40.1 C
Bhubaneswar
Wednesday, April 24, 2024
Homeଓଡିଶାନୂଆପଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆପଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆପଡା : ନୂଆପଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଆଜି ନୂଆପଡା ଆସି ମୁଁ ବହୁତ ଖୁସି। ଏହି ଅବସରରେ ଆପଣମାନଙ୍କୁ ମୋର ଜୁହାର । ସ୍ଵାଧୀନତା ସଂଗ୍ରାମରେ ନୂଆପଡାର ବହୁତ ବଡ ଭୂମିକା ଥିଲା । ବିଶେଷ କରି ଆମର ମା’ ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ବ୍ରିଟିଶ ଶାସନର ଅନ୍ୟାୟ ବିରୁଦ୍ଧରେ ସେମାନଙ୍କ ସଂଗ୍ରାମର ତୁଳନା ନାହିଁ।ନୂଆପଡା ଭେଲା ଗାଁ ର ମା’ ମାନଙ୍କ ସଂଗ୍ରାମ ଆଜି ବି ସମସ୍ତଙ୍କୁ ପ୍ରେରଣା ଦେଉଛି । ଏହି ଅବସରରେ ସେହି ସଂଗ୍ରାମୀ ମା’ ମାନଙ୍କୁ ମୋର ପ୍ରଣାମ ଜଣାଉଛି । ଆପଣ ଜାଣନ୍ତି ୨୦୨୨ ରେ ଆମେ ସ୍ଵାଧୀନତାର ୭୫ ବର୍ଷ ପାଳନ କରୁଛୁ । ଭେଲାର ସଂଗ୍ରାମୀମାନଙ୍କୁ ସମ୍ମାନ ଜଣାଇ ସେଠାରେ ଏକ ସୁନ୍ଦର ସ୍ମାରକୀ କରାଯିବ ।
୧୯୯୩ ରେ ବିଜୁବାବୁ ନୁଆପଡାକୁ ଏକ ସ୍ଵତନ୍ତ୍ର ଜିଲ୍ଲା ଘୋଷଣା କଲେ । ସେତେବେଳେ କିଛି ଲୋକ ତାଙ୍କୁ ପ୍ରଶ୍ନ କରିଥିଲେ ଯେ ଆପଣ ଏତେ ଛୋଟ ଅଞ୍ଚଳକୁ କାହିଁକି ଜିଲ୍ଲା କଲେ ? ସେତେବେଳେ ବିଜୁବାବୁ କହିଥିଲେ, “ନୂଆପଡା ଓଡିଶା ମା’ ର ସବୁଠାରୁ ସାନ ପିଲା । ସେ ପୁଣି ଦୂରରେ ଅଛି । ସବୁ ବାପା ମା’ ଯେପରି ଦୂରରେ ଥିବା ପିଲାକୁ ଅଧିକ ଭଲ ପାଆନ୍ତି , ମୁ ମଧ୍ୟ ସେପରି ନୂଆପଦକୁ ସ୍ଵତନ୍ତ୍ର ଧ୍ୟାନ ଦେଉଛି” ।
ଆଜି ନୂଆପଡା ର ରୂପାନ୍ତର କୁ ଆପଣମାନେ ଦେଖି ପାରୁଛନ୍ତି । ଅନୁଭବ କରିପାରୁଛନ୍ତି । ବିଜୁ ଏକ୍ସପ୍ରେସ ୱେ ରେ ସବୁଠାରୁ ଅଧିକ ଲାଭ ପାଇଛି ନୂଆପଡା । ୬୮୦ କୋଟି ଟଙ୍କାରେ ୧୩୨ କି.ମି ରାସ୍ତା କେବଳ ନୂଆପଡାରେ ହିଁ ହୋଇଛି । ନୂଆପଡା ର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ରାଜ୍ୟର ବଡ ବଡ ସହରର ହସ୍ପିଟାଲ ମାନଙ୍କଠାରୁ କିଛି କମ ନୁହେଁ ।


ସେହିପରି ଗତ ଦଶ ବର୍ଷ ଭିତରେ ଆମେ ହଜାର ହଜାର ଶିଶୁଙ୍କ ଜୀବନ ବଞ୍ଚାଇ ପାରିଛୁ । ନୂଆପଡା ରେ ଶିଶୁ ମୃତ୍ୟୁ ହାର ବହୁତ କମିଛି । ମା ମାନଙ୍କ ଜୀବନ ବଞ୍ଚାଇବାରେ ମଧ୍ୟ ନୂଆପଡା ବହୁତ ଭଲ କାମ କରିଛି ।
ନୂଆପଡାର ପାଣି ରେ ରହିଛି ଫ୍ଲୋରାଇଡ୍ ର ସମସ୍ଯା। ଏହା ହେଉଛି ଜିଲ୍ଲା ବାସୀଙ୍କ ବଡ ସମସ୍ଯା । ଫ୍ଲୋରାଇଡ୍ ପଣି ଦ୍ଵାରା ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ । ଭଲ ପିଇବା ପାଣି ପାଇଁ ମା ମାନଙ୍କୁ ମାଇଲ ମାଇଲ ବାଟ ଚାଲିବାକୁ ପଡୁଥିଲା । ଏଥିପାଇଁ ମୋତେ ବହୁତ ଦୁଃଖ ଲାଗୁଥିଲା । ଆଜି ନୂଆପଡାର 55 ପ୍ରତିଶତ ଘରକୁ ଆମେ ପାଇପ ପାଣି ଦେଇ ପାରିଛୁ । 1000 ରୁ ଅଧିକ ଫ୍ଲୋରାଇଡ
ଅପସାରଣ ପ୍ଲାଣ୍ଟ ସଂସ୍ଥାପନ କରାଯାଇଛି । 900 ରୁ ଅଧିକ ଗାଁ କୁ ଫ୍ଲୋରାଇଡ୍ ସମସ୍ଯା ରୁ ୧୦୦ ପ୍ରତିଶତ ମୁକ୍ତ କରାଯାଇ ପାରିଛି । କେବଳ ସେତିକି ନୁହେଁ ନୂଆପଡାର ଏକ ଲକ୍ଷ ପରିବାରକୁ ପାଇପ ପାଣି ର ସୁବିଧା ମଧ୍ୟ ଦିଆ ଯାଇଛି । ୨୦୨୨ ସୁଧା ନୂଆପଡା ର ସବୁ ପରିବାରକୁ 100 ପ୍ରତିଶତ ପାଇପପାଣି ଯୋଗାଇ ଦିଆଯିବ । ଏଥିପାଇଁ ୭୦୦ କୋଟି ଟଙ୍କାର ୨୦୫ ଟି ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଓ ଗୋଟିଏ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କାମ ଚାଲିଛି ।
ଏବେ ମୁଁ ଲୋୟର ଇନ୍ଦ୍ର ପ୍ରକଳ୍ପକୁ ଆସିବି । ଏ ପ୍ରକଳ୍ପ ସାରା ରାଜ୍ୟ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପ । ଏ ପ୍ରକଳ୍ପ ପାଇଁ ଜମି ଦେଇଥିବା ସବୁ ଲୋକଙ୍କୁ ସେମାନଙ୍କ ତ୍ୟାଗ ପାଇଁ ଧନ୍ୟବାଦ ଜଣାଉଛି । ଆପଣ ମାନଙ୍କ ତ୍ୟାଗ ପାଇଁ ନୂଆପଡା ର କୋମନା, ଖଡିଆଳ ଓ ବଲାଙ୍ଗିର ର ବଙ୍ଗୋମୁଣ୍ଡା, ମୁରିବାହାଲ ଓ ଟିଟିଲାଗଡ ବ୍ଲକ ର 200 ଟି ଗାଁ ର ୧,୮୦,୦୦୦ ଲୋକ ଉପକାର ପାଇବେ ।


ଆପଣ ଜାଣନ୍ତି ନୂଆପଡାରେ ୨୨୦ କୋଟି ଟଙ୍କାର ମେଗା ଉଠା ଜଳସେଚନ ପ୍ରକଳ୍ପ ଏବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ । ଏହାଦ୍ବାରା କୋମନା, ନୂଆପଡା, ସିନାପାଲୀ ଓ ବୋଡେନ ଅଞ୍ଚଳର ୧୮୦୦୦ ଏକର ରୁ ଅଧିକ ଜମିକୁ ପାଣି ମିଳିପାରିବ । ଲୋୟର ଇନ୍ଦ୍ର ପ୍ରକଳ୍ପ ଅଣ୍ଡରଗ୍ରାଉଣ୍ଡ ପାଇପଲାଇନ ଟେକ୍ନୋଲୋଜି ରେ ହୋଇଛି । ତେଣୁ ଏହି ପ୍ରକଳ୍ପରୁ ଆଉ 7500 ଏକର ଜମିକୁ ପାଣି ଯୋଗାଇଦେବା ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଁ ଘୋଷଣା କରୁଛି ।
ନୂଆପଡା ଥିଲା ଚିର ମରୁଡି ଅଞ୍ଚଳ । ଆଜି ଏଠାରେ ନୂଆ ସବୁଜିମା ସୃଷ୍ଟି ହେଉଛି । । ଆଜି ନୂଆପଡା ବିକାଶର ନୂଆ ଇତିହାସ ଲେଖୁଛି । ବିକାଶର ଏ ଯାତ୍ରାରେ ଆପଣମାନଙ୍କ ଅବଦାନ ରହିଛି ।ନୂଆପଡାରେ ଜଳସେଚନ ସୁବିଧା ବଢିଛି । ନୂଆପଡାରେ ଜଳସେଚନ ସୁବିଧା 54 ପ୍ରତିଶତ ବଢିଛି ଜିଲ୍ଲା ଦେଢ ଲକ୍ଷ ଏକର ଜମିକୁ ଆଜି ପାଣି ସୁବିଧା ମିଳିଛି । ଧାନ ଉତ୍ପାଦନ ବଢିଛି । କପା ଚାଷ , ମକା ଚାଷ ମଧ୍ୟ ବଢିଛି ।
ଲୋୟର ଇନ୍ଦ୍ର ଡ୍ୟାମ୍ ସାଇଟ୍ରେ ଏକ ବିଜ୍ଞାନ ପାର୍କ ଓ ସଂଗ୍ରହାଳୟ କରାଯିବ ବୋଲି ମୁଁ ଘୋଷଣା କରୁଛି । ଏଥିରେ 3 କୋଟି ଟଙ୍କା ଖର୍ଚ୍ଚ ହେବ । ପିଲାମାନଙ୍କ ଭିତରେ ବିଜ୍ଞାନ ପ୍ରତି ଆଗ୍ରହ ବଢିବ । ଜଳ ସଂରକ୍ଷଣ ପାଇଁ ସଚେତନତା ମଧ୍ୟ ସୃଷ୍ଟି ହେବ ।
ଓଡିଶା ଆଜି କ୍ରୀଡା କ୍ଷେତ୍ରରେ ବହୁତ ଆଗକୁ ଯାଇଛି । ରାଜ୍ୟରେ କ୍ରୀଡା କାର୍ଯ୍ୟକଳାପ ସହିତ ନୂଆପଡା ଯୋଡି ହେବ । ସେହିପରି ନୂଆପଡା ଓ ଖଡିଆଳ ଏ ଦୁଇ ଜାଗାରେ ଦୁଇଟି ଇନଡୋର ଷ୍ଟାଡିୟମ୍ କରାଯିବ । ଖଡିଆଳ ସ୍ୱୟଂଶାସିତ କଲେଜରେ କ୍ରୀଡା ସୁବିଧା ର ବିକାଶ କରାଯିବ । ଏହା ଜିଲ୍ଲାର ଖେଳ ଭିତ୍ତିଭୂମିକୁ ମଜଭୁତ କରିବ ଓ ଯୁବକ ଯୁବତୀ ମାନଙ୍କ ପ୍ରତିଭାର ବିକାଶରେ ସହାୟକ ହେବ।
ବିଜୁବାବୁଙ୍କର ସେଦିନର ସାନ ପିଲା ”ନୂଆପଡା” ଆଜି ବଡ ହୋଇଛି । ସଶକ୍ତ ହୋଇଛି । ସବୁଜ ହୋଇଛି । ଓଡିଶାର ବିକାଶ ଯାତ୍ରାରେ ନିଜ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏଥିପାଇଁ ମୁଁ ବହୁତ ଖୁସି । ନୂଆପଡା ରେ ବିକାଶର ଏ ଧାରା ଆହୁରି ଆଗକୁ ବଢିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking