34.1 C
Bhubaneswar
Thursday, April 25, 2024
Homeଓଡିଶାଛାତ୍ରାବାସ ନଥିଲେ ବିକଳ୍ପ ବ୍ୟବସ୍ଥା କରିବ କଲେଜ: ନାମଲେଖା ପୂର୍ବରୁ ଭିତ୍ତିଭୂମିର ହେବ ଯାଞ୍ଚ

ଛାତ୍ରାବାସ ନଥିଲେ ବିକଳ୍ପ ବ୍ୟବସ୍ଥା କରିବ କଲେଜ: ନାମଲେଖା ପୂର୍ବରୁ ଭିତ୍ତିଭୂମିର ହେବ ଯାଞ୍ଚ

ଭୁବନେଶ୍ୱର: ୨୦୨୨-୨୩ ଶିକ୍ଷାବର୍ଷ ଲାଗି ଉଭୟ +୨ ଏବଂ +୩ ନାମଲେଖା ପ୍ରକ୍ରିୟା ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏନେଇ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି । ରାଜ୍ୟରେ ୨୦୬୬ଟି +୨ ଜୁନିୟର କଲେଜ ଏବଂ ୧୦୨୫ଟି ଡିଗ୍ରୀ କଲେଜ ରହିଛି । ସେଥିରୁ +୨ ସ୍ତରରେ ୪୭୦ଟି ଘରୋଇ କଲେଜ ଏବଂ +୩ଡିଗ୍ରୀ କଲେଜରେ ୫ଟି ଘରୋଇ କଲେଜରେ ଶିକ୍ଷାଦାନ ବ୍ୟବସ୍ଥା ରହିଛି । ତେବେ ରାଜ୍ୟରେ ସରକାରୀ ଏବଂ ଅନୁଦାନ ପ୍ରାପ୍ତ ଜୁନିୟର କଲେଜଗୁଡିକ ମଧ୍ୟରୁ ପ୍ରାୟ ୬୦% କଲେଜରେ ଛାତ୍ରବାସ ସୁବିଧା ରହିଥିବା ବେଳେ ଡିଗ୍ରୀକଲେଜ ସ୍ତରରେ ମାତ୍ର ୪୫% କଲେଜରେ ଛାତ୍ରାବାସ ବ୍ୟବସ୍ଥା ରହିଛି ।

ତେଣୁ ଗତ କିଛି ବର୍ଷ ହେବ ନାମଲେଖା ଲାଗି ଦୂରଦୂରାନ୍ତରରୁ ପିଲାମାନେ ଆସୁଥିବାରୁ ଛାତ୍ରାବାସ ବ୍ୟବସ୍ଥା ନଥିବାରୁ ଅନେକ ପିଲା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଉଭୟ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗର ମିଳିତ ନିଷ୍ପତ୍ତି ଅନୁସାରେ ଚଳିତବର୍ଷ ନାମଲେଖା ପୂର୍ବରୁ ସମସ୍ତ କଲେଜର ଛାତ୍ରବାସ ବ୍ୟବସ୍ଥା ଏବଂ ଭିତ୍ତିଭୂମିକୁ ଯାଞ୍ଚ କରାଯିବ । ଫଳରେ ଛାତ୍ରଛାତ୍ରୀ ବିଶେଷକରି ଛାତ୍ରୀଙ୍କୁ ସୁରକ୍ଷା ଦେବାରେ ଏହା ବେଶ୍ ସହାୟକ ହୋଇପାରିବ । ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ୮ଟି ଜିଲ୍ଲାରେ ସର୍ବାଧିକ ରେସିଡେନ୍ସିଆଲ କଲେଜ ରହିଛି । +୨ ଲାଗି ଲକ୍ଷାଧିକ ଟଙ୍କା ଆଦାୟ କରୁଥିବା ଏହି କଲେଜ ପକ୍ଷରୁ ପିଲାଙ୍କୁ ରହିବା ସୁବିଧା ଦିଆଯାଇଥାଏ । ମାତ୍ର ଅନେକ ରେସିଡେନ୍ସିଆଲ କଲେଜର ଭିତ୍ତିିଭୂମି ଅତ୍ୟନ୍ତ ନିମ୍ନମାନର ରହିଥିବା ବେଳେ ଖାଇବା ତଥା ମୌଳିକ ବ୍ୟବସ୍ଥା ଅତ୍ୟନ୍ତ କଦର୍ଯ୍ୟ ବୋଲି ଅଭିଯୋଗ ହେଉଛି । ଏ ଦିଗରେ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ।

ତେବେ ଗତ ୫ବର୍ଷ ହେବ ରାଜ୍ୟରେ +୨ରେ ସିଟ୍ ସଂଖ୍ୟା ବୃଦ୍ଧି ପାଇଥିବାରୁ ଅନେକ ଗରିବ ମେଧାବୀଙ୍କ ସମେତ ମଧ୍ୟବିତ୍ତ ପରିବାର ପିଲାମାନେ ସରକାରୀ ନଚେତ ଅନୁଦାନ ପ୍ରାପ୍ତ କଲେଜରେ ନାମଲେଖାଇବାର ସୁଯୋଗ ପାଉଛନ୍ତି । ମାତ୍ର ଆବେଦନ ବ୍ୟବସ୍ଥା ଅନ୍‌ଲାଇନରେ ହେଉଥିବା ବେଳେ ନାମଲେଖା ପ୍ରକ୍ରିୟା ମଧ୍ୟ ଅନ୍‌ଲାଇନ୍‌ରେ ହେଉଛି । ଫଳରେ ପିଲାମାନେ ଘରଠାରୁ ବହୁ ଦୂରରେ ପଢ଼ିବାର ସୁଯୋଗ ପାଉଛନ୍ତି । ଅନ୍‌ଲାଇନ୍‌ରେ ଅନେକ କଲେଜରେ ଛାତ୍ରବାସ ରହିଥିବା କୁହାଯାଉଥିବା ବେଳେ ପକୃତପକ୍ଷେ ପିଲାମାନେ ବାହାରେ ଘରଭଡ଼ା ନେଇ ରହୁଛନ୍ତି । ଫଳରେ ଅନେକ ପିଲା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଛାତ୍ରୀମାନେ ଅଧିକ ଅସୁବିଧାରେ ପଡୁଛନ୍ତି । ଅନେକ ପିଲାଙ୍କ ଉପରେ କୌଣସି ଗାଇଡାନ୍ସ ରହୁନଥିବାରୁ ସେମାନେ ମଧ୍ୟ ନିଜ ଲକ୍ଷ୍ୟରୁ ଦୂରେଇ ଯାଉଛନ୍ତି । ରାଜ୍ୟରେ ସରକାରୀ ତଥା ଅନୁଦାନପ୍ରାପ୍ତ କଲେଜ(+୨)ରେ ମୋଟ୍ ଉପରେ ୧.୫ଲକ୍ଷ ପିଲାଙ୍କ ରହିବା ଲାଗି ଛାତ୍ରାବାସର ବ୍ୟବସ୍ଥା ରହିଥିବା ବେଳେ ପକୃତ ପକ୍ଷେ ଭିତ୍ତିଭୂମି ଅନୁସାରେ ୩୫ହଜାର ପିଲାମାନେ ରହୁଛନ୍ତି ।

ସେହିପରି ଡିଗ୍ରୀ କଲେଜରେ ମୋଟ୍ ଉପରେ ପ୍ରାୟ ୮୦ହଜାର ପିଲାଙ୍କ ଲାଗି ଛାତ୍ରାବାସ ରହିଥିବା ଉଲ୍ଲେଖ କରାଯାଇଥିବା ବେଳେ ୨୦ହଜାରରୁ କମ୍ ପିଲା ଛାତ୍ରାବାସରେ ରହୁଛନ୍ତି । ଅନେକ କଲେଜ ଛାତ୍ରାବାସ ଲାଗି ସରକାରଙ୍କ ଠାରୁ ଶାଗମାଛ ଦାମରେ ଜମି ପାଇଥିବା ବେଳେ ସେଠାରେ ହଷ୍ଟେଲ ନିର୍ମାଣ କରିନାହାନ୍ତି । ବାରମ୍ବାର ବିଭାଗ ପକ୍ଷରୁ ସେମାନଙ୍କୁ ଅବଗତ କରାଯାଇଥିବା ବେଳେ ଆଜି ସୁଦ୍ଧା +୨ସ୍ତରରେ ପ୍ରାୟ ୪୫% ଏବଂ ଡିଗ୍ରୀ ସ୍ତରରେ ୫୦% କଲେଜରେ ଛାତ୍ରାବାସ ସୁବିଧା ନାହିଁ । ସରକାରୀ କଲେଜରେ ଯଦିଓ ଛାତ୍ରାବାସ ବ୍ୟବସ୍ଥା ରହିଛି; ତାହା ସମୁଦ୍ରକୁ ଶଙ୍ଖେ ସଦୃଶ ।

ତେଣୁ ଚଳିତବର୍ଷ ନାମଲେଖା ପୂର୍ବରୁ ଘରୋଇ କଲେଜରେ ଛାତ୍ରାବାସ ଭିତ୍ତିଭୂମି ଯାଞ୍ଚ କରାଯାଇ ନାମଲେଖାଇବାକୁ ସୁଯୋଗ ଦିଆଯିବ। ସେହିପରି ଅନୁଦାନପ୍ରାପ୍ତ କଲେଜରେ ପକୃତପକ୍ଷେ କେତେ ହଷ୍ଟେଲ ରହିଛି ଏବଂ ସେଗୁଡିକ ଭିତ୍ତିଭୂମି କିପରି ରହିଛି; ତାହାର ସମ୍ପୂର୍ଣ୍ଣ ତଥ୍ୟ ଯାଞ୍ଚ କରିବା ପରେ ପିଲାଙ୍କୁ ରହିବା ଲାଗି ଅନୁମତି ଦିଆଯିବ । ସେହିପରି ଯେଉଁ କଲେଜରେ ଛାତ୍ରାବାସ ବ୍ୟବସ୍ଥାକୁ ନେଇ ବିଭିନ୍ନ ଅଭିଯୋଗ ରହିଛି ସମ୍ପୃକ୍ତ କଲେଜରେ ପିଲାଙ୍କ ରହିବା ଲାଗି ବିକଳ୍ପ ବ୍ୟବସ୍ଥା କଲେଜ କର୍ତ୍ତୃପକ୍ଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking