ନୂଆଦିଲ୍ଲୀ : ଆସନ୍ତା ୨୬ରେ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ନୂଆଦିଲ୍ଲୀର ରାଜପଥରେ ଭବ୍ୟ ପରେଡ୍ ଆୟୋଜିତ ହେବାକୁ ଯାଉଛି । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପରେଡ୍ ପରେ ଭାରତୀୟ ବାୟୁସେନା ପକ୍ଷରୁ ଲଢୁଆ ଜେଟ୍ ଓ ହେଲିକପ୍ଟରର ଫ୍ଲାଏପାଷ୍ଟ୍ (ଆକାଶରେ ରଣକୌଶଳ ପ୍ରଦର୍ଶନ) ଅନୁଷ୍ଠିତ ହେବ । ତେବେ ଏଥରର ଆକର୍ଷଣ ହେଉଛି ଫ୍ଲାଏପାଷ୍ଟରେ ମୋଟ ୭୫ଟି ଲଢୁଆ ଜେଟ୍ ଅଂଶଗ୍ରହଣ କରିବ ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି ।
ପରେଡ୍ ଇତିହାସରେ ଏହା ସବୁଠାରୁ ବୃହତ୍ ଫ୍ଲାଏପାଷ୍ଟ ଭାବେ ମାନ୍ୟତାଲାଭ କରିବାକୁ ଯାଉଛି । ସ୍ୱାଧିନତାପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଭାରତ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଛି । ଏଥିପାଇଁ ଫ୍ଲାଏପାଷ୍ଟରେ ୭୫ ବିମାନକୁ ସାମିଲ କରାଯାଉଛି । ପ୍ରାରମ୍ଭରେ ୪ଟି ଏମଆଇ-୧୭ ହେଲିକପ୍ଟରକୁ ନେଇ ‘ଧ୍ୱଜ୍’ ଫର୍ମେସନ, ଡାକୋଟା ଓ ଡ୍ରୋନିୟର ବିମାନକୁ ନେଇ ‘ଟାଙ୍ଗେଲ’ ଫର୍ମେସନ, ଚିନୁକ୍ ଓ ଏମଆଇ-୧୭ ହେଲିକପ୍ଟରକୁ ନେଇ ‘ମେଘନା’ ଫର୍ମେସନ, ପରବର୍ତ୍ତୀ ସମୟରେ ‘ରୁଦ୍ର’ ଓ ‘ରାହାତ୍’ ଫର୍ମେସନ ଏବଂ ଶେଷରେ ୭ଟି ଜାଗୁଆର ବିମାନକୁ ନେଇ ‘ଅମୃତ’ ଫର୍ମେସନ ସୃଷ୍ଟି କରାଯିବ ବୋଲି ବାୟୁସେନା ମୁଖପାତ୍ର ୱିଙ୍ଗ୍ କମାଣ୍ଡର ଇନ୍ଦ୍ରନିଲ ନନ୍ଦୀ ସୂଚନା ଦେଇଛନ୍ତି ।