37.1 C
Bhubaneswar
Thursday, March 28, 2024
Homeଓଡିଶାବଣ୍ଡାଙ୍କୁ ବିପଦ ଜଳବାୟୁ ପରିବର୍ତ୍ତନ: ଉଜୁଡିଯାଉଛି ପାରମ୍ପରିକ ଚାଷ

ବଣ୍ଡାଙ୍କୁ ବିପଦ ଜଳବାୟୁ ପରିବର୍ତ୍ତନ: ଉଜୁଡିଯାଉଛି ପାରମ୍ପରିକ ଚାଷ

ଭୁବନେଶ୍ୱର: ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱରେ ମୁଖ୍ୟ ସମସ୍ୟା ଭାବେ ଦଣ୍ଡାୟମାନ ହୋଇଛି । ଜୀବ ଜଗତର ଜୀବନଶୈଳୀକୁ ଏହା ବହୁଧା ପ୍ରଭାବିତ କରୁଛି । ବିଶେଷକରି ଜଳବାୟୁ ପରିବର୍ତ୍ତନ ଯୋଗୁ ଜଙ୍ଗଲ ତଥା ପାହାଡ଼ ଉପରେ ବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ଜନଜାତି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କର ଜିବନଶୈଳୀରେ ଅନେକ ପରିବର୍ତ୍ତନ ଘଟିଛି । ଯଦି ଓଡ଼ିଶାରେ ଜଳବାୟୁ ପରିବର୍ତ୍ତନର ସ୍ଥିତିକୁ ଅନୁଧ୍ୟାନ କରାଯାଏ ତେବେ ଏହାର ପ୍ରଭାବ ଜଙ୍ଗଲ ତଥା ପାହାଡ଼ିବାସିନ୍ଦାଙ୍କ ଉପରେ ସିଧାସଳଖ ପଡୁଥିବା ଦେଖିବାକୁ ମିଳିଛି । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ମାଲକାନଗିରି ଜିଲ୍ଲାର ବଣ୍ଡା ସମ୍ପ୍ରଦାୟର ଜନଜାତି । ଏହି ଜନଜାତିର ଲୋକ ରାଜ୍ୟରେ ଥିବା ୧୩ଟି ସ୍ୱତନ୍ତ୍ର ଆଦିମ ଜନଜାତି ସମ୍ପ୍ରଦାୟ ମଧ୍ୟରୁ ଅନ୍ୟତମ । ୨୦୧୧ ଜନଗଣନା ଅନୁସାରେ ପ୍ରାୟ ୧୨,୩୨୧ ବଣ୍ଡା ରାଜ୍ୟର ୩୨ଟି ପାହାଡ଼ି ଗ୍ରାମରେ ବସବାସ କରୁଛନ୍ତି । ଦେଶର ପଛୁଆ ୧୦୦ଟି ଜିଲ୍ଲା ମଧ୍ୟରୁ ମାଲକାନଗିରି ଅନ୍ୟତମ ।

କୁହାଯାଏ ପ୍ରାୟ ୬୦ହଜାର ବର୍ଷ ପୂର୍ବରୁ ଆଫ୍ରିକାର ଅଷ୍ଟ୍ରୋ ଆସିଆଣ୍ଟିକ ଜାତି ସମ୍ପ୍ରଦାୟର ଲୋକଙ୍କ ସହ ବଣ୍ଡା ସମ୍ପ୍ରଦାୟ ଲୋକଙ୍କ ସମ୍ପର୍କ ରହିଛି । ଜଙ୍ଗଲ ଏବଂ ବଣ ପାହାଡ଼ରେ ଏହି ଜନଜାତି ପିଢ଼ି ପରେ ପିଢ଼ି ବସବାସ କରୁଆସୁଛନ୍ତି । ଖାଦ୍ୟ ପାଇଁ ସେମାନେ ମଧ୍ୟ ପାରପାମ୍ପରିକ ଚାଷ ଉପରେ ନିର୍ଭର କରିଥାନ୍ତି । ଜଙ୍ଗଲଜାତ ଶସ୍ୟ ସଂଗ୍ରହ କରିବା ସହ କିଛି ନିର୍ଦ୍ଦିଷ୍ଟ ଫସଲ ସେମାନେ ଉପାର୍ଜନ କରିଥାନ୍ତି । ମାତ୍ର ଜଳବାୟୁ ପରିବର୍ତ୍ତର ପ୍ରଭାବ ସିଧାସଳଖ ସେମାନଙ୍କ ଚାଷ ଉପରେ ପଡୁଛି । ଅଦିନିଆ ତଥା ଅତ୍ୟଧିକ ବର୍ଷା ଯୋଗୁ ପାହାଡ଼ରେ ଭୂସ୍ପଳନ ହେବା ଦ୍ୱାରା ବାଜରା ଓ ଯଅ ଜାତୀୟ ଫସଲ ସବୁ ନଷ୍ଟ ହୋଇଯାଉଛି । ବିଶେଷକରି ବାଜରା, ଯଅକୁ ମୁଖ୍ୟ ଖାଦ୍ୟ ଭାବେ ଗ୍ରହଣ କରୁଥିବା ଏହି ସମ୍ପ୍ରଦାୟର ଲୋକେ ଆଜି ଧାନ ଚାଷ କରିବାକୁ ବାଧ୍ୟ ହେଉଛନ୍ତି ।

ଫଳରେ ସେମାନଙ୍କର ମୁଖ୍ୟଖାଦ୍ୟ ବିଶେଷ ଭାବରେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ବଣ୍ଡା ମହିଳାମାନେ ବର୍ତ୍ତମାନର ସ୍ଥିତିକୁ ଦେଖି କିଛିମାତ୍ରାରେ ବାଜରା, ଯଅ ଭଳି ଶସ୍ୟ ସଂଗ୍ରହ କରୁଛନ୍ତି; ଯାହା ସେମାନଙ୍କୁ ସଠିକ ପୋଷଣ ଦେବାରେ କିଛିମାତ୍ରାରେ ସହାୟକ ହୋଇପାରିଛି । ଏଭଳି ସ୍ଥିତିରେ ବଣ୍ଡା ଲୋକଙ୍କୁ ‘ଓଡ଼ିଶା ମିଲେଟ ମିଶନ’ ସମ୍ପର୍କରେ କିଛି ସ୍ୱେଚ୍ଛାସେବୀ ସଂଗଠନ ତଥା ଏନ୍‌ଜିଓ ପକ୍ଷରୁ ଅବଗତ କରାଯାଉଥିବା ବେଳେ ଜଳବାୟୁ ପରିବର୍ତ୍ତନ ମଧ୍ୟରେ କିଭଳି ଭାବେ ଚାଷ କରିହେବ ସେ ସମ୍ପର୍କରେ ଆଗୁଆ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ତେବେ ୨୦୨୦ ନିତି ଆୟୋଗ ରିପୋର୍ଟ ଅନୁସାରେ ୨୦୧୬-୧୭ରେ ଚାଷୀପିଛା ବାଜରା ଜାତୀୟ ଫସଲର ମୂଲ୍ୟ ୩,୯୫୭ଟଙ୍କା ଥିବା ବେଳେ ୨୦୧୮-୧୯ରେ ଏହା ୧୨ହଜାର ୪୮୬କୁ ବୃଦ୍ଧି ହୋଇଛି । ଅର୍ଥାତ୍ ମୋଟ ମୂଲ୍ୟ ୨୧୫% ବୃଦ୍ଧି ପାଇଛି ।

ଏହି ସମୟ ମଧ୍ୟରେ ପୂର୍ବରୁ ୨୯୪୯ ହେକ୍ଟର ଜମିରେ ବାଜରା ଜାତୀୟ ଚାଷ କରାଯାଉଥିବା ବେଳେ ଏହା ୧୨୦% ବୃଦ୍ଧି ପାଇ ଏବେ ୫୧୮୨ ହେକ୍ଟର ଜମିରେ ପହଞ୍ôଚଛି । ଜମିରେ ବିଭିନ୍ନ କିସମର ଶସ୍ୟ ଉତ୍ପାଦନ କରିବାକୁ ଆଗ୍ରହ ରଖିଥିବା ଏହି ଜନଜାତି ବର୍ଷା, ବନ୍ୟା ଦ୍ୱାରା ନିଜର ଲକ୍ଷ୍ୟରୁ ଦୂରେଇ ଯାଇଛନ୍ତି ବୋଲି ବାଉଁଶପଦା ଗ୍ରାମର ବାସିନ୍ଦା ବୁଦ୍ଧବାରୀ ମାନ୍ଦ୍ରା କହିଛନ୍ତି । ସେ କହିଛନ୍ତି ଯେ, ଅଦିନିଆ ବର୍ଷା, ବାତ୍ୟା, ବନ୍ୟା ଯୋଗୁଁ ସେମାନଙ୍କର ଚାଷ ସଠିକ ଭାବେ ହୋଇପାରୁନାହିଁ । ତେଣୁ ସେମାନେ କମ୍ ସମୟରେ ଅମଳ ପାଇଁ ଚାଷରେ ବିଭିନ୍ନ ରାସାୟନିକ ପ୍ରୟୋଗ କରିବା ସହ ହାଇବ୍ରିଡ ମଞ୍ଜି ବୁଣୁଛନ୍ତି; ଯାହାର ପ୍ରଭାବ ମଧ୍ୟ ପୋଷଣ ଉପରେ ପଡୁଛି । ରାଜ୍ୟରେ ଯଦି ବର୍ଷାର ହାରାହାରି ସ୍ଥିତିକୁ ଅନୁଧ୍ୟାନ କରାଯାଏ ତେବେ ମୋଟ ଉପରେ ୧୪୫୧.୨ମିମି ବର୍ଷା ହେଉଥିବା ବେଳେ ମାଲକାନଗିରିରେ ସର୍ବାଧିକ ୧୬୬୭.୬ମିମି ହେଉଛି ।

ସେହିପରି ସଞ୍ଜିତା ମାନ୍ଦ୍ର।। କହିଛନ୍ତି ଯେ ବାଜରା ହେଉଛି ସେମାନଙ୍କର ମୁଖ୍ୟ ଖାଦ୍ୟ । ବିଭିନ୍ନ କିସମର ବାଜରା ରହିଛି । ବିଭିନ୍ନ ବାଜରାର ସ୍ୱାଦ ଭିନ୍ନ । ମାତ୍ର ଏସବୁ ସେମାନଙ୍କୁ ଉତ୍ତାମ ପୋଷଣ ଯୋଗାଇବାରେ ସହାୟକ ହୋଇଥାଏ । ଚାଷ ଲାଗି ସେମାନେ ଏପ୍ରିଲ-ମେ’ମାସରେ ଜମି ପ୍ରସ୍ତୁତ କରିଥାନ୍ତି । ଜମି ପ୍ରସ୍ତୁତ ସମୟରେ ସେମାନେ କୌଣସି ଫଳ କିମ୍ବା ଔଷଧି ବୃକ୍ଷକୁ କାଟି ନଥାନ୍ତି । ବର୍ଷା ଦିନେ ଶସ୍ୟ ବୁଣିଥାନ୍ତି ଏବଂ ନଭେମ୍ବରରୁ ଜାନୁଆରୀ ମଧ୍ୟରେ ଅମଳ କରିଥାନ୍ତି । ସେହିପରି ଜିଲ୍ଲା ସଂଯୋଜକ ରାମ୍ୟା ରଞ୍ଜନ ପରିଡ଼ା କହିଛନ୍ତି ଯେ ଅନ୍ୟ ଶସ୍ୟ ଠାରୁ ବାଜରା ଚାଷର ଅନେକ ସୁବିଧା ରହିଛି । ବିଶେଷକରି ବାଜରା ୬୦% କମ୍ ପାଣି ଆବଶ୍ୟକ କରିଥାଏ। ସେହିପରି ଧାନ ତଥା ଅନ୍ୟ ଶସ୍ୟ ୧୨୦ରୁ ୧୫୦ ଦିନରେ ଅମଳ କରାଯାଉଥିବା ବେଳେ ବାଜରା ଜାତୀୟ ଶସ୍ୟ ମାତ୍ର ୭୦ରୁ ୧୦୦ଦିନ ମଧ୍ୟମରେ ଅମଳ ହୋଇଥାଏ; ଯାହା ବେଶ ଲାଭ ଦାୟକ । ୨୦୧୫-୧୬ ରେ ମାଲକାନଗିରିରେ ୫ ବର୍ଷରୁ କମ ପିଲା ପୋଷଣ ଅଭାବରୁ ସେମାନଙ୍କର ଓଜନ କମ ରହିଥିଲା; ଯାହା ଏନ୍‌ଏଫ୍‌ଏଚ୍‌ଏସ୍ ରିପୋର୍ଟରୁ ଜଣାପଡ଼ିଛି ।

ତେବେ କୁପୋଷଣ କ୍ଷେତ୍ରରେ ଦେଶର ୧୦୦ ଜିଲ୍ଲା ମଧ୍ୟରୁ ମାଲକାନଗିରି ତୃତୀୟ ସ୍ଥାନରେ ରହିଥିଲା । ସେହିପରି ରାଜ୍ୟରେ ଶିଶୁ ମୃତ୍ୟୁ ହାରରେ ପ୍ରତି ୧୦୦୦ରେ ୧ବର୍ଷ ବୟର ପିଲାଙ୍କ ସଂଖ୍ୟା ୪୧ ରହିଥିବା ବେଳେ ମାଲକାନଗିରିରେ ଏହି ସଂକ୍ୟା ୫୦ ରହିଥିବା ସୂଚନା ଅଧିକାରଙ୍କ ତଥ୍ୟରୁ ସ୍ପଷ୍ଟ ହୋଇଛି । ଏପରିକି ସମସ୍ୟାର ସମାଧାନ ଲାଗି ରାଜ୍ୟ ସରକାର ୨୦୧୭ ମସିହାରେ ଓଡ଼ିଶା ମିଲେଟ ମିଶନ ଯୋଜାନା ଆରମ୍ଭ କରିଥିଲେ । କୃଷି ଏବଂ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଆଦିବିସୀ ଅଞ୍ଚଳରେ ୫ବର୍ଷିିଆ ଯୋଜାନା କରାଯାଇଥିଲା । ଯେଉଁଥିରେ ବାଜରା ଜାତୀୟ ଫସଲ ଅମଳରେ ବୃଦ୍ଧି ଆଣିବା ସହ କୃଷକଙ୍କୁ ସର୍ବନିମ୍ନ ସହାୟକ ଅର୍ଥରାଶୀ ଯୋଗାଇବା, ଉନ୍ନତ ବିହନ ଯୋଗାଇବା, ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସୁଧାର ଆଣିବା ଥିଲା ଏହାର ମୁଖ୍ୟ ଲକ୍ଷ୍ୟ ।

ଫଳରେ ବାଜରା ଅମଳରେ ମୋଟ ଉପରେ ୨୧୫% ବୃଦ୍ଧି ହୋଇଥିବା ଜଣାପଡିଥିଲା । ୨୦୨୦-୨୧ରେ ରାଜ୍ୟ ସରକାର ଓଡ଼ିଶା ବାଜରା ମିଶନ ଲାଗି ଅନୁଦାନ ୬୫.୫୪କୋଟିରୁ ୫୩୬.୯୮କୋଟିକୁ ବୃଦ୍ଧି କରିଥିଲେ । ସେଥିରୁ ୨୨୩.୯୨କୋଟି ଯୋଜନା କାର୍ଯ୍ୟକାରୀତା ପାଇଁ ଏବଂ ୩୧୩.୦୬ କୋଟି ଟଙ୍କା ମାଣ୍ଡିଆ ଉତ୍ପାଦନ ଏବଂ ପିଡିଏସ୍ ଓ ଆଇସିଡିଏସ୍ ମାଧ୍ୟମରେ ବଣ୍ଟନ ପାଇଁ ଦିଆଯାଇଥିଲା । ତେଣୁ ରାଜ୍ୟ ପୋଷଣ ଯୋଜନାରେ ରାସନକାର୍ଡ ଥିବା ହିତାଧିକାରୀଙ୍କୁ ମାସିକ ୨କେଜି ମାଣ୍ଡିଆ ଯୋଗାଇ ଦିଆଯାଇଥିଲା । ଫଳରେ ରାଜ୍ୟରେ ୧୪ଟି ଜିଲ୍ଲାରେ ଏହାଦ୍ୱାରା ୫ ନିୟୁତ ହତାଧିକାରୀ ଉପକୃତ ହୋଇପାରିଥିଲେ ।

ଚାଷରେ ବିକାଶ ଆଣିବା ଲାଗି ମଧ୍ୟ ଫାଉଣ୍ଟେସନ ପକ୍ଷରୁ ଓଏମ୍‌ଏମ୍ ଏବଂ ୱାସନ ସଂସ୍ଥାର ମିଳିତ ସହଯୋଗରେ ପାରମ୍ପରିକ ପଦ୍ଧତିରେ ଚାଷ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ମାଲକାନଗିରିର ୭ଟି ପଞ୍ଚାୟତ ଯଥା ଗୋବିନ୍ଦପାଲି, ଖଇରପୁଟ, ରାସବେଡା, ପୋଡ଼ଘାଟ, ଗୁମ୍ମା, ପରଙ୍କମଲ, କଡମଗୁଡାରେ ବାଜରା ଚାଷ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା । ତେବେ ଲୋକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ଲାଗି ପ୍ରତିବର୍ଷ ଫୁଡ ଫେଷ୍ଟିଭାଲର ଆୟୋଜନ କରାଯାଉଛି । ସେହିପରି ବାଜରାରେ ବିଭିନ୍ନ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତି କରାଯାଉଛି ବୋଲି ମଧ୍ୟମ ଫାଉଣ୍ଡେସନର ଖଇରପୁଟ ସଂଯୋଜକ ସନ୍ତୋଷ କୁମାର ବେହେରା କହିଛନ୍ତି । ଖୁସୀର ବିଷୟ ଗତକାଲି ରାଜ୍ୟ ସରକାର ମିଲେଟ ମିଶନର ଅବଧି ଆଉ ୬ ବର୍ଷ ବୃଦ୍ଧି କରି ୨୮୦୮.୩୯ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଫଳରେ ଆଦିବାସୀ ଅଞ୍ଚଳର ଲୋକମାନେ ଏହାଦ୍ୱାରା ଯଥେଷ୍ଟ ଉପକୃତ ହୋଇପାରିବେ ।

ସେହିପରି ମଞ୍ଜି ବା ବିହନ ଅଭାବ ଦୂରକରିବା ଲାଗି ଓଏମ୍‌ଏମ୍ ପକ୍ଷରୁ ଗରୁତ୍ୱ ଦିଆଯାଇଛି । ଆସନ୍ତା ବର୍ଷ ଲାଗି କିପରି ମଞ୍ଜି ସଂରକ୍ଷଣ କରାଯିବ ସେଥିଲାଗି ଲୋକଙ୍କୁ ସଚେତନ କରାଯାଉଛି । ଏଥିଲାଗି ୧୪ଟି ଜିଲ୍ଲାରେ ଗୋଷ୍ଠୀ ଦ୍ୱାରା ପରିଚାଳିତ ବିହନ ସଂଗ୍ରହ କେନ୍ଦ୍ର ବ୍ୟବସ୍ଥା କରାଯାଇଛି । ଯେଉଁଠାରେ ଚାଷୀମାନେ ସେମାନଙ୍କର ବିହନ ସଂରକ୍ଷିତ ରଖୁଛନ୍ତି । ବିଶେଷକରି ଉନ୍ନତ ମାନର ମଞ୍ଜି ପ୍ରସ୍ତୁତ କରିବାକୁ ପ୍ରଶିକ୍ଷଣ ଦିଆଯାଉଛି । ଏହି ପ୍ରକ୍ରିୟାରେ ମହିଳାଙ୍କ ବିଶେଷ ଗୁରୁତ୍ୱ ରହୁଛି । ମଞ୍ଜି ଚିହ୍ନଟ, ସଂଗ୍ରହ ଓ ସଂରକ୍ଷଣ କରିବା ଦାୟିତ୍ୱରେ ମହିଳାଙ୍କୁ ନିୟୋଜନ କରାଯାଇଛି ।

ତେବେ ୨୦୧୮ରୁ ୨୦୨୨ ମଧ୍ୟରେ ୩୯୨.୬୬ କ୍ୟୁଣ୍ଟାଲ ଶସ୍ୟ ସଂରକ୍ଷିତ ରଖାଯାଇଥିବା ବେଳେ ସେଥିରୁ ୧୫୫.୯୫ କ୍ୟୁଣ୍ଟାଲ ଚାଷୀଙ୍କୁ ବଣ୍ଟା ଯାଇଥିବା କୋରାପୁଟ ଦଶମନ୍ତପୁରୁ ଆସିଷ୍ଟାଣ୍ଟ ଏଗ୍ରିକଲଚର ଅଫିସର ତାପସ ଚନ୍ଦ୍ର ରାଏ କହିଛନ୍ତି । ଓଏମ୍‌ଏମ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଥିବା ବେଳେ ବାଜରା ଚାଷକୁ ଅଧିକ ପ୍ରୋତ୍ସାହନ ଦେବା ଲାଗି ଜାତୀୟସ୍ତରରେ ରପ୍ତାନୀ, ବିକ୍ରି ଲାଗି ମାର୍କେଟ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଥିବା ୱାସନର ସଦସ୍ୟା ଅସୀମା ଚୌଧୂରୀ କହିଛନ୍ତି । ବଜାରା ଅଧିକ ପୋଷଣଯୁକ୍ତ ହୋଇଥିବାରୁ ଏହାକୁ ମଧ୍ୟାହ୍ଣଭୋଜନରେ ପିଲାଙ୍କୁ ଦିଆଯାଉଛି । ଏନେଇ ଚାଷୀଙ୍କୁ ଅଧିକ ପ୍ରଶିକ୍ଷଣ ଦେବା ସହ ଯୁବଗୋଷ୍ଟୀଙ୍କୁ ମଧ୍ୟ ଚାଷ ଲାଗି ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଜଳବାୟୁ ପରିବର୍ତ୍ତନ ସତ୍ତ୍ୱେ ବାଜରା ଚାଷ ମାଧ୍ୟମରେ ଅଧିକ ବିକାଶ ଆଣିବା ଲାଗି ଆଜି ସବୁ ସ୍ତରରେ ଉଦ୍ୟମ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking