40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଚନ୍ଦ୍ରାନାଳା ଡ୍ୟାମ୍ ପ୍ରକଳ୍ପକୁ ଗ୍ରାମବାସୀଙ୍କ ବିରୋଧ

ଚନ୍ଦ୍ରାନାଳା ଡ୍ୟାମ୍ ପ୍ରକଳ୍ପକୁ ଗ୍ରାମବାସୀଙ୍କ ବିରୋଧ

ରାଉରକେଲା : ଲାଠିକଟା ବ୍ଲକ୍ ଅନ୍ତର୍ଗତ ବଡଦଲକି ପଞ୍ଚାୟତରେ ପ୍ରସ୍ତାବିତ ଚନ୍ଦାନାଳା ଡ୍ୟାମ୍ପ ପ୍ରକଳ୍ପ ନିର୍ମାଣକୁ ପ୍ରଭାବିତ ହେବାକୁ ଥିବା ଉକ୍ତ ପଞ୍ଚାୟତର ୩ ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି । ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ନେତୃତ୍ୱରେ ସେମାନେ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିବା ସହ ତହସିଲଦାର ମନସ୍ମିତା ଦାସଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସୁନ୍ଦରଗଡ ଜିଲ୍ଲା ଲାଠିକଟା ବ୍ଲକ୍ ଅନ୍ତର୍ଗତ ବଡଦଲକି ପଞ୍ଚାୟତରେ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ତରଫରୁ ଚନ୍ଦ୍ରାନାଳା ଡ୍ୟାମ ପ୍ରକଳ୍ପ ନିର୍ମାଣ ପାଇଁ ଆବଶ୍ୟକୀୟ ସର୍ବେକ୍ଷଣ ଚାଲିଛି । ଏହି ପ୍ରକଳ୍ପର ଉଚ୍ଚତା ନାଳାର ଗଭୀର ଶଯ୍ୟା ଠାରୁ ୨୪ ମିଟର ଧାର୍ଯ୍ୟ କରାଯାଇଥିବା ବେଳେ ଡ୍ୟାମ୍‌ର ଲମ୍ବ ୧୪୧୭ ମିଟର ରଖାଯାଇଛି । ଡ୍ୟାମ୍ ପ୍ରକଳ୍ପର ଜଳଧାରଣ କ୍ଷମତା ୨୦୨୯.୧୦ ହାମ୍ ରଖିବା ପାଇଁ ପ୍ରସ୍ତାବ ରଖାଯାଇଛି । ସମ୍ପ୍ରତି ପ୍ରକଳ୍ପ ପାଇଁ ସର୍ଭେ ଓ ଅନୁସନ୍ଧାନ କାର୍ଯ୍ୟ ଚାଲିଥିବା ବେଳେ ଏହାର କାର୍ଯ୍ୟକାରିତା କେନ୍ଦ୍ରୀୟ ଜଳ ଆୟୋଗଙ୍କ ଅନୁମୋଦନ ଅପେକ୍ଷାରେ ରହିଛି । ଏହା ଅନୁମୋଦିତ ହେବା ପରେ ଡ୍ୟାମ୍‌ର ରୂପରେଖ ଓ ଅଟ୍ଟକଳ ମୂଲ୍ୟକୁ ନେଇ ସବିଶେଷ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି । ତେବେ ଏଠାରେ ପ୍ରକଳ୍ପ ନିର୍ମିତ ହେଲେ ଉପରୋକ୍ତ ୩ଟି ଗ୍ରାମ ଯଥା ଗଇଲୋ, ଦଲକି ଓ ମୁଷାପାଲ୍ଲୀ ଜଳ ଭଣ୍ଡାରର ଜଳ ମଗ୍ନତା ଯୋଗୁ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ । ଗଇଲୋ ଗ୍ରାମ ସମ୍ପୂର୍ଣ୍ଣ ଜଳମଗ୍ନ ହେବା ସହ ମୂଷାପାଲ୍ଲୀ ଓ ଦଲକି ଗ୍ରାମ ଆଂଶିକ ପ୍ରଭାବିତ ହେବ । ଅପରପକ୍ଷରେ ଡ୍ୟାମ୍ ପ୍ରକଳ୍ପ ପାଇଁ କ୍ଷତିଗ୍ରସ୍ତ ହେବାକୁ ଥିବା ଉପରୋକ୍ତ ୩ ଗ୍ରାମବାସୀଙ୍କ ଥଇଥାନ ଓ ପୁର୍ନବସତି ପାଇଁ ଅଦ୍ୟାବଧି କୌଣସି ସର୍ଭେ ଓ ଅନୁସନ୍ଧାନ କାର୍ଯ୍ୟ କରାଯାଇ ନାହିଁ । ଏହି ପ୍ରସ୍ତାବିତ ଚନ୍ଦ୍ରାନାଳା ସାମ୍ବିଧାନର ପଞ୍ଚମ ସୂଚୀ ଅନ୍ତର୍ଭୁକ୍ତ ସର୍ତ୍ତର ଉଲ୍ଲଂଘନ ସହ ପଞ୍ଚମ ସୂଚୀର ଧାରା ୫ (୨)(କ) ଓ (ଖ)ର ସ୍ପଷ୍ଟ ଉଲ୍ଲଂଘନ, ଜଙ୍ଗଲ ଅଧିକାର ଆଇନ୍‌-୨୦୦୬ର ଉଲ୍ଲଂଘନ ସହ ଏଠାରେ ବସବାସ କରୁଥିବା ଲୋକେ ଜଙ୍ଗଲ ଜମିର ପଟ୍ଟା ପାଇଁ ଆବେଦନ କରିଥିବାରୁ ଏହା ବ୍ୟକ୍ତିଗତ ଜଙ୍ଗଲ ଜମି ଅଧିକାରର ନିୟମ ଉଲ୍ଲଂଘନ କରୁଥିବା ବେଳେ ରାଜ୍ୟ ସରକାରଙ୍କ (୧୯୫୬) ୨ର ଧାର୍ଯ୍ୟ ନିୟମର ମଧ୍ୟ ଉଲ୍ଲଂଘନ କରୁଛି । ଏଥିସହ ପ୍ରକଳ୍ପ ନିର୍ମାଣରେ ୧୯୯୬ର ପେସା ଆଇନ୍ ଅନ୍ତର୍ଗତ ସର୍ତ୍ତାବଳୀ ଅନୁସରଣ କରାଯାଉ ନାହିଁ ବୋଲି ଯୁକ୍ତି ଦର୍ଶାଇ ପ୍ରକଳ୍ପ କାର୍ଯ୍ୟ ପାଇଁ ଉଦ୍ୟମ ଚାଲିଥିବାରୁ ଏହାକୁ ଜଳ, ଜଙ୍ଗଲ, ଜମି ବଞ୍ଚାଅ କମିଟି ପକ୍ଷରୁ ଦୃଢ ବିରୋଧ କରାଯାଇଛି । ଯଦି ସରକାରଙ୍କ ପକ୍ଷରୁ ଏଭଳି ସମ୍ବେଦନଶୀଳ ଘଟଣା ପ୍ରତି ଦୃଷ୍ଟି ଦିଆନଯାଏ ତେବେ ଗରିବ ଆଦିବାସୀମାନଙ୍କ ସ୍ୱାର୍ଥ ଓ ସୁରକ୍ଷା ବଳିପଡିବ ବୋଲି ସ୍ମାରକପତ୍ରରେ ଦର୍ଶାଯାଇଛି । ତେଣୁ ଏହି ଘଟଣାରେ ରାଜ୍ୟପାଳ ହସ୍ତକ୍ଷେପ କରି ଚାଲିଥିବା ସର୍ଭେ ଓ ଅନୁସନ୍ଧାନ କାର୍ଯ୍ୟକୁ ବନ୍ଦ କରିବା ସହ ପେସା ଆଇନ୍ ଅନୁଯାୟୀ ଗ୍ରାମସଭା ବୈଠକର ନିଷ୍ପତ୍ତି ଅନୁଯାୟୀ ପ୍ରକଳ୍ପ କାର୍ଯ୍ୟ କରାଗଲେ ଉପରୋକ୍ତ ୩ଟି ଗ୍ରାମବାସୀମାନେ ଉପକୃତ ହୋଇପାରନ୍ତେ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking