ନାମାଙ୍କନ ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର

ପିପିଲି : ପିପିଲିରୁ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ଆଜି ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପୁରୀ କଂଗ୍ରେସ ଭବନରୁ କୋଭିଡ କଟକଣା ଭିତରେ ଆଜି ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏକ ଶୋଭାଯାତ୍ରାରେ ବାହାରି ସେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି । ପିପିଲିରେ କଂଗ୍ରେସର ସ୍ଥିତି ସୁଦୃଢ ରହିଛି । ଦିବଙ୍ଗତ ଅଜିତ ମଙ୍ଗରାଜଙ୍କ ଉପରେ ଆସ୍ଥା ବିଶ୍ୱାସ ଥିଲା । ସେହି ଭୋଟ ଏବେ କଂଗ୍ରେସକୁ ମିଲିବ ବୋଲି କହିଛନ୍ତି ବିଶ୍ୱକେଶନ ହରିଚନ୍ଦନ । ଅଜିତ ମଙ୍ଗରାଜଙ୍କ ବିୟୋଗ ପରେ ପିପିଲିରେ ଉପନିର୍ବାଚନ ତାରିଖ ଘୁଞ୍ଚିଥିଲା । ଆସନ୍ତା ୧୬ ତାରିଖରେ ମତଦାନ ଏବଂ ୧୯ରେ ହେବ ଭୋଟ ଗଣତି ।  ତେବେ ପିପିଲିରେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କର ଦେହାନ୍ତ ହେବା ପରେ ଦଳ କାହାକୁ ପ୍ରାର୍ଥୀ କରିବ ସେନେଇ ଅନେକ ଅଙ୍କକଷା ଚାଲିଥିଲା । ଆଉ ପରେ ବିଶ୍ୱକେଶନଙ୍କ ନାଁ ଘୋଷଣା କଲେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ।।

ପିପିଲି ଉପନିର୍ବାଚନ ଆସନ୍ତା ମେ’ ୧୩ରେ ମତଦାନ ହେବ ଏବଂ ୧୬ରେ ଭୋଟ ଗଣତି କରାଯିବ । ଉପନିର୍ବାଚନ ଏପ୍ରିଲ ୧୭ରେ ହେବାକୁ ଥିଲା । ହେଲେ ଉପନିର୍ବାଚନର ଠିକ ୪ଦିନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇ ଅକାଳ ମୃତ୍ୟୁ ବରଣ କରିବାରୁ ସ୍ଥଗିତ ରହିଥିଲା । ଗତ ଶନିବାର ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ମେ’ ୧୩ରେ ଉପନିର୍ବାଚନ ହେବ ବୋଲି ସୂଚନା ଦେଇଥିଲେ । ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ମେ’ ୧୩ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଏହି କ୍ରମରେ ଚଳିତ ଏପ୍ରିଲ ୨୭ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ମେ’ ୧୮ ତାରିଖ ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ପ୍ରକାଶ ପାଇଛି । ସିଇଓ ଶ୍ରୀ ଲୋହାନୀ କହିଥିଲେ, ସମ୍ପୂର୍ଣ୍ଣ ନିର୍ବାଚନ ସିଡ୍ୟୁଲ ଆଉଥରେ ପ୍ରକାଶ ପାଇଛି । କଂଗ୍ରେସକୁ ନୂଆ ପ୍ରାର୍ଥୀ ଦେବା ଲାଗି ୭ ଦିନ ସମୟ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here