ଭୁବନେଶ୍ବର : କେବଳ ରାଜ୍ୟର ରାଜଧାନୀ ନୁହେଁ, ଏକ ସ୍ମାର୍ଟସିଟିର ମାନ୍ୟତା ପାଇଥିବା ସହର ଭୁବନେଶ୍ବର। ରାଜ୍ୟର ସର୍ବବୃହତ୍ତ ମହାନଗର। ରାଜ୍ୟ ସରକାରଙ୍କ ଦାବି ଅନୁସାରେ, ଅନ୍ତର୍ଜାତୀୟ ପୁଞ୍ଜି ନିବେଶକାରୀ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାଲାଗି ସକ୍ଷମ ଭୁବନେଶ୍ବର। ତେବେ ଏ ସହରରେ ଥିବା ରାଜ୍ୟ ସରକାରଙ୍କର ସର୍ବବୃହତ୍ତ ହସ୍ପିଟାଲରେ ଗତକାଲିଠାରୁ ଦେଖିବାକୁ ମିଳୁଥିବା ଦୃଶ୍ୟକୁ ଦେଖିଲେ ଉପରୋକ୍ତ ପ୍ରଶଂସାଗୁଡ଼ିକ ଡ଼ାହାମିଛ ବୋଲି ସନ୍ଦେହ ହୁଏ। ସେ ସନ୍ଦେହ ବି ଅମୂଳକ ନୁହେଁ। ଗୋଟିଏ ବଡ଼ କଥା ହେଉଛି, ମୁଖ୍ୟମନ୍ତ୍ରୀଙ୍କ ବାସଭବନଠାରୁ ଏ ହସ୍ପିଟାଲର ଦୂରତ୍ବ ପ୍ରାୟ ୧ କିମି ହେବ, ରାଜ୍ୟ ବିଧାନସୌଧଠାରୁ ତ ତା’ଠୁ ଆହୁରି କମ୍। ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି କ୍ୟାପିଟାଲ ହସ୍ପିଟାଲ ସଫେଇ କର୍ମଚାରୀଙ୍କ ଧାରଣା। ଆଜି ସକାଳୁ ତ ସଫେଇ ହୋଇନଥିଲା, ଦିନଯାକ ସେ ସ୍ଥିତି ଜାରି ରହିଲା। ହସ୍ପିଟାଲ ଭିତରେ ସ୍ଥିତି ଅତି ସାଂଘାତିକ ଓ ଅସହ୍ୟ ହେଲା। ମଝିରେ ଘଣ୍ଟାକ ପାଇଁ ସଫେଇ କର୍ମଚାରୀ ଧାରଣାରୁ ଉଠି କାମ କରିଥିଲେ। ତା’ପରେ ପୁଣି ଧାରଣାକୁ ଫେରିଗଲେ। ତା’ପରଠାରୁ ବିଳମ୍ବିତ ରାତିରେ ଏ ଖବର ଲେଖାହେବାଯାଏ କେଉଁଠି ଆଉ ଝାଡୁ ବି ମରା ହୋଇନାହିଁ। ଫଳରେ ହସ୍ପିଟାଲର ଅବସ୍ଥା ସଙ୍ଗିନ ହୋଇ ଯାଇଛି। ସକାଳୁ ଯୁଆଡ଼େ ଦେଖିବ କୁଢ଼ କୁଢ଼ ଅଳିଆ ଆବର୍ଜନା। ସଂପୂର୍ଣ୍ଣ ପରିବେଶ ଗନ୍ଧମୟ। ଶୌଚାଳୟର ପାଣି ବାହାରି ୱାର୍ଡ ବାରଣ୍ଡାରେ ଲହଡ଼ି ମାରୁଥିବାବେଳେ ବିଭିନ୍ନ ୱାର୍ଡର ଡଷ୍ଟବିନରେ ପଡ଼ିଥିବା ଖାଇବା ପଚି ଦୁର୍ଗନ୍ଧରେ ଫାଟି ପଡ଼ୁଛି। ଯେଉଁଆଡ଼େ ଆଖି ପଡୁଛି, ଇଞ୍ଜେକସନ, ଗଜ କପଡ଼ା, ଔଷଧର ଖୋଳ ପଡ଼ିଛି। ତା’ଉପରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଜୀବନ ବିକଳରେ ବାଧ୍ୟହୋଇ ଚାଲୁଛନ୍ତି। ଦୁର୍ଗନ୍ଧରୁ ରକ୍ଷା ପାଇବାଲାଗି ନାକରେ ରୁମାଲ ବାନ୍ଧିବା ହିଁ ସମ୍ଭବ ହେଉଛି। ଡାକ୍ତରମାନେ ମଧ୍ୟ ନାକରେ ମାସ୍କ ବାନ୍ଧି ରୋଗୀ ଚିକିତ୍ସା କରୁଛନ୍ତି। ଜରୁରୀକାଳୀନ ବିଭାଗ ଓ ଡ୍ରେସିଂ କକ୍ଷର ଅବସ୍ଥା ନ କହିବା ଭଲ। ବିଭାଗ ମଧ୍ୟରେ କେଉଁଠି ରକ୍ତ ତ ଆଉ କେଉଁଠି ଗଜ କପଡ଼ା ଓ ସାଲାଇନ ବୋତଲ ବିଛାଡ଼ି ହୋଇ ପଡ଼ିଛି। ଡ୍ରେସିଂ କକ୍ଷର ଅବସ୍ଥା ଆଖିରେ ଦେଖି ହେବନାହିଁ। ଏହା ଭିତରେ ବି ଜୀବନ ବିକଳରେ ଦଳକୁ ଦଳ ରୋଗୀ ଭାଗ୍ୟକୁ ଆଦରି ଆସୁଛନ୍ତି, ବା ତାଙ୍କ ସଂପର୍କୀୟ ତାଙ୍କୁ ବୋହି ଆଣୁଛନ୍ତି। ତାଙ୍କ ଥରଥର ପାଦର ଚଟିରେ କେବେ ଲଟକି ଯାଉଛି ରକ୍ତମଖା ତୁଳା ଓ ଗଜ କପଡ଼ା, ତ କେବେ ଖାଲି ସାଲାଇନ୍ ବୋତଲରେ ପାଦ ପଡ଼ିଗଲେ, ବୋତଲ ଚେପାହୋଇ ଭିତରୁ ଫୁସ୍କି ବାହାରି ଯାଉଛି ରାଜଧାନୀର ବାସିନ୍ଦା ହେବାର ଗର୍ବ ଓ ଆତ୍ମବିଶ୍ବାସ।