27.1 C
Bhubaneswar
Thursday, April 25, 2024
Homeରଥଯାତ୍ରାରଥଖଳା ହାଲଚାଲ: ତିନି ରଥରେ ଲାଗିଲା ଦୁଆର ବେଢ଼ା

ରଥଖଳା ହାଲଚାଲ: ତିନି ରଥରେ ଲାଗିଲା ଦୁଆର ବେଢ଼ା

ପୁରୀ: ଆଉ ଦିନ କେଇଟା ପରେ ଅନୁଷ୍ଠିତ ହେବ ବଡ ଠାକୁରଙ୍କ ବଡ ଯାତ ରଥଯାତ୍ରା । ଏଥିପାଇଁ ସଜେଇ ହେଉଛି ରଥ ଆଉ ପଥ । ରଥଖଳାରେ ରଥ କାର୍ଯ୍ୟ ଜୋର ସୋରରେ ଚାଲି ଥିବାବେଳେ ତିନି ରଥର ଦୁଆର ବେଢ଼ା କାର୍ଯ୍ୟ ସରିବା ପରେ ଭୋଇ ସେବକମାନେ ତିନି ରଥରେ ଦୁଆର ବେଢ଼ା ଲଗାଇଛନ୍ତି । ତିନି ରଥର ଚାରିକୋଣକୁ ଛାଡ଼ି ବେଦୀ ଚାରିପାର୍ଶ୍ୱରେ ପଟା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି । ଅନ୍ୟପଟେ ତିନି ରଥର ବେଦୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଥିବାବେଳେ ସିଂହାସନ ବେଦୀ ପ୍ରସ୍ତୁତି ପାଇଁ ଆଗଆଣି ଓ ପଛଅଣି ଢ଼ମକ ଉପରେ ୫ଟି ଜଗତପୃଷ୍ଠ ଶେଣି ପଡ଼ିଛି । ଏହା ଉପରେ ଉଭୟ ପାର୍ଶ୍ୱରେ ତିନୋଟି ଲେଖାଏଁ ବାହୁଟ ଫାଳିଆ ପଡ଼ି ବେଦୀ ନିର୍ମାଣ ପାଇଁ ପଟା ବାଡ଼ିଆ ଆରମ୍ଭ ହୋଇଛି ।

ଘୋଡ଼ା ସଂଯୋଗ ପାଇଁ ତିନି ରଥର ଦୁଇଟି ଲେଖାଏଁ ଈଷ ନିର୍ମାଣ ଶେଷ ହୋଇଛି । ତିନି ରଥରେ ପ୍ରଭା ଫ୍ରେମ୍‌ରେ ପଟା ବାଡ଼ିଆ ପରେ ବାଙ୍କ ପଡ଼ି ରୂପ ଖୋଦେଇ ପଟା ସଂଯୋଗ ହୋଇଛି । ମହାରଣା ସେବକମାନେ ଏହାକୁ ରୂପ ଖୋଦେଇ ପାଇଁ ରୂପକାର ସେବକଙ୍କୁ ଯୋଗାଇ ଦେଇଛନ୍ତି । ରୂପକାର ସେବକମାନେ ୨୪ଟି ନାଟଗୋଡ଼ରୁ ବାକି ଥିବା ତିନି ନାଟଗୋଡ଼ରେ ଗନ୍ଧର୍ବ ଖୋଦେଇ ଶେଷ କରି ଚିତ୍ରକାରମାନଙ୍କୁ ଯୋଗାଇ ଦେଇଛନ୍ତି । ତିନି ରଥର ପ୍ରଭାରେ ରୂପକାରମାନେ ଚିତ୍ର ଅଙ୍କନ ଶେଷ ପରେ ଖୋଦେଇ ଆରମ୍ଭ ହୋଇଛି ।

ରୂପକାର ସେବକମାନେ ପ୍ରଭା ଉପର ଭାଗରେ ଦୁଇଟି ହାତରେ ଛୁରି ଧରିଥିବା ରାହୁ ମୁଖ ଖୋଦେଇ ସହ ବାଙ୍କରେ ଡାଳି, ଲତା ଓ ତଳ ଦୁଇପଟରେ ଗୋଟିଏ ଲେଖାଏଁ ମଗର ମୁଖ ଚିତ୍ର ଖୋଦେଇ ଆରମ୍ଭ କରିଛନ୍ତି । ଚିତ୍ରକାର ସେବକମାନେ କୋଣଗୁଜ, ପଟାଗୁଜରେ ଚିତ୍ର କାର୍ଯ୍ୟ ସହ ତିନି ରଥର ଚକରେ ପ୍ରାଇମର ବୋଳିଛନ୍ତି । ପାର୍ଶ୍ୱ ଦେବାବେଦୀଙ୍କ ରଙ୍ଗ ସହ ନାଟଗୋଡ଼, କନ୍ୟା ପଟା, ହଂସପଟା, କଳସ ଆଦିରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି । କମାରଶାଳରେ ଓଝା ସେବକମାନେ ଜଗତପୃଷ୍ଠ ଶେଣି କଣ୍ଟା, ବାହୁଟ ଫାଳିଆ କଣ୍ଟା ମହାରଣାମାନଙ୍କୁ ଯୋଗାଇ ଦେବା ପରେ ଧ୍ୱଜାବତା କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking