34.1 C
Bhubaneswar
Thursday, March 28, 2024
Homeଓଡିଶାମୁଖ୍ୟ ଶାସନସଚିବଙ୍କ ଦୁଇଦିନିଆ କେନ୍ଦୁଝର ଗସ୍ତ : ବିଭିନ୍ନ କାର୍ଯ୍ୟର ତଦାରଖ ସହ ସମୀକ୍ଷା

ମୁଖ୍ୟ ଶାସନସଚିବଙ୍କ ଦୁଇଦିନିଆ କେନ୍ଦୁଝର ଗସ୍ତ : ବିଭିନ୍ନ କାର୍ଯ୍ୟର ତଦାରଖ ସହ ସମୀକ୍ଷା

କେନ୍ଦୁଝର: ସରକାରୀ କର୍ମଚାରୀମାନେ ଜନସାଧାରଣ ଏବଂ ରାଜ୍ୟ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତୁ । ଏହାଦ୍ୱାରା ସେମାନେ ସମସ୍ତଙ୍କର ବିଶ୍ୱାସଭାଜନ ହୋଇପାରିବେ ଏବଂ ଜନସାଧାରଣଙ୍କର ଅଶେଷ କଲ୍ୟାଣ ସାଧିତ ହେବା ସହ ରାଜ୍ୟର ଅଭିବୃଦ୍ଧି ଘଟିବ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ମତବ୍ୟକ୍ତ କରିଛନ୍ତି । ଦୁଇଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗୁରୁବାର ଅପରାହ୍ନରେ ଦରବାର ହଲ୍‌ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର ଯୋଡ଼ା, ବଡ଼ବିଲ ଏବଂ ଚମ୍ପୁଆ ଅଞ୍ଚଳରେ ଡିଏମ୍‌ଏଫ୍ ଏବଂ ଓମ୍ବାଡିସି ଅର୍ଥରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ତଦାରଖ କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲ୍‌ଠାରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ । ଭଲ କାମ କଲେ ପୁରସ୍କାର ଏବଂ କର୍ତ୍ତବ୍ୟରେ ଅବହେଳା କଲେ କିମ୍ବା ଦୁର୍ନୀତିରେ ଲିପ୍ତ ରହିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ସେ ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କର ଭାବନା ଅନୁଯାୟୀ ଜନସାଧାରଣଙ୍କୁ ମୂଲ୍ୟବୋଧଭିତ୍ତିକ ସେବା ଯୋଗାଇଦେବା ପାଇଁ ସରକାରୀ କର୍ମଚାରୀମାନେ ବିନା ଭୟରେ ଏବଂ ବିନା ଚାପରେ କାର୍ଯ୍ୟ ନିର୍ବାହ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ବିକାଶରେ ଜିଲ୍ଲାପାଳଙ୍କ ଉଦ୍ୟମକୁ ମୁଖ୍ୟ ଶାସନ ସଚିବ ପ୍ରଶଂସା କରିଥିଲେ । ଏତଦ୍‌ବ୍ୟତୀତ ଜିଲ୍ଲାପାଳ ଓ ଏସ୍‌ପି ଜିଲ୍ଲାରେ ଉପୁଜୁଥିବା ସମସ୍ୟାର ସମାଧାନ ପାଇଁ ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି ବୋଲି କହିଥିଲେ । ଜିଲ୍ଲାରେ ଡିଏମ୍‌ଏଫ୍ ଅର୍ନ୍ତଗତ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ନିଜ ତଦାରଖ ବେଳେ ମିଳିଥିବା ଉପଲବ୍ଧି ବିଷୟରେ ଆଲୋକପାତ କରି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପ୍ରକଳ୍ପଗୁଡିକର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଓମ୍ବାଡିସି ଅର୍ଥରେ ଗ୍ରାମ୍ୟ ପାନୀୟ ଜଳଯୋଗାଣ ଓ ପରିମଳ ବିଭାଗ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନରେ ଗ୍ରାମୀଣ ଆବାସ ନିର୍ମାଣ, ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ରାସ୍ତା ଓ ଗୃହ ନିର୍ମାଣ, ମତ୍ସ୍ୟ ବିଭାଗ ଅର୍ନ୍ତଗତ ପୋଖରୀ ନିର୍ମାଣ, ଜୀବିକା ମିଶନ, ଦକ୍ଷତା ବିକାଶ, ଶିକ୍ଷା, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଉଦ୍ୟାନ କୃଷି ଇତ୍ୟାଦି ବିଭାଗ ଜରିଆରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା କରି ଅଗ୍ରଗତି ଉତ୍ସାହଜନକ ନୁହେଁ ବୋଲି ମତବ୍ୟକ୍ତ କରିଥିଲେ । ଏ ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ନେବା ସହିତ ଅବହେଳା କରୁଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଜିଲ୍ଲାରେ ୨୧୫ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ ସଂପର୍କରେ ସମୀକ୍ଷା କରିଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ଆଶିଷ ଠାକ୍‌ରେ ସ୍ୱାଗତଭାଷଣ ପ୍ରଦାନ କରିବା ସହ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା, ଡି.ଏମ୍‌.ଏଫ୍‌. ଏବଂ ଓମ୍ବାଡିସିର କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇଥିଲେ । ଏହି ବୈଠକରେ ଏସ୍‌.ପି. ମିତ୍ରଭାନୁ ମହାପାତ୍ର, ଡି.ଏଫ୍‌.ଓ. ସନ୍ତୋଷ କୁମାର ଯୋଶୀ, ଅତିରିକ୍ତ ଜିଲ୍ଲାପାଳ ଡଃ ଭକ୍ତଚରଣ ପ୍ରଧାନ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡଃ ଉଦ୍ଧବ ଚନ୍ଦ୍ର ମାଝୀ, ଓମ୍ବାଡିସିର ସି.ଇ.ଓ. ଉମା ନନ୍ଦୁରୀ, ଜେନେରାଲ୍ ମ୍ୟାନେଜର ମନୋଜ କୁମାର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ସୂଚନା ଅନୁଯାୟୀ, ଗୁରୁବାର ସକାଳେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରୀପାଠି ଯୋଡା ପୌରପାଳିକା ଅଞ୍ଚଳରେ ଡି.ଏମ୍‌.ଏଫ୍‌. ଅର୍ଥରେ ନିର୍ମିତ ହୋଇଥିବା ପାଠାଗାର ବୁଲି ଦେଖିଥିଲେ ଏବଂ ପାଠାଗାରର ଆନୁସଙ୍ଗିକ ବ୍ୟବସ୍ଥା ଦେଖି ସନ୍ତୋଷ ପ୍ରକାଶ କରିଥିଲେ । ଯୋଡା ପୌରାଞ୍ଚଳରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ସ୍ଥାପିତ କ୍ଷୁଦ୍ର ଜୈବିକ ସାର କେନ୍ଦ୍ର ପରିଦର୍ଶନ କରିଥିଲେ । ତତ୍‌ପରେ ବଡବିଲ୍ ଗସ୍ତକରି ଉଷୁ ଇଣ୍ଡୋର ଷ୍ଟାଡିୟମ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଉଷୁ କ୍ରୀଡ଼ା କ୍ଷେତ୍ରରେ ପ୍ରଶିକ୍ଷଣ ନେଉଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ସାମରିକ କ୍ରୀଡା କୌଶଳ ପ୍ରଦର୍ଶନ କରିଥିଲେ । ତତ୍‌ପରେ ବଡ଼ବିଲ ନୋଡାଲ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀମାନଙ୍କ ମଧ୍ୟାହ୍ନ ଭୋଜନ ନିମନ୍ତେ ଖାଦ୍ୟ ପ୍ରସ୍ତୁତି ସଂପର୍କରେ ତଦାରଖ କରିଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ସେଠାରୁ ବଡ଼ବିଲସ୍ଥିତ କଳିଙ୍ଗ ଆଇରନ ୱାର୍କସ୍‌ର ମୁଖ୍ୟ କାର୍ଯ୍ୟାଳୟକୁ ଗସ୍ତ କରି ସେଠାରେ କ୍ୟାମ୍ପସ୍ ପରିସର ବୁଲି ଦେଖିଥିଲେ । ପରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଦ୍ୱାରା ସ୍ଥାପିତ ସେରେଣ୍ଡାସ୍ଥିତ ଆଦିବାସୀ ବିକାଶ ସମିତି ପରିଦର୍ଶନରେ ଯାଇଥିଲେ । ସେଠାରୁ ମୁଖ୍ୟ ଶାସନ ସଚିବ ଡି.ଏମ୍‌.ଏଫ୍‌. ଅର୍ଥ ଦ୍ୱାରା ପରିଚାଳିତ କାହ୍ନୁପୁରଠାରେ ଶିଶୁମାନଙ୍କ ପାଇଁ ସ୍ଥାପିତ ହୋଇଥିବା ମମତା ଘର ପରିଦର୍ଶନ କରି ତାହା କିପରି କାର୍ଯ୍ୟକ୍ଷମ ହେଉଛି ତଦାରଖ କରିଥିଲେ । ଏହା ପରେ ଚମ୍ପୁଆ ବ୍ଳକ୍ ଅର୍ନ୍ତଗତ ମିରିଗିସିଙ୍ଗାଠାରେ ଡି.ଏମ୍‌.ଏଫ୍ ଏବଂ ଓମ୍ବାଡିସି ଅର୍ଥରେ ବୈତରଣୀ ନଦୀରେ ନିର୍ମାଣାଧୀନ ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପର ତଦାରଖ କରିଥିଲେ । ଏହାପରେ କୋଦଗାଡିଆଠାରେ ପାନୀୟଜଳ ବିଶୋଧନାଗାରର ବିଭିନ୍ନ ୟୁନିଟ୍ ବୁଲି ଦେଖିଥିଲେ ଏବଂ ସେଠାରେ ବୃକ୍ଷରୋପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking