26.1 C
Bhubaneswar
Friday, March 29, 2024
Homeଓଡିଶାକାଳବୈଶାଖୀ ସମ୍ଭାବନା : ୨୦ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

କାଳବୈଶାଖୀ ସମ୍ଭାବନା : ୨୦ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଣ୍ଡାମାନ-ନିକୋବର ଦୀପପୁଞ୍ଜରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି । ଏହା ଆଗାମୀ ୨ରୁ ୩ ଦିନ ମଧ୍ୟରେ ଆଣ୍ଡାମାନ୍ ସମୁଦ୍ର ଓ ଦୀପପୁଞ୍ଜରେ ସମ୍ପୂର୍ଣ୍ଣ ସ୍ପର୍ଶ କରିବା ସହ ଦକ୍ଷିଣ ବଙ୍ଗୋପସାଗରର କିଛି ଅଂଶ ଏବଂ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଞ୍ଚଳରେ ପ୍ରବେଶ କରିବା ଲାଗି ପାଗ ଅନୁକୂଳ ରହିଛି । ଆଇଏମ୍‌ଡି କହିବା ଅନୁସାରେ, ଆଣ୍ଡାମାନରେ ୨୨ ତାରିଖ ସୁଦ୍ଧା ମୌସୁମୀ ବାୟୁ ଛୁଇଁବ ବୋଲି ଆକଳନ କରାଯାଇଥିଲା । ତେବେ ଆକଳନ ସମୟର ୬ଦିନ ପୂର୍ବରୁ ଆଣ୍ଡାମାନରେ ପହଞ୍ଚିଛି ଦକ୍ଷିଣ-ପଶ୍ଚିମ ମୌସୁମୀ । ଆଣ୍ଡାମାନ୍ ସାଗର ସହ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅଗ୍ରସର ହେବ । ଆଣ୍ଡାମାନ ଛୁଇଁବାର ୧୫ ଦିନ ପରେ ଅର୍ଥାତ ଜୁନ୍ ୧ରେ ମୌସୁମୀ କେରଳ ଛୁଇଁଥାଏ ।

ସାଧାରଣତଃ କେରଳ ଛୁଇଁବାର ୧୦ ଦିନ ଭିତରେ ଓଡ଼ିଶାରେ ପ୍ରବେଶ କରିଥାଏ ମୌସୁମୀ । ଭାରତୀୟ ପାଣିପାଗ ବିଭାଗ ଆକଳନକୁ ଯଦି ଧରାଯାଏ, ତାହେଲେ ଓଡ଼ିଶାରେ ମୌସୁମୀ ଜୁନ୍ ପ୍ରଥମ ସପ୍ତାହରେ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଚଳିତ ବର୍ଷ ମେ’ ୨୭ରେ ଦକ୍ଷିଣ ପଶ୍ଚିମ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ରହିଛି । ଏହି ଆକଳନରେ ମଡେଲ ଜନିତ ତ୍ରୁଟି ୪ ଦିନ ଆଗୁଆ କିମ୍ବା ପଛୁଆ ହୋଇପାରେ । ଏଥର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସୋମବାର ଆଣ୍ଡାମାନ ନିକୋବର ଛୁଇଁସାରିଛି । ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ସାଧାରଣତଃ ମୌସୁମୀ ଜୁନ ୧ରେ କେରଳ ଛୁଇଁଥାଏ । ଏହାପରେ ପର୍ଯ୍ୟାୟକ୍ରମେ ଦେଶର ବିଭିନ୍ନ ପ୍ରାନ୍ତକୁ ଯାଇଥାଏ । ଏଥର ପାଗ ଅନୁକୂଳ ଥିବାରୁ ମୌସୁମୀ ଆଗୁଆ ଆସିପାରେ । ମେ’ ୨୭ରେ ମୌସୁମୀ କେରଳ ଛୁଇଁବାକୁ ଥିବା ବେଳେ ଏଥର ଏହା ସ୍ୱାଭାବିକ ରହିବ ।

୨୦୦୫ ମସିହାରୁ ୨୦୨୧ ଯାଏ ଅର୍ଥାତ ୧୭ ବର୍ଷ ମଧ୍ୟରେ ୨୦୧୫କୁ ଛାଡ଼ିଦେଲେ ଆଇଏମଡି ଆକଳନ ପ୍ରାୟ ସଠିକ୍ ରହିଛି । ତେବେ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ୨୦୧୭ରେ ମେ ୩୦, ୨୦୧୮ରେ ମେ ୨୯, ୨୦୧୯ରେ ୮ଜୁନ, ୨୦୨୦ରେ ଜୁନ ୧ ଏବଂ ୨୦୨୧ରେ ଜୁନ ୩ ତାରିଖରେ ମୌସୁମୀ ବାୟୁ କେରଳ ଛୁଇଁଥିଲା । ଏବର୍ଷ ବି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସଅଳ ଆସିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ମୌସୁମୀ ସ୍ୱାଭାବିକ ରହିବ ବୋଲି ଭାରତୀୟ ପାଣିପାଗ ସୂଚନା ଦେଇଥିଲା । ବିଭାଗ ପକ୍ଷରୁ କୁହାଯାଇଥିଲା ଯେ ମୌସୁମୀ ପ୍ରଭାବରେ ସମଗ୍ର ଦେଶରେ ୯୬%ରୁ ୧୦୪% ବର୍ଷା ହେବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍ ୧୭ ତାରିଖ ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଏବଂ ପବନ ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ଏହି ସବୁ ଜିଲ୍ଲାରେ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଥିବା ବେଳେ ପବନର ବେଗ ଘଣ୍ଟାପ୍ରତି ୪୦-୫୦ କିଲୋମିଟରରେ ପହଞ୍ଚିବାର ସମ୍ଭାବନା ରହିଛି ।

ସେହିପରି ରାୟଗଡ଼ା, କନ୍ଧମାଳ, ଗଜପତି, ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ବଜ୍ରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ୨୦ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟ ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତର ଜିଲ୍ଲାଗୁଡ଼ିକ ସମେତ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି । ଓଡିଶାର ବାକି ଜିଲ୍ଲାରେ ଶୁଖିଲା ପାଗ ରହିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଜିଲ୍ଲାଗୁଡ଼ିକରେ ଦିନର ତାପମାତ୍ରାରେ ସେପରି କୌଣସି ବଡ଼ ଧରଣର ପରିବର୍ତ୍ତନ ଘଟିବାର ସମ୍ଭାବନା ନଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking