ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନୂଆ ସଂସଦ ଭବନ ଉଦ୍ଘାଟନ ସମାରୋହକୁ ୨୦ଟି ବିରୋଧୀ ଦଳ ବର୍ଜନ କରିବା ନିଷ୍ପତ୍ତି ନେଇଥିôବା ବେଳେ ଏବେ ସଙ୍ଗୋଲ୍ (ରାଜଦଣ୍ଡ)କୁ ନେଇ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି । ସଙ୍ଗୋଲକୁ ନେଇ ବିଜେପିର ଦାବିକୁ କଂଗ୍ରେସ ମିଥ୍ୟା ବୋଲି କହିଛି । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ସ୍ୱାଧୀନତା ସମୟରେ କ୍ଷମତା ହସ୍ତାନ୍ତର ପ୍ରତୀକ ସ୍ୱରୂପ ଇଂରେଜମାନେ ଜବାହରଲାଲ ନେହରୁଙ୍କୁ ସଙ୍ଗୋଲ୍ ପ୍ରଦାନ କରିଥିବାର କୌଣସି ଡକ୍ୟୁମେଣ୍ଟାରୀ ପ୍ରମାଣ ନାହିଁ। ଏହାକୁ ନେଇ ବିଜେପି ନେତାମାନଙ୍କ ସମସ୍ତ ଦାବି ମିଥ୍ୟା ।
ରମେଶ ଏକ ଟ୍ୱିଟ୍ରେ କହିଛନ୍ତି, ନୂଆ ସଂସଦକୁ ହ୍ୱାଟ୍ସଆପ୍ ୟୁନିଭର୍ସିଟିରୁ ମିଳିଥିବା ଜ୍ଞାନ ଦ୍ୱାରା ଦୂଷିତ କରାଯାଉଛି । ବିଜେପି-ଆର୍ଏସ୍ଏସ୍ ବିନା ପ୍ରମାଣରେ ତଥ୍ୟକୁ ମୋଡ଼ି ମକଚି ଉପସ୍ଥାପନ କରୁଛନ୍ତି । ସେ କହିଛନ୍ତି, ସଙ୍ଗୋଲ୍ ସମ୍ପର୍କରେ ଅଧିକ ଜ୍ଞାନ ନଥିବାରୁ ବିଜେପି ପୁଣିଥରେ ପର୍ଦ୍ଦାଫାସ୍ ହୋଇଛି । ଅନ୍ୟପକ୍ଷରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସଙ୍ଗୋଲ୍ର ବିରୋଧକୁ ନେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ଶୁକ୍ରବାର ସେ ଟ୍ୱିଟ୍ କରିଛନ୍ତି- କଂଗ୍ରେସ ପାର୍ଟି ଭାରତୀୟ ପରମ୍ପରା ଓ ସଂସ୍କୃତିକୁ ଏତେ ଘୃଣା କାହିଁକି କରୁଛି? ତାମିଲନାଡ଼ୁର ଏକ ପ୍ରସିଦ୍ଧ ମଠ ପକ୍ଷରୁ ସ୍ୱାଧୀନତାର ପ୍ରତୀକ ସ୍ୱରୂପ ପଣ୍ଡିତ ନେହରୁଙ୍କୁ ଏହି ପବିତ୍ର ସଙ୍ଗୋଲ୍ ପ୍ରଦାନ କରାଯାଇଥିଲା । କଂଗ୍ରେସ ଏହାକୁ ‘ୱାକିଂ ଷ୍ଟିକ୍’ ଭାବି ଏକ ସଂଗ୍ରହାଳୟକୁ ପଠାଇ ଦେଇଥିଲା ।