Home ରାଜନୀତି ଉପଜିଲ୍ଲାପାଳଙ୍କୁ ନେଇ ସିଇଓଙ୍କ ବୈଠକ: ତ୍ରୁଟିଶୂନ୍ୟ ଭୋଟର୍ ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ

ଉପଜିଲ୍ଲାପାଳଙ୍କୁ ନେଇ ସିଇଓଙ୍କ ବୈଠକ: ତ୍ରୁଟିଶୂନ୍ୟ ଭୋଟର୍ ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଭୋଟର୍ ତାଲିକାରେ ପଞ୍ଜୀକରଣ ନିମନ୍ତେ ଫର୍ମରେ ସଂଶୋଧନ, ଦାବି-ଆପତ୍ତି, ଭୋଟର୍ ତାଲିକା ପାଇଁ ଯୋଗ୍ୟତାସୂଚକ ତାରିଖ ଓ ଭୋଟର୍ କାର୍ଡରେ ଆଧାର ସଂଯୋଗୀକରଣ ନିମନ୍ତେ ଫର୍ମ-୬(ଖ)ର ପ୍ରଚଳନ କ୍ଷେତ୍ରରେ ଅନେକଗୁଡ଼ିଏ ସଂଶୋଧନ କରାଯାଇଛି । ଯେଭଳି ତ୍ରୁଟିଶୂନ୍ୟ ଭୋଟର୍ ତାଲିକା ପ୍ରସ୍ତୁତି ହେବ; ସେଥିପ୍ରତି ଉପ ଜିଲ୍ଲାପାଳମାନେ ଗୁରୁତ୍ୱ ଦେବାକୁ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁଶୀଲ୍ କୁମାର ଲୋହାନୀ ପରାମର୍ଶ ଦେଇଛନ୍ତି । ଶୁକ୍ରବାର ଭୁବନେଶ୍ୱରସ୍ଥ ମଧୁସୂଦନ ଏକାଡେମୀରେ ସିଇଓ ଶ୍ରୀ ଲୋହାନୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ସବୁ ଉପଜିଲ୍ଲାପାଳଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଲୋକପ୍ରତିନିଧି ଆଇନ-୧୯୫୦ ଏବଂ ନିର୍ବାଚନ ପଞ୍ଜୀକରଣ ଆଇନ-୧୯୬୦ରେ କେତେକ ସଂଶୋଧନ କରାଯାଇଥିବା ସମ୍ପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ ଉପସ୍ଥିତ ଅଧିକାରୀଙ୍କୁ ସୂଚନା ଦେଇଥିଲେ ।

ଭାରତ ନିର୍ବାଚନ ଆୟୋଗ ଭୋଟର୍ ତାଲିକାରେ ସ୍ୱଚ୍ଛତା ବଜାୟ ରଖିବା ନିମନ୍ତେ ଭୋଟର୍ ଫଟୋ ପରିଚୟ ପତ୍ର ସହ ସ୍ୱେଚ୍ଛାକୃତ ଭାବେ ଆଧାର ସଂଯୋଗୀକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଶ୍ରୀ ଲୋହାନି କହିଛନ୍ତି ଯେ ଭୋଟର୍ ତାଲିକା ସହ ଆଧାର ସଂଯୋଗୀକରଣ ପାଇଁ ଜଣେ ଘରେ ରହି ଗୁଗୁଲୁ ପ୍ଲେ ଷ୍ଟୋରରୁ ନିଜ ମୋବାଇଲ୍‌ରେ ଇସିଆଇ ୱେବ୍ ପୋର୍ଟାଲକୁ ଡାଉନ୍‌ଲୋଡ୍ କରି ଆଧାର ସଂଯୋଗୀକରଣ କାର୍ଯ୍ୟ କରିପାରିବେ । ଭୋଟର୍ ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ଜାନୁଆରୀ ୧ ବ୍ୟତୀତ ଆଉ ତିିନିଗୋଟି ଯୋଗ୍ୟତାସୂଚକ ତାରିଖ ଯଥା ଅପ୍ରେଲ ୧, ଜୁଲାଇ ୧ ଏବଂ ଅକ୍ଟୋବର ୧, ଏହିପରି ଏଣିକି ଚାରିଗୋଟି ଯୋଗ୍ୟତାସୂଚକ ତାରିଖ ରହିବ । ବାର୍ଷିକ ଚିଠା ଭୋଟର ତାଲିକା ପ୍ରକାଶନ ୯ ନଭେମ୍ବର ୨୦୨୨ରୁ ୮ଡିସେମ୍ବର ୨୦୨୨ ମଧ୍ୟରେ କରାଯିବ ।

ଏହାପରଠାରୁ ଯେଉଁ ନାଗରିକଙ୍କର ବୟସ ୧୭ ବର୍ଷ ପୂରଣ ହୋଇଥିବ, ସେ ଭୋଟର୍ ତାଲିକାରେ ନିଜ ନାମ ପଞ୍ଜୀକରଣ ନିମନ୍ତେ ଆଗୁଆ ଆବେଦନ କରିପାରିବେ । ପରବର୍ତ୍ତୀ ଯୋଗ୍ୟତାସୂଚକ ତାରିଖରେ ତାଙ୍କୁ ୧୮ ବର୍ଷ ପୂରଣ ହେଲେ ତାଙ୍କର ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଯିବ । ପ୍ରଦତ୍ତ ଠିକଣାରେ ଡାକଯୋଗେ ତାଙ୍କର ଭୋଟର ପରିଚୟ ପତ୍ର ପ୍ରେରଣ କରାଯିବ । ପୁନରାୟ ଆଉ ତାଙ୍କୁ ଆବେଦନ ପତ୍ର ଦାଖଲ କରିବାକୁ ପଡ଼ିବ ନାହିଁ । ଶ୍ରୀ ଲୋହାନି କହିଛନ୍ତି ଯେ ଲୋକପ୍ରତିନିଧି ଆଇନ-୧୯୫୦ ଏବଂ ନିର୍ବାଚନ ପଞ୍ଜୀକରଣ ଆଇନ-୧୯୬୦ର ସଂଶୋଧନ ଫଳରେ ଭୋଟର୍ ତାଲିକାରେ ନାମ ସଂଯୋଗ ନିମନ୍ତେ ଥିବା ଫର୍ମରେ କେତେକ ସଂଶୋଧନ କରାଯାଇଛି ।

ସେଗୁଡ଼ିକ ହେଉଛି ଫର୍ମ ନଂ-୬ରେ କେବଳ ନାମ ପଂଜୀକରଣ ନିମନ୍ତେ ଆବେଦନ, ଫର୍ମ ନଂ-୬(ଖ)ରେ ଭୋଟର୍ ଫଟୋ ପରିଚୟ ପତ୍ର ସହ ଆଧାର ସଂଯୋଗୀକରଣ, ଫର୍ମ-୭ରେ ଭୋଟର୍ ତାଲିକାରୁ ତଥ୍ୟ ବାଦ୍ ଦେବା ଏବଂ ଫର୍ମ ନଂ-୮ରେ ବାସସ୍ଥାନ ସ୍ଥାନାନ୍ତରଣ, ପ୍ରଚଳିତ ଭୋଟର୍ ତାଲିକାରେ ଥିବା ତ୍ରୁଟି ସଂଶୋଧନ, ଭୋଟର୍ ଫଟୋ ପରିଚୟ ପତ୍ର ବଦଳ ଏବଂ ଦିବ୍ୟାଙ୍ଗ ଭୋଟର୍‌ଙ୍କୁ ଚିହ୍ନଟ କରିବା ଇତ୍ୟାଦି ସମ୍ପର୍କରେ ବ୍ୟବହାର କରାଯିବ । ପ୍ରତ୍ୟେକ ନାଗରିକ ଯେଉଁମାନଙ୍କ ବୟସ ୨୦୨୩ରେ ଥିବା ଯୋଗ୍ୟତାସୂଚକ ତାରିଖ ସୁଦ୍ଧା ୧୮ ବର୍ଷ ପୂରଣ ହେବାକୁ ଥିବ, ସେମାନଙ୍କୁ ଆଗୁଆ ନାମ ପଞ୍ଜୀକରଣ ନିମନ୍ତେ ଆବେଦନ କରିବା ନିମନ୍ତେ ଉତ୍ସାହିତ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।

NO COMMENTS

LEAVE A REPLY

Please enter your comment!
Please enter your name here

Breaking