27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶସିଭିଲ ସର୍ଭିସ ପରୀକ୍ଷାଫଳକୁ ନେଇ ଦ୍ୱନ୍ଦ୍ୱ; ସମାନ ର‌୍ୟାଙ୍କ୍ ଓ ରୋଲ ନମ୍ବର ଦାବି କରୁଛନ୍ତି...

ସିଭିଲ ସର୍ଭିସ ପରୀକ୍ଷାଫଳକୁ ନେଇ ଦ୍ୱନ୍ଦ୍ୱ; ସମାନ ର‌୍ୟାଙ୍କ୍ ଓ ରୋଲ ନମ୍ବର ଦାବି କରୁଛନ୍ତି ୨ ପ୍ରାର୍ଥୀ

ଭୋପାଳ: କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ପକ୍ଷରୁ ଗତ ମଙ୍ଗଳବାର ୨୦୨୨ ସିଭିଲ ସର୍ଭିସ ଚୂଡାନ୍ତ ପରୀକ୍ଷାଫଳ ପ୍ରକାଶ କରାଯାଇଛି । ତେବେ ଏହି ପରୀକ୍ଷାଫଳକୁ ନେଇ ମଧ୍ୟପ୍ରଦେଶରେ ବିଚିତ୍ର ଘଟଣା ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶ ନିବାସୀ ଦୁଇଜଣ ଯୁବତୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଦାବି କରିଛନ୍ତି । ତେବେ କୌତୁହଳର ପ୍ରସଙ୍ଗ ହେଉଛି ଉଭୟ ପ୍ରାର୍ଥୀ ସମାନ ର‌୍ୟାଙ୍କ ଓ ସମାନ ରୋଲନମ୍ବରକୁ ନିଜର ବୋଲି ଦାବି କରିଛନ୍ତି । ସୋସିଆଲ ମିଡିଆରେ ବର୍ତ୍ତମାନ ଏହି ସମ୍ବାଦ ଭାଇରାଲ ହେବାରେ ଲାଗିଛି । ସୂଚନା ମୁତାବକ ଦେୱାସ ଜିଲ୍ଲା ନିବାସୀ ଆୟେଶା ଫାତିମା ଏବଂ ଅଲିରାଜପୁର ଜିଲ୍ଲା ନିବାସୀ ଆୟେଶା ମକ୍‌ରାନି ସିଭିଲ ସର୍ଭିସ ପ୍ରିଲିମ୍‌ସ ଓ ମେନ୍ ପରୀକ୍ଷାରେ କୃତକାର୍ଯ୍ୟ ହେବାପରେ ସାକ୍ଷାତକାର (ପର୍ସନାଲିଟୀ ଟେଷ୍ଟ)ର ସମ୍ମୁଖୀନ ହୋଇଥିଲେ । ୟୁପିଏସ୍‌ସି ପକ୍ଷରୁ ପ୍ରକାଶିତ ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କ ତାଲିକାର ୧୮୪ତମ ର‌୍ୟାଙ୍କ୍‌ରେ କେବଳ ଆୟେଶା ବୋଲି ଉଲ୍ଲେଖ କରାଯାଇଛି । ସାଙ୍ଗିଆ ଉଲ୍ଲେଖ ହୋଇନଥିବାବେଳେ ଏହି ଦୁଇ ପ୍ରାର୍ଥୀ ନିଜକୁ କୃତକାର୍ଯ୍ୟ ହୋଇଥିବା ଦାବି କରିଛନ୍ତି । ଏପରିକି ସେମାନେ ପ୍ରମାଣ ସ୍ୱରୂପ ସମାନ ରୋଲନମ୍ବର ଥିବା ଆଡ୍‌ମିଟ କାର୍ଡ ମଧ୍ୟ ଦେଖାଉଛନ୍ତି ।

ଦ୍ୱନ୍ଦ୍ୱ ଉପୁଜିବାପରେ ସ୍ପଷ୍ଟୀକରଣ ପାଇଁ ଏହି ଦୁଇ ପ୍ରାର୍ଥୀ ସ୍ଥାନୀୟ ଥାନା ସମେତ ୟୁପିଏସ୍‌ସିରେ ଅଭିଯୋଗ ମଧ୍ୟ କରିଥିବା ଜଣାପଡିଛି । ଏକ ଜାତୀୟସ୍ତରର ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଆୟେଶା ମକ୍‌ରାନି କହିଛନ୍ତି ଯେ ସିଭିଲ ସର୍ଭିସ ପାଇଁ ବିଗତ ଦୁଇବର୍ଷ ହେଲା କଠିନ ପରିଶ୍ରମ କରିଆସୁଛି, ତେଣୁ ମୋ ପରିଶ୍ରମର ଫଳ ଅନ୍ୟ କାହା ହାତକୁ ଯିବା ମୁଁ ବରଦାସ୍ତ କରିପାରିବି ନାହିଁ । ତେଣୁ ୟୁପିଏସ୍‌ସି ଏ କ୍ଷେତ୍ରରେ ତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି । ଅପରପକ୍ଷରେ ଆୟେଶା ଫାତିମା କହିଛନ୍ତି ଯେ ତାଙ୍କ ରୋଲନମ୍ବରକୁ ଅନ୍ୟ ଜଣେ ପ୍ରାର୍ଥୀ କିପରି ଦାବି କରୁଛନ୍ତି, ତାହା ତାଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି । ତେବେ ଗଣମାଧ୍ୟମ ଦ୍ୱାରା ଉଭୟଙ୍କ ଆଡମିଟ୍ କାର୍ଡ ଯାଞ୍ଚ କରାଯିବାପରେ କେତେକ ଅସାମଞ୍ଜସ୍ୟ ତଥ୍ୟ ସାମନାକୁ ଆସିଛି । ମକ୍‌ରାନିଙ୍କ ଆଡ୍‌ମିଟ କାର୍ଡରେ ସାକ୍ଷାତକାର ଦିବସ ୨୦୨୩ ଏପ୍ରିଲ ୨୫ ବୋଲି ଉଲ୍ଲେଖ କରାଯାଇଛି ।

କିନ୍ତୁ ଏପ୍ରିଲ ୨୫କୁ ଗୁରୁବାର ଦର୍ଶାଯାଇଛି । ଅପରପକ୍ଷରେ ଫାତିମାଙ୍କ ଆଡ୍‌ମିଟ କାର୍ଡରେ ସାକ୍ଷାତକାର ଦିବସ ୨୦୨୩ ଏପ୍ରିଲ ୨୫ ବୋଲି ଉଲ୍ଲେଖ କରାଯାଇଥିବାବେଳେ ମଙ୍ଗଳବାର ଦର୍ଶାଯାଇଛି । କ୍ୟାଲେଣ୍ଡର ଅନୁଯାୟୀ ୨୦୨୩ ଏପ୍ରିଲ ୨୫ ମଙ୍ଗଳବାର ଥିଲା । ଉପରନ୍ତୁ ଫାତିମାଙ୍କ ଆଡ୍‌ମିଟ କାର୍ଡରେ କ୍ୟୁଆର କୋଡ୍ ସହ ୟୁପିଏସ୍‌ସିର ୱାଟରମାର୍କ ଥିବାବେଳେ ମକ୍‌ରାନିଙ୍କ ଆଡ୍‌ମିଟ କାର୍ଡରେ କ୍ୟୁଆର କୋଡ୍ କିମ୍ବା ୱାଟରମାର୍କର ଚିହ୍ନବର୍ଣ୍ଣ ନାହିଁ । ଏ ପ୍ରସଙ୍ଗରେ ସଂପୃକ୍ତ ଚ୍ୟାନେଲ ପକ୍ଷରୁ ୟୁପିଏସ୍‌ସି ସହ ଯୋଗାଯୋଗ କରାଯିବାପରେ ଫାତିମା ହିଁ ଯୋଗ୍ୟତା ଅର୍ଜନ କରିଥିବା କୁହାଯାଇଛି । ତେବେ ଆଡ୍‌ମିଟ୍ କାର୍ଡରେ ଏଭଳି ବିଶୃଙ୍ଖଳା କିପରି ଘଟିଲା, ତାହା ଯାଞ୍ଚ କରାଯିବ ବୋଲି ୟୁପିଏସ୍‌ସି କର୍ତ୍ତୃପକ୍ଷ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking