34.1 C
Bhubaneswar
Friday, March 29, 2024
Homeଓଡିଶାପ୍ରବେଶ ପୂର୍ବରୁ ଲାଗିବ ଷ୍ଟାମ୍ପ

ପ୍ରବେଶ ପୂର୍ବରୁ ଲାଗିବ ଷ୍ଟାମ୍ପ

ଭୁବନେଶ୍ୱର: ରାଜ୍ୟ ବାହାରେ ଅଟକି ଥିବା ପ୍ରବାସୀ ଓଡିଆଙ୍କୁ ଆଶ୍ୱସ୍ତି । ଏବେ ସେମାନେ ଟ୍ରେନ କିମ୍ବା ବସ ମାଧ୍ୟମରେ ରାଜ୍ୟକୁ ଫେରିପାରିବେ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତି, ଯେଉଁମାନେ ବାହାର ରାଜ୍ୟରୁ ଫେରିବେ ସେମାନଙ୍କ ପଞ୍ଚୀକରଣ ନିହାତି ଜରୁରୀ । ଫେରିବା ପାଇଁ ଓବସାଇଟ ଜରିଆରେ ଲୋକେ ରେଜିଷ୍ଟ୍ରେସନ କରୁଛନ୍ତି । ଫେରୁଥିବା ଲୋକେ ଟ୍ରେନ ବା ବସ ମାଧ୍ୟମରେ ଆସିପାରିବେ । ରାସ୍ତାରେ ଆସୁଥିଲେ ସ୍ଥାନୀୟ ଜିଲ୍ଲା ଅଧିକାରୀଙ୍କଠାରୁ ପାସ ନେବେ । ଏଥିପାଇଁ ଭାରତର ସବୁ ଜିଲ୍ଲା ଅଧିକାରୀଙ୍କୁ ତତ୍ପରତା ଦେଖାଇବାକୁ ପରାମର୍ଶ ଦିଆଯାଇଛି । ସେହି ପାସ ଧରି ଆସୁଥିବା ଲୋକେ ଓଡିଶାକୁ ଫେରିପାରିବେ ବୋଲି ସେ କହିଛନ୍ତି । ୧୧ଟି ଚେକ୍ ପଏଣ୍ଟ ରାସ୍ତା ଦ୍ୱାରା ସେମାନେ ଓଡିଶାକୁ ଫେରିପାରିବେ । ଏଥିପାଇଁ ସବୁ ଚେକ୍ ପଏଣ୍ଟରେ ଓଡିଶାର ଅଧିକାରୀମାନେ ଉପସ୍ଥିତ ଅଛନ୍ତି । ସେଠାରେ ଡାଟା ଚେକ୍ ହେବ ଏବଂ ଯେଉଁମାନେ ରେଜିଷ୍ଟ୍ରେସନ କରିନଥିବେ, ସେମାନେ ମଧ୍ୟ କରିପାରିବେ । ମାତ୍ର ଭିଡ ଦୃଷ୍ଟିରୁ ଆସିବା ପୂର୍ବରୁ ରେଜିଷ୍ଟ୍ରେସନ କରି ଦେବା ଜରୁରୀ ବୋଲି ସେ କହିଛନ୍ତି । ପ୍ରତି ଯାତ୍ରୀଙ୍କ ଡାହାଣ ହାତରେ ଅଲିଭା କାଳିରେ ଷ୍ଟାମ୍ପ ଲାଗିବ । ଗାଡିର ଓଣ୍ଡ ସିଲରେ ତଥ୍ୟ ସମ୍ବଳିତ ଷ୍ଟିକର ଲାଗିବ, ପାସ ଭଳି କାମ ଦେବ । ଜିଲ୍ଲା ପ୍ରଶାସକମାନେ ସେମାନଙ୍କୁ ଗନ୍ତବ୍ୟ ସ୍ଥଳକୁ ନେଇଯିବେ । ତେବେ କେରଳରୁ ଆଜି ଓ ଗୁଜୁରାଟରୁ କିଛି ଦିନ ପରେ ଗୋଟିଏ ଟ୍ରେନ ଆସିବ । ରାଜ୍ୟ ସରକାରଙ୍କ କ୍ଲିଅରାନ୍ସ ବିନା କୌଣସି ଟ୍ରେନ ଆସିପାରିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି । ରାଜ୍ୟର କିଛି ନିର୍ଦ୍ଦିଷ୍ଟ ଷ୍ଟେସନରେ ଆଗନ୍ତୁକଙ୍କୁ ଗ୍ରହଣ କରାଯିବ । ସରକାରୀ ଖର୍ଚ୍ଚରେ ସେମାନଙ୍କୁ ନିଜ ଗାଁ କ୍ୱାରେଣ୍ଟାଇନରେ ରଖାଯିବ । ସହରାଞ୍ଚଳରେ କ୍ୱାରେଣ୍ଟିନ ଅଧିକାରୀ ହୋମ୍ କ୍ୱାରେଣ୍ଟିନ କରିପାରିବେ । ସ୍ୱାସ୍ଥ୍ୟ ଅଧିକାରୀ ତଥ୍ୟ ଯାଞ୍ଚ କରି ସେମାନଙ୍କୁ କ୍ୱାରେଣ୍ଟିନ କରାଇବେ । ଯଦି ସ୍ୱାସ୍ଥ୍ୟବସ୍ଥା ଭଲ ଥିବ ସେମାନେ ହୋମ୍ କ୍ୱାରେଣ୍ଟାଇନ ରହିପାରିବେ । ସହରାଞ୍ଚଳରେ ପେଡ୍ କ୍ୱାରେଣ୍ଟାଇନରେ ମଧ୍ୟ ଲୋକ ରହିପାରିବେ । ଏନେଇ କିଛି ନିର୍ଦ୍ଦିଷ୍ଟ ଲଜ୍ ଓ ହୋଟେଲରେ ପେଡ୍ କ୍ୱାରେଣ୍ଟିନ ବ୍ୟବସ୍ଥା ହୋଇଛି । ଗ୍ରାମାଞ୍ଚଳରେ ଆଗନ୍ତୁକମାନଙ୍କୁ ସରକାରୀ କ୍ୱାରେଣ୍ଟାଇନରେ ରଖାଯିବ । ଗ୍ରାମାଞ୍ଚଳର ପ୍ରସୂତୀ, ଶିଶୁ ଦିବ୍ୟାଙ୍ଗଙ୍କୁ ହୋମ୍ କ୍ୱାରେଣ୍ଟାଇନ ଅନୁମତି ମିଳିପାରିବ । ହୋମ୍ କ୍ୱାରେଣ୍ଟାଇନରେ ଘର ସାମ୍ନାରେ ଷ୍ଟିକର ମଧ୍ୟ ଲଗାଯିବ । ଆଗନ୍ତୁକମାନେ କ୍ୱାରେଣ୍ଟିନ କଡାକଡି ପାଳନ କରିବାକୁ ଅନୁରୋଧ କରାଯାଇଛି । ସରପଞ୍ଚମାନେ ଲୋକଙ୍କ ମଙ୍ଗଳ ପାଇଁ କଡା କାର୍ଯ୍ୟାନୁଷ୍ଠାନ ନେଇପାରିବେ । କେହି ଆଇନ ଭଙ୍ଗ କଲେ ଏପିଡେମିକ ଆକ୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି । ଯେଉଁମାନେ ନିୟମ ମାନି କ୍ୱାରେଣ୍ଟିନ ସାରିବେ, ସେମାନଙ୍କୁ ୨ ହଜାର ଟଙ୍କା ମିଳିବ । ଅଧିକ ସଂକ୍ରମିତ ରାଜ୍ୟରୁ ଲୋକ ଫେରିବାର ଥିବାରୁ ରିସ୍କ ରହିଛି । ହେଲେ ଏହାକୁ ମୁକାବିଲା କରିବା ପାଇଁ ଆମେ ପ୍ରତିଜ୍ଞାବଦ୍ଧ ବୋଲି ମୁଖ୍ୟ ସଚିବ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking