28.1 C
Bhubaneswar
Friday, March 29, 2024
Homeଓଡିଶାହଜିଗଲା ମାନବିକତା : ଜେଲ୍ ଆଗରେ ରାତିସାରା ପଡ଼ିରହିଲେ ୨ଅସୁସ୍ଥ ବ୍ୟକ୍ତି

ହଜିଗଲା ମାନବିକତା : ଜେଲ୍ ଆଗରେ ରାତିସାରା ପଡ଼ିରହିଲେ ୨ଅସୁସ୍ଥ ବ୍ୟକ୍ତି

ଚୌଦ୍ୱାର : ଏବେ ଗୃହ ବିଭାଗର ସମସ୍ତ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ବିବେଚନା କରାଯାଉଛି ସେମାନଙ୍କ ତ୍ୟାଗପୂର୍ଣ୍ଣ କାର୍ଯ୍ୟପାଇଁ । ହେଲେ ଚୌଦ୍ୱାର ଜେଲ୍ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ ପାଖରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜେଲରୁ ମୁକୁଳିଥିବା ୨ଜଣ ଗୁରୁତର ଅସୁସ୍ଥ ଲୋକଙ୍କୁ ଗେଟ୍ ବାହାରେ ରାତି ତମାମ୍ ଛାଡ଼ି ଦେଇ ସମସ୍ତ କର୍ମଚାରୀ ନିଶ୍ଚିନ୍ତରେ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୁରୀ ଜିଲ୍ଲା ଚନ୍ଦନପୁର ଥାନା ବଡନରସିଂହପୁର ଗ୍ରାମର ବିମଳ କୁମାର ମିଶ୍ର ଓ ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ସୋରିଗଣ୍ଡା ଗ୍ରାମର ଶମ୍ଭୁ ପ୍ରଧାନ ବୁଧବାର ସନ୍ଧ୍ୟାରେ ଜେଲରୁ ଛାଡ଼ ପାଇଥିଲେ । ବିମଳ ଗୁରୁତର ଅସୁସ୍ଥ ଥାଇ ତାଙ୍କର ପରିସ୍ରାନଳୀ ଲାଗିଥିବା ଅବସ୍ଥାରେ ବାହାରିଥିଲେ । ସେ ମାନସିକ ଅବସାଦ ମଧ୍ୟରେ ମଧ୍ୟ ଥିଲେ ।
ସେହିପରି ଶମ୍ଭୁ ପ୍ରଧାନଙ୍କ ଗୋଡ଼ରେ ଘା’ ହୋଇ ଚାଲିବା ଅବସ୍ଥାରେ ନଥିଲେ । କଥା ମଧ୍ୟ କହିପାରୁନଥାନ୍ତି । ଏଭଳି ଦୁଇଜଣ ଗୁରୁତର ରୋଗୀଙ୍କୁ ଜେଲ କର୍ତ୍ତୃପକ୍ଷ ଜେଲ ଗେଟ୍ ବାହାରେ ଛାଡ଼ିଦେଇ ତାଙ୍କର କର୍ତ୍ତବ୍ୟ ସାରିଦେଇଥିଲେ । ଦୁଇଜଣ ଯାକ ଜେଲ ଫାଟକ ନିକଟରେ ଥିବା ପ୍ରତୀକ୍ଷା ଗୃହରେ ରାତିସାରା ପଡ଼ିରହିଥିଲେ । ଘଟଣାସ୍ଥଳରେ ଆର୍ନ୍ତଜାତିକ ମାନବଅଧିକାର ପରିଷଦର ରାଜ୍ୟ ସଭାପତି ସସ୍ମିତା ଦାସ, ସଭ୍ୟ ଦୀପକ ସାମନ୍ତରାୟ ଖବର ପାଇ ସେଠାରେ ପହଂଚିଥିଲେ । ସେମାନେ ସେ ଦୁଇଜଣଙ୍କ ସମ୍ପର୍କରେ ବୁଝିବାପରେ ତାଙ୍କୁ ଖାଇବାକୁ ଦେଇଥିଲେ । ପରେ ୧୦୮ ଆମ୍ବୁଲାନ୍ସ ଡକାଇ ଉଭୟଙ୍କୁ କଟକ ଏସସିବି ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିଲେ ।
ଏପରିକି ଆମ୍ବୁଲାନ୍ସକୁ ନେବାପାଇଁ ମଧ୍ୟ କୌଣସି ଜେଲ କର୍ମଚାରୀ ସହାୟତା କରିନଥିଲେ । ରାତିସାରା ୨ଜଣ ବ୍ୟକ୍ତି ଜେଲ ଫାଟକ ଆଗରେ ପଡିରହିଥିଲେ ମଧ୍ୟ ଚୌଦ୍ୱାର ପୁଲିସ ଜାଣିନପାରିବା ଦୁଃଖର ବିଷୟ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ଏ ସମ୍ପର୍କରେ ଜେଲ ଅଧୀକ୍ଷକ ଶୁଭଙ୍କର ମିଶ୍ରଙ୍କୁ ପଚାରିବାରୁ ସେ ଏହା ତାଙ୍କର କର୍ତ୍ତୃତ୍ୱ ବାହାରେ ବୋଲି କହିଥିଲେ । ତେବେ ଏହି ଦୁଇଜଣ ଗୁରୁତର ବ୍ୟକ୍ତିଙ୍କର ଯଦି କିଛି ଅଘଟଣ ଘଟିଥାନ୍ତା କିଏ ଦାୟୀ ହୋଇଥାନ୍ତେ ଏ ପ୍ରଶ୍ନ ଏବେ ସାଧାରଣରେ ଉଙ୍କିମାରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking