ମୟୂରଭଞ୍ଜ : ଡାକ୍ତରଖାନାରେ ମୃତ ଘୋଷିତ ଛୁଆ ଶ୍ମଶାନରୁ ଜୀବିତ ଫେରିଲା। ଯାହା ଏବେ ଡାକ୍ତରଖାନା କତ୍ତୃପକ୍ଷଙ୍କ ଦାୟିତ୍ବହୀନତାକୁ ପଦାରେ ପକାଇଛି। ସେବା ନାମରେ ଚାଲିଛି ମନମାନି। ହେଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ସରକାର ବିଫଳ। ତେବେ ସେବା ନାମରେ ଶୋଷଣକୁନେଇ ବିଭିନ୍ନ ସମୟରେ କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନାରେ ଚାଲିଥିବା ଅବ୍ୟବସ୍ଥା ଅଭିଯୋଗକୁ ପୁଣି ପ୍ରମାଣିତ କରୁଛି। ଜୀବିତ ଛୁଆକୁ ମୃତ ଘୋଷଣା କଲେ ମେଡିକାଲ କର୍ତ୍ତୃପକ୍ଷ। ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ଚିକିତ୍ସାଲୟରେ ।
ଗତକାଲି ଦିନ ୨ଟା ୦୬ ମିନିଟ ସମୟରେ ସ୍ୱାମୀ ସୁନିଆ ମୁଣ୍ଡାଙ୍କ ପତ୍ନୀ ରାଇମଣି ମୁଣ୍ଡାଙ୍କ ଔରସରୁ କରଂଜିଆ ଉପଖଣ୍ଡ ଚିକିତ୍ସାଲୟରେ ଜନ୍ମ ନେଇଥିବା ଏକ ଶିଶୁଙ୍କୁ ମେଡ଼ିକାଲ କର୍ତ୍ତୃପକ୍ଷ ମୃତ୍ୟୁ ଘୋଷଣା କରିବା ସହିତ ଏକ ବ୍ୟାଗରେ ପୁରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଏହାପରେ ମୃତ ଶିଶୁଙ୍କ ପରିବାର ଛୁଆକୁ ନେଇ ନିଜ ପୈତୃକ ଗ୍ରାମ କେନ୍ଦୁଝର ଜିଲ୍ଲାର ଖଡିକାପଦା ଗ୍ରାମରେ ମାଟିଖୋଳି ମାଟିତୋଳେ ପୋତିବା ପାଇଁ ଯାଉଥିବା ବେଳେ ଛୁଆଟି କାନ୍ଦିଥିଲା ।
ଫଳରେ ପରିବାର ଲୋକେ ପୁଣି ଛୁଆକୁ ଧରି ଆବଶ୍ୟକ ଚିକିତ୍ସା ପାଇଁ କରଂଜିଆ ଉପଖଣ୍ଡ ଚିକିତ୍ସାଲୟକୁ ଆଣିଛନ୍ତି। ତେବେ ଏପରି ଦାଇତ୍ଵହୀନ କାର୍ଯ୍ୟ କରିଥିବା କର୍ମଚାରୀ ଏବଂ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକଙ୍କ ସହ ସ୍ଥାନୀୟ ଅଞ୍ଚଳବାସୀ।ତେବେ ଏସମ୍ପର୍କରେ କରଂଜିଆ ଉପଖଣ୍ଡ ଚିକିତ୍ସାଲୟର କର୍ମଚାରୀ କିମ୍ବା ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳି ପାରିନି । ଅନ୍ୟପଟେ ଏହି ଗୁରୁଚଣ୍ଡାଳ ତ୍ରୁଟି ପାଇଁ ସରକାର ଆଗକୁ କି ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା।