27.1 C
Bhubaneswar
Tuesday, September 27, 2022
Homeଓଡିଶାମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ: ଖାଲିଥିବା ପଦବୀ ପୂରଣ ପ୍ରକ୍ରିୟା ତ୍ୱରାନ୍ୱିତ କର

ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ: ଖାଲିଥିବା ପଦବୀ ପୂରଣ ପ୍ରକ୍ରିୟା ତ୍ୱରାନ୍ୱିତ କର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅଧୀନରେ ବିଭିନ୍ନ କ୍ୟାଡରରେ ଖାଲିଥିବା ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମସ୍ତ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ବନ୍ଧରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ସେ ଏହି ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ବୈଠକରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର ବିଭିନ୍ନ ସରକାରୀ ପଦବୀ ନିମନ୍ତେ କମିଶନମାନଙ୍କ ମାଧ୍ୟମରେ ହେଉଥିବା ଚୟନ ଓ ନିଯୁକ୍ତି ପ୍ରକ୍ରିୟା ସମ୍ବନ୍ଧିତ ବିଷୟ ଉପସ୍ଥାପନ କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଏ ଦିଗରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରି ମୁଖ୍ୟ ସଚିବ ଚୟନ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ନିମନ୍ତେ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ, ଷ୍ଟାଫ୍ ସିଲେକ୍ସନ୍ କମିଶନ, ସବ-ଅଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ, ପୁଲିସ୍ ରିକ୍ର‌୍ୟୁଟମେଣ୍ଟ ବୋର୍ଡ ଆଦିଙ୍କୁ ପରାମର୍ଶ ଦେଇଥିଲେ ।

ଯେଉଁ ପଦବୀମାନଙ୍କ ପାଇଁ ପରୀକ୍ଷା ଓ ମୂଲ୍ୟାୟନ ସରିଛି; ସେ ସବୁର ଚୟନ ତାଲିକା ତୁରନ୍ତ ସଂପୃକ୍ତ ବିଭାଗମାନଙ୍କୁ ସୁପାରିସ କରିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ । ବୈଠକର ଆଲୋଚନାରୁ ଜଣାପଡ଼ିଥିଲା ଯେ କୋଭିଡ୍‌-ପରବର୍ତ୍ତୀ ସ୍ଥିତିରେ ରାଜ୍ୟ ସରକାର ବିଭିନ୍ନ ପଦବୀ ନିମନ୍ତେ ଦରଖାସ୍ତ ଓ ପରୀକ୍ଷା ଫି’ ଛାଡ଼ କରିଛନ୍ତି । ୨୦୨୧, ୨୦୨୨ ଏବଂ ୨୦୨୩ ଏହି ତିନି ବର୍ଷ ପାଇଁ ସରକାରୀ ଚାକିରି ପ୍ରବେଶ ବୟସ ସୀମା ମଧ୍ୟ ୩୨ରୁ ୩୮ କୁ ବୃଦ୍ଧି କରିଛନ୍ତି । ତଦନୁଯାୟୀ ସଂରକ୍ଷିତ ଶ୍ରେଣୀ ଅନ୍ତର୍ଭୁକ୍ତ ବର୍ଗମାନଙ୍କ ପାଇଁ ମଧ୍ୟ ନିୟମ ଅନୁସାରେ ବୟସସୀମା କୋହଳ କରାଯାଇଛି । ତେବେ ୨୦୨୧-୨୨ ଏବଂ ଚଳିତ ୨୦୨୨-୨୩ ବର୍ଷରେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ ମାଧ୍ୟମରେ ୨୮୪୮, ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ମାଧ୍ୟମରେ ୨୫୫୫ ଏବଂ ସବ୍‌-ଅଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ ମାଧ୍ୟମରେ ୧୦୩୫୫ ପଦବୀ ପାଇଁ ପାର୍ଥୀ ଚୟନ କରାଯାଇଛି ।

ସେମାନଙ୍କୁ ମଧ୍ୟ ସରକାରୀ ବିଭାଗମାନେ ପର୍ଯ୍ୟାୟକ୍ରମେ ନିଯୁକ୍ତି ଦେଉଛନ୍ତି । ଏତଦ୍‌ବ୍ୟତୀତ ବର୍ତ୍ତମାନ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ ୫୮୯୩ ଗ୍ରୁପ୍‌-ଏ ଓ ଗ୍ରୁପ୍‌-ବି ପଦବୀ ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଷ୍ଟାଫ୍ ସିଲେକ୍ସନ୍ କମିଶନ ୨୩୭୬ ଗ୍ରୁପ୍‌-ବି ଏବଂ ଗ୍ରୁପ୍‌-ସି ପଦବୀ ପାଇଁ ମଧ୍ୟ ଚୟନ ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି । ଏମାନେ ସମସ୍ତେ ଷ୍ଟେଟ୍ କ୍ୟାଡର୍ ଅନ୍ତର୍ଭୁକ୍ତ ହେବେ । ସେହିପରି ସବ୍‌-ଅଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ ଜିଲ୍ଲା-କ୍ୟାଡର ଅନ୍ତର୍ଭୁକ୍ତ ଗ୍ରୁପ୍‌-ବି ଏବଂ ଗ୍ରୁପ୍‌-ସି ପଦବୀ ପାଇଁ ମଧ୍ୟ ବିଜ୍ଞାପନ, ପରୀକ୍ଷା ଓ ଚୟନ ପ୍ରକ୍ରିୟା ଚାଲୁ ରଖିଛନ୍ତି । ଏହିସବୁ ପଦବୀରେ ଚୟନ ଓ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି ।

ମୁଖ୍ୟତଃ ବେଶି ସଂଖ୍ୟାରେ ଜୁନିଅର ଇଞ୍ଜିନିୟର, ଷ୍ଟେନୋଗ୍ରାଫର, ଅବକାରୀ ଏସ୍‌.ଆଇ, ଡାଟା ଏଣ୍ଟ୍ରି ଅପରେଟର, ବ୍ଲକ୍ ସାମାଜିକ ସୁରକ୍ଷା ଅଫିସର, ଅଡିଟର, ଆରଆଇ, ଅମିନ, ଫରେଷ୍ଟ ଗାର୍ଡ, ଅବକାରୀ କନେଷ୍ଟବଳ, ନର୍ସିଂ ଅଫିସର, ପ୍ରାଣୀ-ଧନ ନିରୀକ୍ଷକମାନଙ୍କୁ ଚୟନ କରାଯିବ । ଏହାଛଡ଼ା ଓଡ଼ିଶା ସିଭିଲ୍ ସର୍ଭିସେସ୍ ଅନ୍ତର୍ଭୁକ୍ତ ବିଭିନ୍ନ ପଦବୀ, ମେଡିକାଲ୍ କଲେଜ୍ ପାଇଁ ଅତିରିକ୍ତ-ପ୍ରଫେସର, କୃଷି ଅଧିକାରୀ, ସ୍ନାତକତ୍ତୋର ଶିକ୍ଷକ, ଭୁତତ୍ତ୍ୱବିତ୍‌, ବିଭିନ୍ନ ସରକାରୀ ମହାବିଦ୍ୟାଳୟ ନିମନ୍ତେ ଅତିରିକ୍ତ-ପ୍ରଫେସର ଆଦି ପଦବୀ ପାଇଁ ଚୟନ ଓ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ପୁଲିସ୍ ମହାନିର୍ଦ୍ଦେଶକ ସୁନିଲ୍ କୁମାର ବନ୍‌ଶାଲ୍‌, ଅର୍ଥ ସଚିବ ବିଶାଲ କୁମାର ଦେବ, ସବ୍‌ଅଡିନେଟ ଷ୍ଟାଫ୍ ସିଲେକସନ୍ କମିଶନ ଅଧ୍ୟକ୍ଷ ଶାଶ୍ୱତ ମିଶ୍ର, ଷ୍ଟାଫ୍ ସିଲେକସନ୍ କମିଶନ ଅଧ୍ୟକ୍ଷ ଶ୍ରୀ ଅଭୟ, ପବ୍ଲିକ୍ ସର୍ଭିସ୍ କମିଶନ ସେକ୍ରେଟେରୀ ପ୍ରମୋଦ ମିଶ୍ରଙ୍କ ସମେତ ସଂପୃକ୍ତ କମିଶନମାନଙ୍କର ସେକ୍ରେଟେରୀ ଓ ବିଭାଗୀୟ ବରିଷ୍ଠ ଅଧିକାରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking