ନୟାଗଡ଼ : ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ସମ୍ମୁଖ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ଉପରେ ଦୀର୍ଘସମୟ ଧରି ବସିରହିଲେ କଙ୍ଗାରୁକୋର୍ଟ ଦ୍ୱାରା ନିର୍ଯ୍ୟାତିତ ଓ ନିଷ୍ପେସିତ ହୋଇଥିବା ପରିବାର । ସ୍ୱାଧୀନତା ଓ ନ୍ୟାୟ ଦାବିରେ ଦିଆଯାଇଥିବା ଏହି ଧାରଣା ପାଇଁ ଅନେକ ଗାଡ଼ି ରାସ୍ତାରେ ଅଟକି ରହିଥିଲା । ସୂଚନା ଅନୁଯାୟୀ, ଇଟାମାଟି ଥାନା ଅନ୍ତର୍ଗତ ଲାଠିପଡ଼ା ପଞ୍ଚାୟତ ଭୁତଡିହି ଗ୍ରାମର ରବୀନ୍ଦ୍ର ନାୟକ ୨୦୧୪ ମସିହାରେ ଗାଁ’ କମିଟିର ସମ୍ପାଦକ ଦାୟିତ୍ୱରେ ଥିଲେ । ୨୦୧୬ ମସିହାରେ ସେ ତାଙ୍କର ଦାୟିତ୍ୱ ହସ୍ତାନ୍ତର କରିଥିଲେ । ମାତ୍ର ଦାୟିତ୍ୱ ହସ୍ତାନ୍ତର କରିବାର ତିନିମାସ ପରେ ଗାଁ’ରେ ଏକ ସଭା କରାଯାଇ ରବୀନ୍ଦ୍ର ୩ ଲକ୍ଷ ୧୮ ହଜାର ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ଏହି ଆରୋପ ମିଥ୍ୟା ଓ ଅନ୍ୟାୟ ବୋଲି କହିବା ସହ ରବୀନ୍ଦ୍ର ଏହାକୁ ଖଣ୍ଡନ କରିଥିଲେ । ଗାଁ’ର କୋଠଟଙ୍କା କୋଷାଧ୍ୟକ୍ଷଙ୍କ ପାଖରେ ରହୁଥିବାବେଳେ କିପରି ଏତେ ଟଙ୍କା ସେ ହଡ଼ପ କଲେ ବୋଲି ରବୀନ୍ଦ୍ର ପ୍ରଶ୍ନ ଉଠାଇଥିଲେ । ଏ ନେଇ ଗ୍ରାମର ନୂତନ ପରିଚାଳନା କମିଟିକୁ ସେ ପ୍ରମାଣ ମାଗିବାରୁ ଗାଁ’ କମିଟି ଦ୍ୱାରା ପରିଚାଳିତ କଙ୍ଗାରୁକୋର୍ଟ ତାଙ୍କୁ ନିଆଁ, ପାଣି ବାସନ୍ଦ କରିବା ସହ ଏକଘରକିଆ କରିଥିଲା ।
ଏହାକୁ ନେଇ ରବୀନ୍ଦ୍ର ଥାନାରେ ଅଭିଯୋଗ କରିବା ସହ ବିଭିନ୍ନ ସମୟରେ ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳିଲାନାହିଁ । ଅନ୍ୟପକ୍ଷରେ କେଶ ଚାଲିବାରୁ ଗ୍ରାମବାସୀ ଉତ୍କ୍ଷିପ୍ତ ହୋଇ ୨୦୧୭ ମସିହା ଅଗଷ୍ଟ ୨୭ ତାରିଖରେ ତାଙ୍କ ଘର ଭାଙ୍ଗିଦେବା ସହ ଘରେ ଥିବା ବିଭିନ୍ନ ଆସବାବପତ୍ର ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ରବୀନ୍ଦ୍ରଙ୍କ ପରିବାରକୁ ନ୍ୟାୟ ମିଳିବା ପରିବର୍ତ୍ତେ ସେ ବିଭିନ୍ନ ସମୟରେ ପରିହାସର ଶିକାର ହୋଇଆସୁଛନ୍ତି । ଏହାକୁ ନେଇ ଆଜି ରବୀନ୍ଦ୍ର ନାୟକ ଏବଂ ତାଙ୍କ ଭାଇ ପୂର୍ଣ୍ଣ ନାୟକ ସପରିବାର ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ଉପରେ ବସି ରହିଥିଲେ । ପୁଲିସ ପକ୍ଷରୁ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦିଆଯିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଜଣାପଡ଼ିଛି ।