍ଥ । ବିଦ୍ୟୁତ ବିତରଣକାରୀ ସଂସ୍ଥା ଓ ରିଲିଆନ୍ସ ଇନ୍‌ଫ୍ରା ଲିମିଟେଡ କୋଟି କୋଟି ଟଙ୍କାର ବିଦ୍ୟୁତ ରାଜସ୍ୱ ନେଇ ଫେରାର । ଓଡ଼ିଶାରୁ ବିଦ୍ୟୁତ କିଣି ଦିଲ୍ଲୀରେ ୨୦୦ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଦିଆଯାଉଥିବା ବେଳେ ଓଡ଼ିଶାର ଉପଭୋକ୍ତାଙ୍କ ଉପରେ ଅଧିକରୁ ଅଧିକ ବିଦ୍ୟୁତ ଶୁଳ୍କ ନିଆଯାଉଛି । ଚାଷୀକୁ ମାଗଣା ବିଦ୍ୟୁତ ଯୋଗାଣ କରିବା ବିଜୁ
ଜନତା ଦଳ ତରଫରୁ ନିର୍ବାଚନ ସମୟରେ ଯେଉଁ ଘୋଷଣା କରାଯାଇଥିଲା ତାହା ସଂପ୍ରତି ରାଜନୈତିକ ଧୂଆଁବାଣରେ ପରିଣତ ହୋଇଛି । ୫ଟିର ଶାସନ ବୋଲି ଦାବି କରୁଥିବା ଓଡ଼ିଶା ସରକାର ରାଜ୍ୟ ମୁଖ୍ୟ ମନ୍ତ୍ରୀ ଏହାର ଉପରେ ସ୍ପଷ୍ଟି କରଣ ଦେବାକୁ ଶ୍ରୀ ମହାପାତ୍ର ଦାବି କରିଥିଲେ ।
ପୁନଶ୍ଚ ସରକାର ଜାଣିସୁଣି ନିଜର ଅପାରଗତାକୁ ଲୁଚାଇବା ପାଇଁ ସାଧାରଣ ଉପଭୋକ୍ତା ଉପରେ ଯେଉଁ ଜୁଲମ କରିବାର ଷଡ଼ଯନ୍ତ୍ର କରୁଛନ୍ତି ତାକୁ ପ୍ରଦେଶ କଂଗ୍ରେସ ତୀବ୍ର ନିନ୍ଦା କରିବା ସହ ଆଗାମୀ ଦିନରେ ଦରକାର ପଡ଼ିଲେ ବ୍ୟାପକ ଜନଆନ୍ଦୋଳନ କରାଯିବ ବୋଲି ଶ୍ରୀ ପଦ୍ମାକର ଗୁରୁ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରଜନୀ ମହାନ୍ତି, ଅମୀୟ ପାଣ୍ଡବ ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking