27.8 C
Bhubaneswar
Wednesday, April 17, 2024
Homeଓଡିଶାନବଜାତ ଶିଶୁକୁ କୋଭିଡରୁ ସୁସ୍ଥ କଲେ ସମ୍ ଅଲ୍ଟିମେଟ ମେଡିକେୟାରର ଡାକ୍ତର

ନବଜାତ ଶିଶୁକୁ କୋଭିଡରୁ ସୁସ୍ଥ କଲେ ସମ୍ ଅଲ୍ଟିମେଟ ମେଡିକେୟାରର ଡାକ୍ତର

ଭୁବନେଶ୍ୱର : କୋଭିଡ୍ ପଜିଟିଭ୍ ମା’ଙ୍କ ଠାରୁ ଜନ୍ମ ଗ୍ରହଣ କରିବା ପରେ କରୋନା ସଂକ୍ରମିତ ହୋଇଥିବା ମାତ୍ର ୧ ସପ୍ତାହର ନବଜାତ ଶିଶୁକୁ ସୁସ୍ଥ କଲେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତର ।
ଏକ ଘରୋଇ ଡାକ୍ତରଖାନାରେ ଜନ୍ମନେଇଥିବା ଶିଶୁଟି ମାଙ୍କ ଠାରୁ କୋଭିଡ ସଂକ୍ରମିତ ହୋଇ ଗୁରୁତର ଅବସ୍ଥାରେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତି ହୋଇଥିଲା । ଡାକ୍ତରମାନେ ତାର ଜୀବନ ରକ୍ଷା କରିବା ପାଇଁ ଆପ୍ରାଣ ଉଦ୍ୟମ କରିବା ସହ ଉତମ ଚିକିତ୍ସା ପ୍ରଦାନ କରି ଶିଶୁଟିକୁ ସୁସ୍ଥ କରିପାରିଛନ୍ତି ।
୩୩ ସପ୍ତାହ ଗର୍ଭବତୀ ଥିବା କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିବା ମା ଠାରୁ ଶିଶୁଟି ଜନ୍ମ ଗ୍ରହଣ କରିଥିଲା । ଶିଶୁଟି ଜନ୍ମହେବାପରେ କାନ୍ଦିଥିଲା ଏବଂ ତାକୁ ମା ନିକଟକୁ ଅଣାଯାଇଥିଲା । ତେବେ ଏହାର ଦ୍ୱିତୀୟ ଦିନରେ ମା’ଙ୍କର ଅବସ୍ଥା ଗୁରୁତର ହୋଇପଡ଼ିଥିଲା, ସେପଟେ ଶିଶୁଟି ମଧ୍ୟ ଅସୁସ୍ଥ ହେବା ସହ ତାକୁ ନିଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହୋଇଥିଲା ଏବଂ ତାକୁ ତୁରନ୍ତ ଏନଆଇସିୟୁରେ ଭର୍ତି କରାଯାଇଥିଲା ।
ମା’ କୁ ତୁରନ୍ତ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତି କରାଯାଇ ଭେଂଟିଲେଟରରେ ରଖାଯାଇଥିଲା । ଶିଶୁଟିର ଅବସ୍ଥା ମଧ୍ୟ ଗୁରୁତର ହୋଇପଡ଼ିବାରୁ ତାକୁ ମଧ୍ୟ ସମ୍ ଅଲ୍ଟିମେଟ୍ ଅଣାଯାଇଥିଲା । ହସ୍ପିଟାଲର ପେଡିୟାଟ୍ରିକ ଓ ନିଓନଟୋଲୋଜି ବିଭାଗର ଆସୋସିଏଟ କନସଲଟାଂଟ ଡ. ବିଚିତ୍ରାନନ୍ଦ ରାଉତ ଏବଂ ତାଙ୍କ ଟିମ୍ ଶିଶୁଟିର ଚିକିତ୍ସା ଆରମ୍ଭ କରିବା ସହ ପରୀକ୍ଷା ନିରୀକ୍ଷା କରିଥିଲେ । ତେବେ କୋଭିଡ ସଂକ୍ରମଣ ହେବାପରେ ଶିଶୁମାନଙ୍କ କ୍ଷେତ୍ରରେ ନିଓନାଟାଲ ମଲ୍ଟିସିଷ୍ଟମ ଇନଫ୍ଲାମାଟୋରୀ ସିଣ୍ଡ୍ରୋମ ଭଳି ବିରଳ ଅବସ୍ଥା ଏହି ଶିଶୁଠାରେ ଦେଖାଦେଇଥିବା ଜଣାପଡ଼ିଥିଲା ।
ପ୍ରାୟତଃ ନବଜାତ କୋଭିଡ ସଂକ୍ରମିତ ଶିଶୁମାନଙ୍କ କ୍ଷେତ୍ରରେ କୌଣସି ଲକ୍ଷଣ ଦେଖାଯାଇନଥାଏ ଅଥବା ସାମାନ୍ୟ ଲକ୍ଷଣ ସୃଷ୍ଟି ହୋଇଥାଏ । ତେବେ ଅତ୍ୟଧିକ ଲକ୍ଷଣ ଅଥବା ନିଓନାଟାଲ ଏମଆଇଏସସି ଦେଖାଯିବା ଖୁବ୍ ବିରଳ ବୋଲି ଡାକ୍ତର ରାଉତ କହିଛନ୍ତି । ଶିଶୁଟି ଉତମ ଚିକିତ୍ସା ପାଇବା ପରେ ମାତ୍ର ଦୁଇ ଦିନ ମଧ୍ୟରେ ହସ୍ପିଟାଲରୁ ଡିସଚାର୍ଜ ହେବାରେ ସକ୍ଷମ ହୋଇଛି । ଚିକିତ୍ସା କରିବାର ଦ୍ୱିତୀୟ ଦିନରେ ହିଁ ଶିଶୁଟି ଖାଦ୍ୟ ଖାଇପାରିଥିଲାବୋଲି ଡାକ୍ତର ରାଉତ କହିଛନ୍ତି ।
ସୂଚନାଯୋଗ୍ୟ ଯେ ଶିଶୁଟିର ମା’ଙ୍କର ସ୍ୱାସ୍ଥ୍ୟାବସ୍ଥାରେ ମଧ୍ୟ ସୁଧାର ଆସୁଛି ଏବଂ ବର୍ତମାନ ତାଙ୍କୁ ଭେଂଟିଲେଟରରୁ ବାହାରକୁ ଅଣାଯାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking