37.1 C
Bhubaneswar
Thursday, March 28, 2024
Homeଓଡିଶାଛତିଶଗଡ଼ ପୁଲିସର ଓଡ଼ିଶା ଚାଷୀ ଉପରେ ଦାଦାଗିରି ଘଟଣା : ଧାନ ଫେରାଇଲା ଛତିଶଗଡ଼ ପୁଲିସ

ଛତିଶଗଡ଼ ପୁଲିସର ଓଡ଼ିଶା ଚାଷୀ ଉପରେ ଦାଦାଗିରି ଘଟଣା : ଧାନ ଫେରାଇଲା ଛତିଶଗଡ଼ ପୁଲିସ

ଝାରସୁଗୁଡା : ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ କନକତୋରା ଗ୍ରାମକୁ ଗତ ଶନିବାର ରାତିରେ ଛତିଶଗଡ଼ ପୁଲିସ ପଶି ଭାଗଚାଷୀ ମନୋଜ ମେହେରଙ୍କ ବିଲରୁ ଜବତ କରିଥିବା ୩୮ ବସ୍ତା ଧାନ ଓ ଟାଟା ଏସି (ସିଜି ୧୩ ଏଲ୍ ୪୩୪୬) ଗାଡ଼ିକୁ ବୁଧବାର ରାତି ପ୍ରାୟ ସାଢ଼େ ୧୦ଟାରେ ଫେରାଇ ଦେଇଛି । ସୂଚନା ଅନୁଯାୟୀ, ଛତିଶଗଡ଼ ପୁଲିସ ଜବତ କରିଥିବା ଧାନ ଓ ଗାଡ଼ିକୁ ଫେରସ୍ତ ଦାବିରେ ସୀମାନ୍ତ କନକତୋରାବାସୀ ବୁଧବାର ସକାଳୁ ଓଡ଼ିଶା-ଛତିଶଗଡ଼କୁ ସଂଯୋଗ କରୁଥିବା ଏକତାଲ ରାସ୍ତାକୁ ଅବରୋଧ କରିଥିଲେ । ଘଟଣାସ୍ଥଳକୁ ଅତିରିକ୍ତ ଜିଲ୍ଲାପାଳ ଶିବଶଙ୍କର ଟପ୍ପୋ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ନୃପ ଚରଣ ଡନସନା, ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ପଟେଲ, ଏସ୍‌ଡିପିଓ ଦିଲ୍ଲୀପ କୁମାର ଦାସ, ରେଙ୍ଗାଲି ଆଇଆଇସି ଡାନିଏଲ କେର୍କେଟା, ଏଏସ୍‌ଆଇ ବାଜୁ ପଟ୍ଟନାୟକ ପ୍ରମୁଖ ଲୋକଙ୍କୁ ବୁଝାସୁଝା କରିବା ସହ ଜିଲ୍ଲାପାଳ ସରୋଜ କୁମାର ସାମଲ ଓ ଆରକ୍ଷୀ ଅଧିକାରୀ ଅଶ୍ୱିନୀ କୁମାର ମହାନ୍ତି ରାୟଗଡ଼ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହ ଯୋଗାଯୋଗ କରି ସୀମାନ୍ତ କନକତୋରାବାସୀଙ୍କ ରାସ୍ତାରୋକ ବିଷୟରେ ଅବଗତ କରାଇଥିଲେ । ଏହାପରେ ଛତିଶଗଡ଼ ଏକତାଲ ପଞ୍ଚାୟତର ସରପଞ୍ଚ ଚନ୍ଦ୍ରଶେଖର ସିଦାର ଭାଗ ଚାଷୀ ମନୋଜ ମେହେରଙ୍କଠାରୁ ଘଟଣାର ସବିଶେଷ ଅଣ୍ଡରଟେକିଂ ନେଇ ରେଙ୍ଗାଲି ପୁଲିସ ସହ ରାୟଗଡ଼ କୋର୍ଟକୁ ଯାଇ ଧାନସହ ଗାଡ଼ି ଛାଡ଼ିବା ପାଇଁ ଆବେଦନ କରିଥିଲେ । ରାୟଗଡ଼ କୋର୍ଟ ଏହି ମାମଲାର ଶୁଣାଣି କରି ତୁରନ୍ତ ମନୋଜ ମେହେରଙ୍କ ଧାନ ଗାଡ଼ି ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା ।
ପ୍ରକାଶଯୋଗ୍ୟ ଯେ, ମନୋଜ ମେହେରଙ୍କ ଧାନକୁ ଛତିଶଗଡ଼ ପୁଲିସ ଓଡ଼ିଶା ସୀମାରୁ ଜବତ କରିବା ପରେ ଛତିଶଗଡ଼ ପୁଲିସର ସୀମାନ୍ତ ଲୋକଙ୍କ ଉପରେ କରୁଥିବା ଅତ୍ୟାଚାର ଘଟଣା ଲୋକ ଲୋଚନକୁ ଆସିଥିଲା । ଛତିଶଗଡ଼ ପୁଲିସର ଏହି ଅତ୍ୟାଚାରକୁ ରୋକିବା ତଥା ମନୋଜଙ୍କ ଧାନ ଫେରସ୍ତ ଆଣିବା ପାଇଁ କନକତୋରାବାସୀ ଗତ ରବିବାର ରେଙ୍ଗାଲୀ ଥାନା ଓ ସୋମବାର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ରାୟଗଡ଼ ଜିଲ୍ଲା ପ୍ରଶାସନ ସହ ବୁଝାମଣା କରି ବୁଧବାର ରାତିରେ ମନୋଜଙ୍କ ଧାନ ଫେରସ୍ତ ଆଣିଛି । ଏହାସହ ସୀମାନ୍ତ ଅଞ୍ଚଳରେ ଛତିଶଗଡ଼ ପୁଲିସର ଅତ୍ୟାଚାରକୁ ରୋକିବା ପାଇଁ ଶୀଘ୍ର ଓଡ଼ିଶା ସୀମାର ଶେଷରେ ସୂଚନାଫଳକ ଲଗାଇବ ବୋଲି ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking