ଅଧିଷ୍ଠାତ୍ରୀ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ସମ୍ପନ୍ନ

କଳାହାଣ୍ଡି : ଅଧିଷ୍ଠାତ୍ରୀ ମା’ମାଣିକେଶ୍ୱରୀଙ୍କ ଛତରଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ଚୂଡ଼ାନ୍ତ ହେବା ପରେ ଆରମ୍ଭ ହେଇଛି ବିଜୟ ଛତ୍ର ଯାତ୍ରା । ଏଥର ଦେଖିବାକୁ ମିଳୁନାହିଁ ରକ୍ତରଞ୍ଜିତ ରାସ୍ତା । ତେବେ ଚଳିତ ବର୍ଷ କରୋନା ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ, ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ବିନା ଭକ୍ତରେ ପୁରୀ ରଥଯାତ୍ରା ଭଳି ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଆୟୋଜନ କରାଯାଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୨ ତାରିଖ ମଧ୍ୟରାତ୍ରିରୁ ଭବାନୀପାଟଣା ସହରକୁ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଥିଲା, ଏହାବ୍ୟତୀତ ସହରରେ ୨୫ ତାରିଖ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲାପାଳ ଡ.ପରାଗ ହର୍ଷଦ ଗାଭାଲି ୧୪୪ ଧାରା ଜାରି କରିଛନ୍ତି । ବିଶ୍ଵ ପ୍ରସିଦ୍ଧ ଏହି ଯାତ୍ରା ସମୟରେ ସହରବାସୀଙ୍କ ଚଳପ୍ରଚଳ ଓ ଭିଡ଼ ଉପରେ କଟକଣା ଜାରି କରାଯାଇଥିଲା । ପରମ୍ପରା ଅନୁସାରେ ଶୁକ୍ରବାର ମଧ୍ୟରାତ୍ରରେ ମା’ ମାଣିକେଶ୍ୱରୀଙ୍କ ପ୍ରତୀକ ଛତ୍ରକୁ ୨୦ ଜଣ ସେବାୟତଙ୍କ ସହିତ ପାରମ୍ପରିକ ଜେନାବାଦକ ମନ୍ଦିରରୁ ଜେନାଖାଲକୁ ଆଣିବା ପରେ, ସେଠାରେ ବିଧିପୂର୍ବକ ଭାବରେ ପୂଜାନୀତି ସମ୍ପନ୍ନ ପରେ ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ପରମ୍ପରାକୁ ବାଦଦେଇ ଏଥର କେବଳ ଗୋଟିଏ ଘୁମୁରା ଦଳକୁ ମନ୍ଦିର ପର୍ଯ୍ୟନ୍ତ ଯିବା ନିମନ୍ତେ ଅନୁମତି ପ୍ରଦାନ କରାଯାଇଥିଲା ।
କୋଭିଡ ମହାମାରୀ ସଂକ୍ରମଣ ପାଇଁ ପ୍ରାକ ସାବଧାନତା ପୂର୍ବକ ସୁରକ୍ଷା ଦାୟିତ୍ୱରେ ଥିବା ସମସ୍ତ କର୍ମଚାରୀଙ୍କ ସହିତ ପୂଜାନୀତି ନିୟୋଜିତ ସମସ୍ତ କର୍ମକର୍ତ୍ତାଙ୍କ କୋଭିଡ ପରୀକ୍ଷା କରାଯାଇଥିଲା । ଏହାବ୍ୟତୀତ ଛତର ଯାତ୍ରାରେ କୌଣସି ଭକ୍ତ କିମ୍ବା ଶ୍ରଦ୍ଧାଳୁ ସାମିଲ ହେବା ପାଇଁ ବାରଣ କରାଯାଇଥିଲେ ମଧ୍ୟ ଅନେକ ସ୍ଥାନରେ ଏହାକୁ ଲୋକେ ମାନି ନଥିଲେ । ଭବାନୀପାଟଣା ସହରବାସୀଙ୍କୁ ଘରେ ରହି ସୋସିଆଲ ମଡ଼ିଆ ଓ ଟେଲିଭିଜନ ମାଧ୍ୟମରେ ମା’ଙ୍କ ଛତର ଯାତ୍ରାର ସିଧା ପ୍ରସାରଣ ଦେଖିବା ନିମନ୍ତେ ଜିଲ୍ଲାପାଳ ଅନୁରୋଧ କରିଥିଲେ ମଧ୍ୟ କିଛି ସ୍ଥାନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ପ୍ରଶାସନର ବାରଣ ସତ୍ବେ କିଛି ମାନସିକଧାରୀ ମୁଖ୍ୟ ରାସ୍ତା ପରିବର୍ତ୍ତେ ସାହିର ଗଳି ରାସ୍ତାରେ ବୋଦା କୁକୁଡ଼ା ବଳି ଦେବା ନଜରକୁ ଆସିଥିଲା ।
ଜିଲ୍ଲାପାଳ ମା’ଙ୍କ ଛତ୍ରଯାତ୍ରାର ସିଧାପ୍ରସାରଣ ନିମନ୍ତେ ଘୋଷଣା କରିଥିଲେ ମଧ୍ୟ ଜନସାଧାରଣ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଏହା ସଂକ୍ରାନ୍ତରେ କିଛି ସୂଚନା ଜାଣି ପାରିନଥିଲେ । ସେହିପରି ରବିବାର ବିଜୟ ଦଶମୀ ଉପଲକ୍ଷେ ସ୍ଥାନୀୟ ନକଟିଗୁଡ଼ା ଠାରେ, ସମ୍ପୂର୍ଣ୍ଣ କଟକଣା ମଧ୍ୟରେ, ବିନା ଭକ୍ତରେ ମା’ମାଣିକେଶ୍ୱରୀଙ୍କ ଲାଖବିନ୍ଧା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here