38.1 C
Bhubaneswar
Saturday, April 20, 2024
Homeଓଡିଶାଅନଲାଇନରେ ୧୫ ଦିନରେ ମିଳିବ ପ୍ରମାଣପତ୍ର: ରାଜସ୍ୱ ମନ୍ତ୍ରୀ

ଅନଲାଇନରେ ୧୫ ଦିନରେ ମିଳିବ ପ୍ରମାଣପତ୍ର: ରାଜସ୍ୱ ମନ୍ତ୍ରୀ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଜନସାଧାରଣ ଅନଲାଇନରେ ଆବେଦନ କରୁଥିବା ପ୍ରମାଣପତ୍ରକୁ ୧୫ ଦିନ ମଧ୍ୟରେ ଦେବା ପାଇଁ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ନିର୍ଦ୍ଦେଶ ଦେବା ସହ ଏହାକୁ ଖିଲାପ କରୁଥିବା କର୍ମଚାରୀମାନଙ୍କ ବିରୋଧରେ ଆଇନ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ସଦଭାବନା ସଭା ଗୃହରେ ଜିଲ୍ଲାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଉପରେ ସମୀକ୍ଷା କରି ରାଜସ୍ୱ ବିଭାଗ ଅଧିନରେ ଥିବା ଭୂମିହୀନ ଜନସାଧାରଣଙ୍କୁ ତୁରନ୍ତ ଚିହ୍ନଟ କରି ଜମି ପଟା ପ୍ରଦାନ ଉପରେ ଗୁରୁତ୍ୱ ଦେବା ସହ ଜନସାଧାରଣଙ୍କ ସହିତ ଉତ୍ତମ ବ୍ୟବହାର କରିବା ଉପରେ ଅଧିକାରୀଙ୍କଠାରୁ ଆରମ୍ଭ କରି କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସେ ପରାମର୍ଶ ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ମାରାଣ୍ଡି କହିଥିଲେ ଯେ ରାଜସ୍ୱ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ହେବା ସହ ଏହାର ଅଧିକାରୀମାନେ ଦାୟିତ୍ୱ ସମ୍ପନ୍ନ ହେବା ଦରକାର । ଜିଲ୍ଲାର ରାଜସ୍ୱ ବୃଦ୍ଧି କରିବା, ପରିବେଶ ସୁରକ୍ଷା, ଅଭାବୀ ଲୋକଙ୍କୁ ଉଚିତ ନ୍ୟାୟ ପ୍ରଦାନ ସହ ସମସ୍ତେ ଏକ ଟିମ୍ ୱାର୍କ ପରି କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଉକ୍ତ ସମୀକ୍ଷା ବୈଠକରେ ରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ ବେଆଇନ ଖଣିକୁ ତୁରନ୍ତ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ଲଘୁ ଖଣିଜ ଦ୍ରବ୍ୟ ଜନିତ ଚୋରାଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ଏହା ଉପରେ ତୁରନ୍ତ ପଦକ୍ଷେପ ନେବା ପାଇଁ ସେ ପରାମର୍ଶ ଦେଇଥିଲେ । ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦେଇ ଜିଲ୍ଲାର ସରକାରୀ ଜମିକୁ ଯେଉଁ ବାହୁବଳୀମାନେ ଅକ୍ତିଆର କରି ରଖିଛନ୍ତି ତାଙ୍କୁ ସେଠାରୁ ଉଚ୍ଛେଦ କରି ଜଙ୍ଗଲ ଜମିକୁ ପରିବର୍ତ୍ତନ କରାଯାଇ ଭୂମିହୀନମାନଙ୍କୁ ବଣ୍ଟନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଜିଲ୍ଲାରେ କାର୍ଯ୍ୟକାରୀ କରୁଥିବା କମ୍ପାନୀମାନଙ୍କୁ ପଟ୍ଟା ପ୍ରଦାନ କରାଯାଇ ସେମାନଙ୍କଠାରୁ ଖଜଣା ଆଦାୟ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଏବଂ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ଜରାସାହିରେ ବସବାସ କରୁଥିବା କୈବର୍ତ୍ତମାନଙ୍କୁ ଜମିପଟ୍ଟା ବଣ୍ଟନ କରିବା ପାଇଁ ରାଜସ୍ୱ ବିଭାଗକୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଜିଲ୍ଲାର ୩୨୧୮ଜଣ ଭୂମିହୀନଙ୍କ ମଧ୍ୟରୁ ଅଦ୍ୟାବଧି ୭୨୪ଜଣଙ୍କୁ ପଟ୍ଟା ପ୍ରଦାନ କରିବାକୁ ବାକି ରହିଥିବା ପ୍ରକାଶ କରିଥିଲେ । ୭୮ଟି ହାଇଟେକ ପଲ୍ଲୀକୁ ରାଜସ୍ୱ ଗ୍ରାମକୁ ପରିବର୍ତ୍ତନ ହେବା ପାଇଁ ଥିବାବେଳେ ସେଥିମଧ୍ୟରୁ ୨୫ ଭାଗ ଉକ୍ତ ମାନ୍ୟତା ପାଇବାକୁ ଯୋଗ୍ୟ ହେଉନଥିବା ସେ ପ୍ରକାଶ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଭବେଶ କୁମାର ନାୟକ ଜିଲ୍ଲାରେ ୨୦୧୯ ନଭେମ୍ବର ସୁଦ୍ଧା ୫୮କୋଟି ଟଙ୍କା ରାଜସ୍ୱ ସଂଗ୍ରହ ହୋଇଥିବା ପ୍ରକାଶ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ କାମାକ୍ଷାନଗର ଉପଜିଲ୍ଲାପାଳ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଢେଙ୍କାନାଳ ଉପ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ହିନ୍ଦୋଳ ଉପ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର ଓ ଉପ ସହକାରୀମାନେ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking