38.8 C
Bhubaneswar
Friday, April 19, 2024
Homeଓଡିଶାଢ଼ିଙ୍କିଆବାସୀଙ୍କ ଉପରେ ବର୍ବରୋଚିତ ଆକ୍ରମଣ କରିଥିବା ଦୋଷୀଙ୍କୁ ବାନ୍ଧ : କଂଗ୍ରେସ

ଢ଼ିଙ୍କିଆବାସୀଙ୍କ ଉପରେ ବର୍ବରୋଚିତ ଆକ୍ରମଣ କରିଥିବା ଦୋଷୀଙ୍କୁ ବାନ୍ଧ : କଂଗ୍ରେସ

*ଶଂଖାସୁରର ଆଚରଣ ଛାଡ଼ନ୍ତୁ ନବୀନ*

ଭୁବନେଶ୍ୱର – କଳବଳ କୌଶଳ ପ୍ରୟୋଗ କରି ସ୍ୱାର୍ଥହାସଲ ପରେ ଲୁଚିଯିବା ଶଂଖାସୁର ପ୍ରକୃତି । ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ କଳବଳ କୌଶଳ ଖଟାଇ ଭୋଟ ହାତେଇ ନେଲାପରେ ନବୀନ ନିବାସରେ ତାଟି କବାଟ ପକାଇ ଲୁଚି ଯାଇ ଶଂଖାସୁର’ର ଆଚରଣକୁ ଅନୁସରଣ କରୁଛନ୍ତି ବୋଲି କଂଗ୍ରେସ ଦଳ ତରଫରୁ ସଂଗୀନ ଅଭିଯୋଗ ଆଣିଛନ୍ତି ମୁଖପାତ୍ର ମନୋଜ ମହାପାତ୍ର ।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଲେ ଯେ, ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ପ୍ରଭୂ ଜଗନ୍ନାଥଙ୍କୁ ପ୍ରାର୍ଥନା କରି ଏକ ଭିଡିଓ ଉତୋଳନ କରି ଛାଡ଼ିଥିଲେ । ତାଙ୍କର ଜଗନ୍ନାଥ ଭକ୍ତି ଉପରେ ଆମର କୌଣସି ଆପତି ନାହିଁ । ନିଜକୁ ଜଗନ୍ନାଥଙ୍କ ପରମଭକ୍ତ ବୋଲି ଦାବୀ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଆଚରଣ କିନ୍ତୁ ଶଂଖାସୁରର ଆଚରଣର ସମାନତା ରହିଯାଉଛି । ସ୍କନ୍ଦ ପୁରାଣରେ ବର୍ଣ୍ଣିତ ଭଳି କଳ ବଳ କୌଶଳ ଓ ଛଳନାରେ ବ୍ରହ୍ମାଙ୍କ ଠାରୁ ଚାରିବେଦ ନେଲାପରେ ଅତି ଚାଲାକିରେ ସମୁଦ୍ର ଗର୍ଭରେ ଶଂଖର ଖୋଳପା ଭିତରେ ଲୁଚିଯାଉଥିଲା ଶଂଖାସୁର । ସେହିପରି କଳବଳ କୌଶଳ ଓ ଛଳନାରେ ନିର୍ବାଚନରେ ଲୋକଙ୍କ ଠାରୁ ଭୋଟ ହାତେଇ ନେଲାପରେ ନବୀନ ନିବାସରେ ତାଟି କବାଟ ପକାଇ ବ୍ୟାପକ ପୋଲିସ ସୁରକ୍ଷା ଭିତରେ ଲୁଚିଯାଉଛନ୍ତି ନବୀନ ପଟ୍ଟନାୟକ । ଏହା ଶଂଖାସୁରର ଆଚରଣର ଅଂଶ ବିଶେଷ ବୋଲି ଅଭିହିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶଂଖାସୁର ପ୍ରକୃତିରୁ ନିଜକୁ ନିବୃତ ରଖନ୍ତୁ ବୋଲି କଂଗ୍ରେସ ଦଳ ତରଫରୁ ଆହ୍ୱାନ କରାଯାଇଛି ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାବି କରନ୍ତି ଯେ ସାଢ଼େ ଚାରିକୋଟି ଓଡ଼ିଆ ତାଙ୍କ ପରିବାର, ତାହାହେଲେ ଢ଼ିଙ୍କିଆର ହଜାର ହଜାର ଲୋକ କାହା ପରିବାରର ? ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ରଥଯାତ୍ରା ବେଳେ ବଳଭଦ୍ର ଓ ଜଗନ୍ନାଥ ଭଉଣୀ ସୁଭଦ୍ରାଙ୍କୁ ମଝିରେ ରଖି ବ୍ୟାପକ ସୁରକ୍ଷା ଭିତରେ ମାଉସୀ ଘରକୁ ଯାଇଥିଲେ । ଭଉଣୀ ମମିତା ମେହେରର ସୁରକ୍ଷା କାହା ଦାୟୀତ୍ୱରେ । ମୁଖ୍ୟମନ୍ତ୍ରୀ ଜଗନ୍ନାଥ ସଂସ୍କୃତିର କିଛି ଶିଖୁଛନ୍ତି ନା ଉପର ଠାଉରିଆ ଭାବରେ ନିଜକୁ ଭକ୍ତ ବୋଲି ଦାବି କରୁଛନ୍ତି । ଦଳିତ, ପତିତ ଓ ନିସ୍ପେଷିତ ମାନଙ୍କୁ ଉଧାର ପାଇଁ ନିଳଚକ୍ରରେ ପତିତପାବନ ବାନା ଉଡ଼ୁଛି । ଜଗନ୍ନାଥଙ୍କର ଭକ୍ତ ଭାବରେ ଢ଼ିଙ୍କିଆରେ ହୋଇଥିବା ମା’ ଭଉଣୀ ଉପରେ ଆକ୍ରମଣକାରୀଙ୍କୁ ସୁରକ୍ଷା ପ୍ରଦାନ କରି ଆପଣ ଶଂଖାସୁରର ଆଚରଣକୁ ଅନୁସରଣ କରୁଛନ୍ତି କି? କୋଇଲା ବ୍ଲକ ଆବଂଟନରେ ଆଦିତ୍ୟ ବିର୍ଲା କମ୍ପାନୀକୁ ଯଥେଷ୍ଟ ସହଯୋଗ କରି ବିଜେଡ଼ି ପାଣ୍ଠିକୁ ୮ କୋଟି ଟଙ୍କା ଚାନ୍ଦା ଆଣିଥିବା ଯଥେଷ୍ଟ ପ୍ରମାଣ ରହିଛି, ଏବେ ପଂଚାୟତ ନିର୍ବାଚନ ପାଇଁ ଜିନ୍ଦଲ କମ୍ପାନୀ ଠାରୁ ମୋଟା ଅଙ୍କର ଅର୍ଥ ଆଣି ପୋଲିସ ଲଗାଇ ଢ଼ିଙ୍କିଆ ଗ୍ରାମାବାସୀଙ୍କୁ ବର୍ବରୋଚିତ ଆକ୍ରମଣ କରିଛନ୍ତି କି ଯଦି ନା ତାହାହେଲେ ଢ଼ିଙ୍କିଆ ଗ୍ରାମବାସୀଙ୍କୁ ଆକ୍ରମଣ କରିଥିବା ଦୋଷୀଙ୍କ ବିରୋଧରେ ଫୌଜଦାରୀ ମାମଲା କରି ତୁରନ୍ତ ଗିରଫ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବାକୁ ଦଳ ତରଫରୁ ଦାବି କରାଯାଇଛି । ୨୦୦୬ ଜାନୁଆରୀ ୨ ତାରିଖରେ କଳିଙ୍ଗ ନଗର ଗଣହତ୍ୟା ପ୍ରସଙ୍ଗରେ କିଛି ଆଦିବାସୀ ମହିଳାଙ୍କର ସ୍ତନକୁ ପୋଲିସ ବର୍ବରୋଚିତ ଭାବେ କାଟିଥିଲା, ତାର ପୁନରାବୃତି କରାଯାଇ ଶାସକଦଳ ବିଧାୟକ ଓ ମନ୍ତ୍ରୀଙ୍କ ପ୍ରରୋଚନାରେ ଓ ପୋଲିସର ମିଳିତ ଷଡ଼ଯନ୍ତ୍ରରେ କିଛି ଯୁବତୀ ଓ ମହିଳାଙ୍କ ଉପରେ ବର୍ବରୋଚିତ ଅତ୍ୟାଚାର କରାଯାଇଛି, ତାହା ବିହୀତ ଅନୁସନ୍ଧାନ କରାଯାଇ ଦୋଷୀକୁ ଦଣ୍ଡିତ କରିବାର ସତ୍‌ସାହସ ଦେଖାଇବେକି? ଢ଼ିଙ୍କିଆର ପ୍ରସଙ୍ଗରେ ରାଜ୍ୟ ସରକାର ଓ ପ୍ରଶାସନ ସହ ପୋଲିସ କମ୍ପାନୀର ପୋଷା ଗୁଣ୍ଡା ଭଳି ବ୍ୟବହାର କରିଛି । ଯାହାକୁ ଦଳ ତରଫରୁ ତୀବ୍ର ଭର୍ସନା କରାଯାଇଛି ଓ ଏ ସଂପର୍କରେ ଏକ ଉଚ୍ଚସ୍ତରୀୟ ତଦନ୍ତକାରୀ ଟିମ୍ ଆସନ୍ତା ୨୨ ତାରିଖରେ ଢ଼ିଙ୍କିଆ ଗସ୍ତ କରିବ ବୋଲି ଦଳ ତରଫରୂ ସୂଚନା ଦିଆଯାଇଛି ।
ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟାଳୟ କିଛି ଅବସରପ୍ରାପ୍ତ ଅଫିସରଙ୍କ ଥଇଥାନ କେନ୍ଦ୍ରର ପରିଣତ ହୋଇଛି । ଚାକିରୀ କାଳ ଭିତରେ ଏହି ବରିଷ୍ଠ ପ୍ରଶାସନୀକ ଓ ପୋଲିସ ଅଧିକାରୀ ମାନଙ୍କୁ ଚାକିରୀ ସମୟସୀମା ବୃଦ୍ଧି କରାଯାଇଛି ଓ ଅବସରପରେ ପୁନଃ ନିଯୁକ୍ତି ଦିଆଯାଉଛି । ଯେଉଁଥିପାଇଁ ମୁଖ୍ୟ ସଚିବ, ଓ ଡିଜି ସ୍ତରୀୟ ଅଧିକାରୀ ମାନେ ତାଙ୍କର ଚାକିରୀ ଜୀବନରେ ପୁନଃ ନିଯୁକ୍ତି ପାଇବା ଆଶାରେ ପ୍ରସାଶନିକ କାମ ନକରି ବିଜୁ ଜନତା ଦଳର ଦଳୀୟ ସଂଗଠନ କାର୍ଯ୍ୟ ଗୁଡ଼ିକ କରୁଥିବା ଦେଖାଯାଉଛି । ପ୍ରଶାସନର ସଂସ୍କାର ଆଣିବାକୁ ତୁରନ୍ତ ପୁନଃ ନିଯୁକ୍ତି ପାଇଥିବା ଏହି ଅବସରପ୍ରାପ୍ତ ପ୍ରଶାସନିକ ଓ ପୋଲିସ ଅଧିକାରୀମାନଙ୍କୁ ତୁରନ୍ତ ହଟାଯାଉ ।
ପଛୁଆବର୍ଗ ସଂରକ୍ଷଣ ପ୍ରସଙ୍ଗରେ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ସୁପ୍ରିମକୋର୍ଟର ଦ୍ୱାରସ୍ତ ହୋଇଥିବା ବେଳେ ଓଡ଼ିଶା ସରକାର ଚୁପ ରହିବା ଦୁର୍ଭାଗ୍ୟଜନକ । ୫୪ ପ୍ରତିଶତ ଜନସଂଖ୍ୟା ବିଶିଷ୍ଟ ଏହି ପଛୁଆବର୍ଗଙ୍କ ସାମାଜିକ, ରାଜନୈତିକ, ଅର୍ଥନୈତିକ ଉତ୍‌ଥାନ କ୍ଷେତ୍ରରେ ଜାଣିସୁଣି ଚଂଚକତା କରି ସରକାର ଏମାନଙ୍କୁ ତାଙ୍କର ସାମ୍ବିଧାନିକ ଅଧିକାରରୁ ବଂଚିତ କରିଛନ୍ତି । ଯାହାକୁ ବର୍ଦାସ୍ତ କରାଯିବ ନାହିଁ ଏବଂ ଚଳିତ ନିର୍ବାଚନରେ ଲୋକେ ତାର ଜବାବ ଦେବେ ବୋଲି କୁହାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ମନୋରଞ୍ଜନ ଦାଶ, ଶାନ୍ତନୁ ସାହୁ, ସନ୍ତୋଷ କୁମ୍ଭାର ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking