35.1 C
Bhubaneswar
Tuesday, April 23, 2024
Homeଓଡିଶାଠିକାଦାରଙ୍କ ମନମାନୀ, ବିଷାକ୍ତ ପାଣି ଘେରରେ ୨ଶହ ପରିବାର

ଠିକାଦାରଙ୍କ ମନମାନୀ, ବିଷାକ୍ତ ପାଣି ଘେରରେ ୨ଶହ ପରିବାର

ଚୌଦ୍ୱାର : ଚୌଦ୍ୱାର ପୌରପାଳିକା ୧୭ନମ୍ବର ୱାର୍ଡର ୨ଶହ ପରିବାରଙ୍କ ପାଇଁ ଦୁଃଖର କାରଣ ପାଲଟିଛି ଘରୋଇ କମ୍ପାନୀ-ଜାତୀୟ ରାଜପଥ ଠିକାଦାରଙ୍କ ଅସାଧୁମେଣ୍ଟ । ଠିକାଦାରଙ୍କ ମନମାନୀ ଯୋଗୁଁ ଏହି ୱାର୍ଡର ଧୂମାବତୀ ବିହାର, ଶ୍ରୀସାଇ ବିହାର ଅଞ୍ଚଳ ଏବେ ବର୍ଷାଜଳ ଓ ଘରୋଇ କମ୍ପାନୀରୁ ନିର୍ଗତ ବିଷାକ୍ତ ପାଣି ଘେରରେ ରହିଛି । ପାଣି ଜମି କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି କରୁଛି । ଅଞ୍ଚଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି । ଏନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରୁଥିଲେ ବି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି । ଏନେଇ ଆଜି ଆନ୍ଦୋଳନ କରିବା ସହ ସ୍ମାରକପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି ।

ଜାତୀୟ ରାଜପଥ ୫୫ର ରାସ୍ତାର ଉତ୍ତର ପାଶ୍ୱର୍ରେ ଚୌଦ୍ୱାର କଲେଜ ନିକଟସ୍ଥ ସୁଇପର କଲୋନୀ, ଶ୍ରୀ ସାଇବିହାର ଓ ଧୂମାବତୀ ବିହାରରେ ଶତାଧିକ ପରିବାର ରହିଥାନ୍ତି । ବର୍ଷାହେଲେ ନିର୍ଗତ ଜଳ ଓ ଘରୋଇ କମ୍ପାନୀରୁ ବାହାରୁଥିବା ବିଷାକ୍ତ ଜଳ ଜାତୀୟ ରାଜପଥ ସମ୍ପ୍ରାସାରଣ ପୂର୍ବରୁ ରାସ୍ତାର ଉତ୍ତର ପଟେ ପ୍ରାକୃତିକଭାବେ ନିର୍ଗତ ହୋଇ କାର୍ଗିଲ ପେଟ୍ରୋଲ ପମ୍ପ ଓ ଧୂମାବତୀ ମନ୍ଦିର ନିକଟରେ ଥିବା କଲଭର୍ଟ ଦ୍ୱାରା ନିଷ୍କାସିତ ହୋଇ ଅପର ପାଶ୍ୱର୍କୁ ଯାଇଥାଏ । ହେଲେ ରାଜପଥ କାର୍ଯ୍ୟ କରୁଥିବା ଠିକାଦାର କାର୍ଗିଲ ପେଟ୍ରୋଲ ପମ୍ପ ପୂର୍ବରୁ ଥିବା କଲଭର୍ଟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ଧୂମାବତୀ କଲଭର୍ଟର ଗୋଟିଏ ପାଶ୍ୱର୍କୁ ବନ୍ଦ କରିଦେଇଛନ୍ତି । ଏବେ ସାମାନ୍ୟ ବର୍ଷା ହେଲେ ପାଣି ଗୁଡ଼ିକ ନିଷ୍କାସିତ ହୋଇନପାରି ସୁଇପର କଲୋନୀ, ଶ୍ରୀ ସାଇ ବିହାର ଓ ଧୂମାବତୀ ବିହାର ବସତି ମଧ୍ୟରେ ଜମିରହୁଛି ।

ଅନ୍ୟପକ୍ଷେ ସାମାନ୍ୟ ବର୍ଷାହେଲେ କାରଖାନା କର୍ତ୍ତୃପକ୍ଷ ସମସ୍ତ ବିଷାକ୍ତ ପାଣିକୁ କଳିଙ୍ଗ ପେଟ୍ରୋଲ ପମ୍ପ ଓ ତାରିଣୀ ବିହାର ନିକଟରେ ଡ୍ରେନ ଦ୍ୱାରା ବାହାରକୁ ଛାଡ଼ିଦେଇଥାନ୍ତି । ଗତ କିଛିଦିନ ହେଲା ଏହି ବିଷାକ୍ତ ପାଣି ଜମା ହୋଇ ଜଳାଶୟର ଭ୍ରମ ସୃଷ୍ଟି କରୁଛି । ପାଣି ଅତ୍ୟନ୍ତ ଦୁର୍ଗନ୍ଧ ହେବା ସହ ସମସ୍ତ କୂଅ ଗୁଡ଼ିକର ଜଳ ନଷ୍ଟ ହୋଇ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି । ସମ୍ପ୍ରସାରଣ କାର୍ଯ୍ୟ ପୂର୍ବରୁ ଠିକାଦାରଙ୍କୁ ସ୍ଥାନୀୟ ବାସିନ୍ଦାମାନେ ନିଷ୍କାସନ ବ୍ୟବସ୍ଥା କରି ନୂତନ ରାସ୍ତା ନିର୍ମାଣ କରିବାକୁ କହିଥିଲେ । ଠିକାଦାର ଏହାକୁ ବେଖାତିର କରି ନିର୍ଦ୍ଦିଷ୍ଟ କେତେଜଣ ବ୍ୟବସାୟୀଙ୍କ ସ୍ୱାର୍ଥ ପାଇଁ ଶହଶହ ପରିବାରକୁ ବିପଦ ମୁହଁକୁ ଠେଲି ଦେଇଥିବା ଅଭିଯୋଗ ହେଉଛି ।

ଏ ସଂକ୍ରାନ୍ତରେ ସ୍ଥାନୀୟ ବାସିନ୍ଦା ଚୌଦ୍ୱାର ଥାନାରେ ଠିକାଦାରଙ୍କ ନାମରେ ଏତଲା ମଧ୍ୟ ଦେଇଛନ୍ତି । ପୁଲିସ କିଛି ନବୁଝିବାରୁ ସ୍ଥାନୀୟ ବାସିନ୍ଦାମାନେ ପୌରାଧିକାରୀ ପବିତ୍ର ବେହେରାଙ୍କୁ ଭେଟି ସ୍ମାରକପତ୍ର ଦେବା ସହ ସମସ୍ୟାର ସମାଧାନ ପାଇଁ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ବାସିନ୍ଦା ରାଜପଥ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking