ଚୀନ୍‌ରେ ପ୍ରବଳ ବନ୍ୟା, ୨୫ ମୃତ

ବେଜିଂ:  ଚୀନ୍‌ର ହେନାନ୍ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଝେଙ୍ଗ୍‌ଝାଓ ସହର ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଥିବାବେଳେ ୨୫ ଜଣ ଲୋକ ପ୍ରାଣ ହରାଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରୁ ସହରର ଏକ ସବ୍‌ୱେରେ କେବଳ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ଆପଲ ଆଇ-ଫୋନ୍ ପ୍ରସ୍ତୁତି ପାଇଁ ପ୍ରସିଦ୍ଧ ଝେଙ୍ଗ୍‌ଝାଓ ସହରରୁ ଇତିମଧ୍ୟରେ ୨ ଲକ୍ଷ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ସହରର ଲୋକସଂଖ୍ୟା ୧.୨ କୋଟି ହୋଇଥିବାବେଳେ ଅଧିକାଂଶ ବାସିନ୍ଦା ବର୍ତ୍ତମାନ ଜଳବନ୍ଦୀ ରହିଥିବା ଜଣାପଡିଛି । ସମଗ୍ର ହେନାନ୍ ପ୍ରଦେଶରେ ହାଇଆଲର୍ଟ ଜାରି କରାଯାଇଛି । ରାସ୍ତାରେ ଛାତିଏ ଉଚ୍ଚର ପାଣି ଚାଳୁଥିବାବେଳେ ସାଧାରଣ ଜୀବନଯାତ୍ରା ସମ୍ପୂର୍ଣ୍ଣ ବ୍ୟାହତ ହୋଇପଡିଛି । ଉଦ୍ଧାର କାର୍ଯ୍ୟରେ ସେନାକୁ ନିୟୋଜିତ କରାଯାଇଛି ।

ମେଟ୍ରୋ, ହୋଟେଲ ଓ ଅନ୍ୟ ସର୍ବସାଧାରଣ ସ୍ଥାନରେ ଫସିଯାଇଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି । ବିଗତ ୨୪ ଘଣ୍ଟାରେ ଏଠାରେ ରେକର୍ଡ ୧୮ ଇଞ୍ଚ୍ (ପ୍ରାୟ ୪୫୮ ମିଲିମିଟର) ବର୍ଷା ହୋଇଥିବା ସ୍ଥାନୀୟ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ୟେଲୋ ନଦୀରେ ନିର୍ମିତ ବନ୍ଧ ପ୍ରତି ବିପଦ ଦେଖାଦେଇଛି । ଯଦି ଏହି ବନ୍ଧ ଭାଙ୍ଗିଯିବ, ତାହାହେଲେ ଝେଙ୍ଗ୍‌ଝାଓ ସହର ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଅବିଶ୍ରାନ୍ତ ବର୍ଷା ଯୋଗୁଁ ସହରର ବିମାନବନ୍ଦରକୁ ବନ୍ଦ ଘୋଷଣା କରାଯାଇଛି । କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ରିଲଫ୍ ଯୋଗାଇଦେବାକୁ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ନିର୍ଦ୍ଦେଶ ଦେଇଛନ୍ତି । ଏହି ସହରରେ ତାଇୱାନ କମ୍ପାନୀ ‘ହୋନ୍ ହାଇ ପ୍ରିସିସନ ଇଣ୍ଡଷ୍ଟ୍ରି କୋ’ ଅବସ୍ଥିତ ହୋଇଥିବାବେଳେ ସେଠାରେ ଦୈନିକ ୫ ଲକ୍ଷ ଆଇ-ଫୋନ ନିର୍ମାଣ କରାଯାଇଥାଏ । ତେଣୁ ସ୍ଥାନୀୟ ଲୋକେ ଏହି ସହରକୁ ଆଇ-ଫୋନ୍ ସିଟି ବୋଲି କହିଥାନ୍ତି ।

LEAVE A REPLY

Please enter your comment!
Please enter your name here