ପାଠ ବଦଳରେ ପେଟ ଚିନ୍ତା

ଗଞ୍ଜାମ : ପାଠପଢା ଓ ଖେଳକୁଦ ବୟସରେ ପେଟ ଚିନ୍ତା, କାନ୍ଧରେ ବହି ବସ୍ତାନୀ ବଦଳରେ ହାତରେ ଭିକ୍ଷାଥାଳି । କଲମ ଧରିବା ହାତରେ ମାଗୁଛନ୍ତି ଲୋକଙ୍କୁ ନିଜ ପାଇଁ ଭିକ୍ଷା, ଏଭଳି ହତଭାଗ୍ୟ ଶିଶୁଙ୍କୁ ନା ମିଳିପାରୁଛି ଶିକ୍ଷା ନା ଅଧିକାର ଦେଖୁଛନ୍ତି ସୁନେଲି ଭବିଷ୍ୟତର ସ୍ୱପ୍ନ । ଶିକ୍ଷା ଆଲୋକ ଦେଖିବା ପୂର୍ବରୁ ଅନିଶ୍ଚିତ ଓ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି ଏହି ଅଭିଶପ୍ତ କୋମଳମତି ଶିଶୁଙ୍କ ଭାଗ୍ୟ ଓ ଭବିଷ୍ୟତ ।
ଗଞ୍ଜାମ ଜିଲ୍ଲା ଶେରଗଡ ବଜାର ମଧ୍ୟରେ ଏମିତି ଶିଶୁଙ୍କୁ ରାସ୍ତାକଡ, ବଜାର ସାହି ଗଳିରେ ଭିକ୍ଷାବୃତ୍ତି କରୁଥିବା ଦେଖିବାକୁ ମିଳୁଛି । ଶୀତ ରାତିରେ ଏହିଭଳି ବହୁ ଶିଶୁ ଓ ସେମାନଙ୍କ ପରିବାରର ଠିକଣା ପାଲଟିଛି ଫୁଟପାଥ । ସେଇଠି ଖାଇବା ଓ ଖୋଲା ଆକାଶ ତଳେ କଟୁଛି ଏହି ଶିଶୁମାନଙ୍କ ଜୀବନ । ସାରାଦିନ ପରିଶ୍ରମ ପରେ ସନ୍ଧ୍ୟାରେ ସଡକ ଉପରେ ଦେହ ଓ ମନ ହାଲୁକା କରିବାକୁ ଚାଲିଯାଉଛନ୍ତି ଆବାଳ ବୃଦ୍ଧବନିତା । ଏହିଭଳି ଦୃଶ୍ୟ ଦେଖିବା ପାଇଁ ରାଜପଥରେ ଯାଉଥିବା ପଥଚାରୀଙ୍କୁ କିଛି ସମୟ ଅଟକାଇ ଦେଉଛି । ତେବେ ଖୋଲା ଆକାଶ ତଳେ ମୁଣ୍ଡ ଗୁଞ୍ଜିଥିବା ଏହି ଶିଶୁ ଏବଂ ଏମାନଙ୍କ ପରିବାର ଆମ ରାଜ୍ୟର ନୁହନ୍ତି କି ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ଏମାନଙ୍କ ଦୁର୍ଗତି ପାଇଁ ଉତ୍ତରଦାୟୀ ନୁହନ୍ତି କି ? ଏହି ପରିବାର ପେଟ ପାଟଣା ପାଇଁ ବାହାର ରାଜ୍ୟରୁ ଆସି ଡେରା ପକାଇଛନ୍ତି । ଏହି ବନଜାର ମାନଙ୍କୁ ମିଳୁନି କାମ ଓ ସେମାନଙ୍କ ଶିଶୁ ବିଦ୍ୟାଳୟ ମାଟି ମାଡିପାରନ୍ତି ନାହିଁ । ବର୍ଷତମାମ ଏଣେତେଣେ ଘୂରି ବୁଲି ପେଟ ପାଇଁ ମୁଠାଏ ଦାନା ଯୋଗାଡ କରିବା କାଠିକର ପାଠ ହୋଇଯାଉଛି । ପାଠ ତ ଦୂରର କଥା,ଏହି ଶିଶୁମାନେ ଜୀବନ ରକ୍ଷାକାରୀ ଟୀକାକରଣରୁ ବଞ୍ଚିତ ରହୁଛନ୍ତି । ପୋଲିଓ, ମିଳିମିଳା ଓ ବର୍ତ୍ତମାନର ରୁବେଲା ଟୀକା ମଧ୍ୟ ପାଇପାରୁନାହାନ୍ତି, କେବଳ ଦିନରେ ପେଶା ଓ ରାତିରେ ନିଶା ଏମାନଙ୍କ ପାଇଁ ସର୍ବସ୍ୱ ପାଲଟିଛି । ଅପରପକ୍ଷେ ରାଜ୍ୟ ବାହାରର ଅନେକ ଅଜଣା ଆଗନ୍ତୁକ ଶେରଗଡ ଓ ଏହାର ଆଖପାଖ ଅଞ୍ଚଳରେ ବିଭିନ୍ନ ଫନ୍ଦିଫିକର କରି ଚଳୁଥିବା ବେଳେ ସ୍ଥାନୀୟ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ଓ ପୋଲିସ ନିକଟରେ ଏମାନଙ୍କର ବିସ୍ତୃତ ତଥ୍ୟ ରହିବା ନିତାନ୍ତ ଜରୁରୀ ନଚେତ ଭବିଷ୍ୟତରେ ଏମାନଙ୍କ ଦ୍ୱାରା କୌଣସି ଅଘଟଣ ଆଶଙ୍କାକୁ ଏଡାଇ ଦିଆଯାଇପାରିବ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି ।