27.1 C
Bhubaneswar
Thursday, April 25, 2024
Homeଆଇପିଏଲ୍ -2022ଗାଏକ୍ୱାଡ଼ ଓ ଡୁପ୍ଲେସିସ୍‌ଙ୍କ ଅର୍ଦ୍ଧଶତକ, ପଏଣ୍ଟ ଟେବଲ ଶୀର୍ଷରେ ସିଏସ୍‌କେ

ଗାଏକ୍ୱାଡ଼ ଓ ଡୁପ୍ଲେସିସ୍‌ଙ୍କ ଅର୍ଦ୍ଧଶତକ, ପଏଣ୍ଟ ଟେବଲ ଶୀର୍ଷରେ ସିଏସ୍‌କେ

ମୁମ୍ବାଇ : ଆଇପିଏଲ୍‌ର ୧୫ ତମ ମୁକାବିଲାରେ କୋଲକାତା ନାଇଟ୍‌ ରାଇଡର୍ସକୁ ୧୯ରନରେ ପରାସ୍ତ କରି ପଏଣ୍ଟ ଟେବଲ ଶୀର୍ଷରେ ପହଞ୍ଚିଛି ଚେନ୍ନାଇ ସୁପର କିଙ୍ଗସ୍‌ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗସ୍‌ ଚଳିତ ସିଜିନ୍‌ର ସର୍ବାଧିକ ସ୍କୋର ୨୧୪ ରନ୍‌ କରିଥିଲା । ଜବାବରେ କେକେଆର୍‌ ୨୦୨ ରନ୍‌ରେ ସୀମିତ ରହି ପରାଜିତ ହୋଇଥିଲା । ଏହି ମ୍ୟାଚ୍‌ ସହିତ ସିଏସ୍‌କେ ୪ ମ୍ୟାଚ୍‌ରୁ ତୃତୀୟ ବିଜୟ ହାସଲ କରିଥିବା ବେଳେ ସମାନ ସଂଖ୍ୟକ ମ୍ୟାଚ୍‌ ଖେଳି କେକେଆର ତୃତୀୟ ପରାଜୟ ବରଣ କରିଛି ।
ଟସ୍‌ ଜିତି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ସିଏସ୍‌କେ ପକ୍ଷରୁ ଦୁଇ ଓପ୍‌ନର ଚମକ୍ରାର ବ୍ୟାଟିଂ କରିଥିଲେ । ଉଭୟ ଓପ୍‌ନର ଟୁର୍ଣ୍ଣାମେଣ୍ଟରେ ବ୍ୟକ୍ତିଗତ ଅର୍ଦ୍ଧଶତକ ହାସଲ କରି ସିଏସ୍‌କେକୁ ୨୦୦ ରନ୍‌ ପାର କରାଇଥିଲେ ।

ଋତୁରାଜ ଗାଏକ୍ୱାଡ(୬୪) ଓ ଡୁପ୍ଲେସିସ୍‌(୯୫) ପ୍ରଥମ ୱିକେଟ୍‌ରେ ୧୧୫ ରନ୍‌ ଯୋଗ କରିଥିଲେ । ଗାଏକ୍ୱାଡ ୪୨ଟି ବଲ୍‌ର ସମ୍ମୁଖୀନ ହୋଇ ୪ ଚୌକା ଓ ୨ ଛକା ସହିତ ୬୪ ରନ୍‌ କରିଥିଲେ । ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିବା ଫାଫ୍‌ ଡୁ ପ୍ଲେସିସ୍‌ ୬୦ଟି ବଲ୍‌ ଖେଳି ଅପରାଜିତ ୯୫ ରନ୍‌ କରିଥିଲେ । ଶତକରୁ ଅଳ୍ପକେ ବଞ୍ଚିତ ଡୁପ୍ଲେସିସ୍‌ଙ୍କ ଇନିଂସରେ ୯ଟି ଚୌକା ଓ ୪ଟି ଛକା ସାମିଲ ଥିଲା । ଅନ୍ୟମାନଙ୍କ ମଧ୍ୟରେ ମୋଇନ୍‌ ଅଲୀ ୨୫(୧୨ ବଲ) ଓ ଧୋନି ୧୭(୮ ବଲ୍‌) ଓ ଜାଡେଜା ୬ ରନ୍‌ କରିଥିଲେ । କେକେଆର ପକ୍ଷରୁ କମିନ୍ସ ଓ ପ୍ରସିଦ୍ଧ କ୍ରିଷ୍ଣା ଯଥାକ୍ରମେ ୫୮ ଓ ୪୯ ରନ୍‌ ବ୍ୟୟ କରିଥିଲେ । ବରୁନ୍‌ ଚକ୍ରବର୍ତ୍ତୀ, ସୁନୀଲ ନାରିନ୍‌ ଓ ଆନ୍ଦ୍ରେ ରସେଲ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ ।

୨୧୫ ରନ୍‌ ଲକ୍ଷ୍ୟର ପିଛା କରୁଥିବା କେକେଆର ଇନିଂସ କୌଣସି ଡ୍ରାମାରୁ କମ୍‌ ନଥିଲା । ଦୀପକ ଚହରଙ୍କ ଘାତକ ବୋଲିଂ ବଳରେ ଦଳର ଟପ୍‌-୫ ଦୁଇ ଅଙ୍କ ଛୁଇଁବାରେ ସକ୍ଷମ ହୋଇନଥିଲା । ଚହର ୨୯ ରନ୍‌ରେ ୪ ୱିକେଟ୍‌ ଅକ୍ତିଆର କରି କୋଲକାତାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ୩୧ ରନ୍‌ରେ ୫ ୱିକେଟ ହରାଇଥିବା କେକେଆର୍‌ର ପରାଜୟ ଆସନ୍ନ ଥିଲେ ହେଁ ରସେଲ୍‌, କାର୍ତ୍ତିକ ଓ ପ୍ୟାଟ୍‌ କମିନ୍ସ ଚେନ୍ନାଇ ହାତରୁ ମ୍ୟାଚ୍‌ ଛଡାଇ ନେବାକୁ ଚେଷ୍ଟା କରିଥିଲେ । ରସେଲ୍‌ ୨୨ଟି ବଲ୍‌ରୁ ୩ ଚୌକା ଓ ୬ ଛକା ସହାୟତାରେ ୫୪ ରନ୍‌ କରିଥିବା ବେଳେ ଦୀନେଶ କାର୍ତ୍ତିକ ୨୪ ବଲ୍‌ରୁ ୪ ଚୌକା ଓ ୨ ଛକା ସହାୟତାରେ ୪୦ ରନ୍‌ କରିଥିଲେ । ମ୍ୟାଚ୍‌ର ୧୫ ତମ ଓଭରରେ କାର୍ତ୍ତିକ ଆଉଟ୍‌ ହୋଇଥିଲେ ହେଁ ପ୍ୟାଟ୍‌ କମିନ୍ସ ଗୋଟିଏ ପଟରୁ ଆକ୍ରମଣ ଜାରି ରଖିଥିଲେ ।

କମିନ୍ସ ୩୪ ବଲ୍‌ ଖେଳି ୪ ଚୌକା ଓ ୬ ଛକା ସହିତ ୬୬ ରନ୍‌ କରି ଅପରାଜିତ ରହିଥିଲେ । ସାମ୍‌ କୁରାନ୍‌ଙ୍କୁ ହ୍ୟାଟ୍ରିକ୍‌ ଛକା ମାରିବା ସହିତ ଗୋଟିଏ ଓଭରରୁ ୩୦ ରନ୍‌ ଆଦାୟ କରିଥିଲେ କମିନ୍ସ । ଶେଷ ୨ ଓଭରରେ ୨୮ ରନ୍‌ ଆବଶ୍ୟକ ରହିଥିବା ବେଳେ ଅନ୍ତିମ ଦୁଇ ବ୍ୟାଟ୍ସମ୍ୟାନ୍‌ ରନ୍‌ ଆଉଟ୍‌ ହେବାରୁ କେକେଆର୍‌ ବିଜୟ ଲକ୍ଷ୍ୟରୁ ୧୯ ରନ୍‌ ଦୂରରେ ରହିଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking