40.1 C
Bhubaneswar
Thursday, April 25, 2024
Homeଓଡିଶାଅନିଶ୍ଚିତତା ମଧ୍ୟରେ ବାପା ଛେଉଣ୍ଡ ଦୁଇ ଭାଇ ଭଉଣୀଙ୍କ ଭବିଷ୍ୟତ

ଅନିଶ୍ଚିତତା ମଧ୍ୟରେ ବାପା ଛେଉଣ୍ଡ ଦୁଇ ଭାଇ ଭଉଣୀଙ୍କ ଭବିଷ୍ୟତ

ଧର୍ମଗଡ : ଏବେ ବି ଲୋକଙ୍କ ମନରୁ ଅନ୍ଧ ବିଶ୍ୱାସ ଦୂର ହୋଇନି । ସେହି ଅନ୍ଧି ବିଶ୍ୱାସ ମଧ୍ୟରେ ବୁଡି ରହିଛନ୍ତି ଲୋକେ । ତେବେ ଗରିବ ଶ୍ରେଣୀର ପରିବାରଙ୍କ ମଧ୍ୟରେ ଦୁଃଖ ଦୁର୍ଦଶା ସବୁବେଳେ ଲାଗି ରହିଥାଏ । କେବେ ଗୋଟେ ଓଳି ଖାଇବାକୁ ପାଇଲେ ଆର ଓଳିକୁ ଖାଇବାକୁ ନଥାଏ । ଏବଂ କେଉଁଠି ମୂଲ ଲାଗି ଦି ପଇସା ରୋଜଗାର କରିଥାଆନ୍ତି ତ କେଉଁଠି କାହା ଘରେ ବାସନ ମାଜି ଦି ପଇସା ରୋଜଗାର କରି ପେଟ ପୋଷିଥାଆନ୍ତି । କେବେ କେବେ ଛୋଟ ପିଲାମାନେ ସମସ୍ତଙ୍କୁ ଚିହ୍ନିବା ଆଗରୁ ବାପା ,ମା’ ଛେଉଣ୍ଡ ହୋଇ ଥାଆନ୍ତି ତ କେବେ ବାପାଙ୍କ ପରିଚୟ ପାଇବା ଆଗରୁ ବାପାଙ୍କୁ ହରାଇଥାଆନ୍ତି । ଏ ହେଉଛି ବିଧାତାର ବଡ ବିଡମ୍ବନା । ତେବେ ଏଭଳି ଏକ ହୃଦୟ ବିଦାରକ ଘଟଣା ଧର୍ମଗଡ ବ୍ଲକର ଛଞ୍ଚାଣ ବାହାଲି ବେହେରା ଗୁଡା ଅଞ୍ଚଳରେ ଦେଖିବାକୁ ମିଳିଛି । ନିହାତି ଗରିବ ଶ୍ରେଣୀର ହୋଇଥିବାରୁ ଉପଯୁକ୍ତ ଚିକିତ୍ସା ଅଭାବରୁ ମାତ୍ର ୪୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । ଏବେ ବାପ ଛେଉଣ୍ଡ ଦୁଇ କୁନି ପୁଅ ଝିଅଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯାଇଛି । ତେବେ ସୁବାସଙ୍କୁ କୁଷ୍ଠ ରୋଗ ହୋଇଥିଲା ବୋଲି ସାହି ଭାଇ କେହି ଶବକୁ କାନ୍ଧ ଦେଇନଥିଲେ । ସାଇକେଲରେ କୋକେଇ ବାନ୍ଧି ସଂପର୍କିୟ ଭାଇ ଓ କକା ମିଶି ତାଙ୍କ ଶବ ସତ୍କାର କରି ପୋତି ଦେଇଥିଲେ ।
ସୂଚନା ଅନୁସାରେ, ଗତ ୧୭ ତାରିଖରେ ବେହେରାଗୁଡା ଗାଁର ସୁବାସ ଦରୱାନଙ୍କର ମୃତ୍ୟୁ ହୋଇଥିଲା । ପ୍ରାୟ ୪ ବର୍ଷ ତଳେ ସୁବାସ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇ ଥିଲେ । ଟଙ୍କା ଅଭାବରୁ ସେ ଉପଯୁକ୍ତ ଚିକିତ୍ସା କରିପାରି ନଥିଲେ । ସେହି କାରଣରୁ ତାଙ୍କ ପତ୍ନୀ ତାଙ୍କୁ ଛାଡି ଚାଲି ଯାଇଥିଲେ । ସାନ ପୁଅ ବାହୁବଳୀ (୨) କୁ ମା’ସାଙ୍ଗରେ ନେଇ ଘର ଛାଡି ଚାଲି ଯାଇଥିବା ବେଳେ ଘରେ ରହି ଯାଇଥିଲେ ତାଙ୍କର ବଡ ଝିଅ ନନ୍ଦିନୀ (୭) ଓ ପୁଅ ମାନସ (୪) । ଘରେ ଏବେ କେବଳ ସୁବାସ ଙ୍କ ବୃଦ୍ଧା ମା ସୁଲୋଚନା । ତାଙ୍କ ବୟସ ପାଖାପାଖି ୭୦ ବର୍ଷ ହେବ । ଦୁଇ ନାତି ନାତୁଣୀକୁ କିପରି ଚଳାଇବେ ଏବେ ସେହି ଚିନ୍ତା ଘାରିଛି ବୃଦ୍ଧା ସୁଲୋଚନାଙ୍କୁ । ଏ ପରିଣତ ବୟସ ରେ ପର ଘରେ କାମ କରି ବାର ବଳ ବୟସ ତାଙ୍କର ଆଉ ନାହିଁ । କିପରି ବାପ ଛେଉଣ୍ଡ ପିଲା ଦୁଇ ଜଣଙ୍କ ମୁହଁ ରେ ଆହାର ଗଣ୍ଡାଏ ଦେବେ ଓ ନିଜେ ଚଳିବେ ଏବେ ସେ ସେହି ଚିନ୍ତା କରୁଛନ୍ତି । କେତେଦିନ ବା ସେ ଆଉ ବଞ୍ଚିବେ । ପିଲା ଦୁଇ ଜଣକୁ କିପରି ମଣିଷ କରିବେ । ସେ ମରିଗଲା ପରେ ପିଲା ମାନଙ୍କର ଅବସ୍ଥା କ’ଣ ହେବ । ଏହି କଥା ଭାବି ଭାବି ସୁଲୋଚନାଙ୍କ ଆଖିରୁ ସରୁନି ଲୁହ । ପ୍ରଶାସନ ଏହି ନିସହାୟ ବାପ ଛେଉଣ୍ଡ ପିଲା ଓ ବୁଢୀ ମା ପ୍ରତି ଦୃଷ୍ଟି ଦେବା ସହ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।
ପୁଅର ସୁଦ୍ଧିକ୍ରିୟା ପାଇଁ ମା’ ବନ୍ଧା ପକାଇଲେ ରାସନ କାର୍ଡ 
ଯୁବା ବୟସର ପୁଅର ମୃତ୍ୟୁ ଦୁଃଖ ଅପେକ୍ଷା ସୁଲୋଚନାଙ୍କୁ ବଳିଯାଇଛି ଏବେ ମୃତ ପୁଅ ର ସୁଦ୍ଧି କ୍ରିୟା ପାଇଁ ଅର୍ଥ ବ୍ୟବସ୍ଥା । ତିନି ଦିନିଆ କାମ ତ ଯନେତେନ ଭାବେ ସରିଗଲା । ଚିନ୍ତା ଏବେ ଦଶାହ କାମ ପାଇଁ । ସାମାଜିକ ଚାଲିଚଳଣି ଅନୁଯାୟୀ ଦଶାହ ସୁଦ୍ଧିକ୍ରିୟା କରିନପାରିଲେ ସାମାଜିକ ବାସନ୍ଦର ଭୟ ଯୋଗୁଁ ଏବେ ସେ ବାଧ୍ୟ ହୋଇ ନିଜ ର ଜୈନିକ କୁଟୁମ୍ବ ଲୋକଙ୍କ ପାଖରେ ନିଜର ରାସନ କାର୍ଡ (ଅନ୍ତୋଦୟ କାର୍ଡ) କୁ ବନ୍ଧା ପକାଇଛନ୍ତି । ୬ ହଜାର ଟଙ୍କାରେ ଏହି କାର୍ଡକୁ ସେ ବନ୍ଧା ପକାଇଥିବା କହିଛନ୍ତି ସୁଲୋଚନା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking