32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶକଂଗ୍ରେସର ଚିନ୍ତା ବଢାଉଛି ରାଜସ୍ଥାନ: ହାଇକମାଣ୍ଡଙ୍କ ନିକଟରେ ଚାରିଟି ବିକଳ୍ପ

କଂଗ୍ରେସର ଚିନ୍ତା ବଢାଉଛି ରାଜସ୍ଥାନ: ହାଇକମାଣ୍ଡଙ୍କ ନିକଟରେ ଚାରିଟି ବିକଳ୍ପ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ସଚିନ ପାଇଲଟ୍‌ଙ୍କ ମଧ୍ୟରେ ଉପୁଜିଥିବା ବିବାଦ ବର୍ତ୍ତମାନ କଂଗ୍ରେସ ପାଇଁ ଚିନ୍ତାର ବିଷୟ ପାଲଟିଛି । କଂଗ୍ରେସ ହାଇକମାଣ୍ଡ ଗୋଟିଏପଟେ ଗେହଲଟ୍‌ଙ୍କ ସଭାପତି ପ୍ରାର୍ଥିତ୍ୱକୁ ସମର୍ଥନ କରୁଥିବାବେଳେ ଅନ୍ୟପଟରେ ମୁଖ୍ୟମନ୍ତ୍ରୀ ପଦରେ ପାଇଲଟ୍‌ଙ୍କୁ ଅବସ୍ଥାପିତ କରିବେ ବୋଲି ପ୍ରତିଶ୍ରୁତି ଦେଇସାରିଛନ୍ତି । ତେଣୁ ପାଇଲଟ୍ ଗୋଷ୍ଠୀ ବର୍ତ୍ତମାନ ସକ୍ରିୟ ହୋଇପଡିଥିବାବେଳେ ଗେହଲଟ୍‌ଙ୍କ ସମର୍ଥକମାନେ କିନ୍ତୁ ଏହାକୁ ଦୃଢ ବିରୋଧ କରୁଛନ୍ତି । ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତି ସ୍ଥିତିକୁ ସମ୍ଭାଳିବାରେ ବିଫଳ ହେବାପରେ ବର୍ତ୍ତମାନ ହାଇକମାଣ୍ଡଙ୍କ ନିକଟରେ ୪ଟି ବିକଳ୍ପ ରହିଥିବା କୁହାଯାଇଛି ।

(୧) ଗେହଲଟ୍ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ନାରାଜ ଥିବାବେଳେ ପାଇଲଟ୍ ଏହି ପଦକୁ ଆଖେଇଛନ୍ତି । ଏକାସାଙ୍ଗରେ ସଭାପତି ଓ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାକୁ ଗେହଲଟ୍ ଯେଉଁ ଆଶା ପୋଷଣ କରିଛନ୍ତି, ତାହା ତୁଲାଇବା ତାଙ୍କ ପକ୍ଷରେ କଷ୍ଟକର ହୋଇପଡିବ ବୋଲି ମଧ୍ୟ ସେମାନେ ଆଶଙ୍କାବ୍ୟକ୍ତ କରିଛନ୍ତି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ସଭାପତି ପଦ ପାଇଁ ହାଇକମାଣ୍ଡ ଗେହଲଟ୍‌ଙ୍କ ପରିବର୍ତ୍ତେ ଅନ୍ୟ କୌଣସି ପ୍ରାର୍ଥୀଙ୍କୁ ମନୋନୀତ କରିବା ଉଚିତ ବୋଲି ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ।

(୨) ଯଦି ଗେହଲଟ୍‌ଙ୍କୁ ସଭାପତି ନିର୍ବାଚିତ କରାଯାଏ ଏବଂ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ତାଙ୍କୁ ବାଧ୍ୟ କରାଯାଏ ତେବେ ରାଜସ୍ଥାନରେ କଂଗ୍ରେସ ସରକାରର ପତନ ଅବଶ୍ୟମ୍ଭାବୀ ହୋଇପଡିବ ବୋଲି କୁହାଯାଉଛି । ତେଣୁ ଗେହଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ନହଟାଇବା ଶ୍ରେୟସ୍କର ବୋଲି ବିଶେଷଜ୍ଞମାନେ କହିଛନ୍ତି । ପୁନଶ୍ଚ ଗେହଲଟ୍ ମୁଖ୍ୟମନ୍ତ୍ରୀ ପଦରେ ତିଷ୍ଠିରହିଲେ, ଏହା ପ୍ରମାଣିତ ହେବ ଯେ ବିଧାୟକମାନେ ହାଇକମାଣ୍ଡଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ କରୁଛନ୍ତି ।

(୩) ଗେହଲଟ୍ ସଭାପତି ନିର୍ବାଚିତ ହେବାପରେ ଯଦି ପାଇଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଏ, ତେବେ ବିଦ୍ରୋହ ସୁନିଶ୍ଚିତ । ଏହି ପରିପ୍ରେକ୍ଷୀରେ ପାଇଲଟ୍‌ଙ୍କୁ ସମର୍ଥନ ଜଣାଇବା ପ୍ରସଙ୍ଗରେ ଦଳୀୟ ବିଧାୟକଙ୍କୁ ମନାଇବା ଦାୟିତ୍ୱ ହାଇକମାଣ୍ଡ ଗେହଲଟ୍‌ଙ୍କ ଉପରେ ନ୍ୟସ୍ତ କରିପାରନ୍ତି ।

(୪) ଶେଷରେ ସରକାର ବଞ୍ଚାଇବାକୁ ହେଲେ ହାଇକମାଣ୍ଡଙ୍କୁ ଜଣେ ନିରପେକ୍ଷ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ କରିବାକୁ ପଡିବ । ଏଭଳି ପ୍ରାର୍ଥୀଙ୍କୁ ଉଭୟ ଗେହଲଟ୍ ଓ ପାଇଲଟ୍ ଗୋଷ୍ଠୀ ସମର୍ଥନ କରୁଥିବେ । ପର୍ଯ୍ୟବେକ୍ଷକଙ୍କ ତରଫରୁ ଏଭଳି ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ହାଇକମାଣ୍ଡଙ୍କ ଆଗରେ ଉପସ୍ଥାପନ କରାଯାଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking