ଗୁଜୁରାଟ: ଗୁଜୁରାଟରେ ଘଟିଛି ଏକ ଅଭାବନୀୟ ଘଟଣା। ଦଶମ ଶ୍ରେଣୀ ଛାତ୍ରୀ ସ୍କୁଲର ଚତୁର୍ଥ ମହଲାରୁ ଡେଇଁ କଲେ ଆତ୍ମହତ୍ୟା। କ୍ୟାମେରାରେ କଏଦ ହେଲା ଭିଡିଓ। ଗୁଜୁରାଟର ଅହମଦାବାଦରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ସ୍କୁଲର ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଗୁରୁତର ଆହତ ଛାତ୍ରୀଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଚିକିତ୍ସା ସମୟରେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏହି ଯନ୍ତ୍ରଣାଦାୟକ ଘଟଣା ସ୍କୁଲରେ ଲାଗିଥିବା ସିସିଟିଭି କ୍ୟାମେରାରେ ମଧ୍ୟ କଏଦ ହୋଇଛି। ପୋଲିସ ଫୁଟେଜ୍ ତଦନ୍ତ ପାଇଁ ପଠାଇଛି। ଏହି ଘଟଣାଟି ନଭରଙ୍ଗପୁରା ଅଞ୍ଚଳରେ ଥିବା ସୋମ ଲଳିତ ସ୍କୁଲରେ ଘଟିଛି। ଗୁରୁବାର ଘଟିଥିବା ଏହି ଦୁଃଖଦ ଘଟଣା ସମସ୍ତଙ୍କୁ ଚକିତ କରିଛି। ସ୍କୁଲର ସିସିଟିଭି ଫୁଟେଜରୁ ଜଣାପଡୁଛି ଯେ ଛାତ୍ରୀ ଜଣକ ଦିନ ପ୍ରାୟ ସାଢ଼େ ୧୨ଟା ସମୟରେ ଲବିରେ ଚାବି ଘୂରାଇ ଘୁରାଇ ଯାଉଥିଲେ।
ତା’ପରେ ହଠାତ୍ ସେ ରେଲିଂ ଉପରେ ଚଢି ତଳକୁ ଡେଇଁ ପଡ଼ିଲେ। ଝିଅଟି ଡେଇଁବା ପରେ ସ୍କୁଲରେ ବହୁତ ଚିତ୍କାର ହୋଇଥିଲା। ଶ୍ରେଣୀରୁ ଛାତ୍ରଛାତ୍ରୀମାନେ ରେଲିଂ ଆଡକୁ ଦୌଡ଼ିଥିଲେ। ଶିକ୍ଷକ ମଧ୍ୟ ବାହାରକୁ ଆସିଥିଲେ। କିନ୍ତୁ କେହି କିଛି ବୁଝିପାରିଲେ ନାହିଁ। ଡେଇଁବା ପରେ, ଝିଅଟି ମୁଣ୍ଡରେ ଗଭୀର ଆଘାତ ଲାଗିବା ସହିତ ହାତ ଏବଂ ଗୋଡ ଭାଙ୍ଗିଯାଇଥିଲା। ଝିଅଟିକୁ ତୁରନ୍ତ ନିକଟସ୍ଥ ନିଧି ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ତାକୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ପରେ ପରିବାର ଲୋକ ତାକୁ ଥଲତେଜର ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ, କିନ୍ତୁ ଚିକିତ୍ସା ସମୟରେ ତା’ର ମୃତ୍ୟୁ ହୋଇଥିଲା। ପୁଲିସ କହିବା ଅନୁସାରେ, ଝିଅଟିର ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଆମେ ଘଟଣା ବିଷୟରେ ଅଧିକ ସୂଚନା ସଂଗ୍ରହ କରୁଛୁ।










