28.1 C
Bhubaneswar
Friday, March 29, 2024
Homeଓଡିଶାଥାଳି ବାଡ଼େଇ କଳା କୃଷି ଆଇନର ପ୍ରତ୍ୟାହାର ଆହ୍ୱାନ : ନବନିର୍ମାଣ କୃଷକ ସଂଗଠନ

ଥାଳି ବାଡ଼େଇ କଳା କୃଷି ଆଇନର ପ୍ରତ୍ୟାହାର ଆହ୍ୱାନ : ନବନିର୍ମାଣ କୃଷକ ସଂଗଠନ

ଭୁୁବନେଶ୍ୱର, ୨୫.୧୨: କୃଷକ ବିରୋଧୀ ତିନି କଳା ଆଇନ୍ ପ୍ରତ୍ୟାହାର ଦାବିରେ ଦିଲ୍ଲୀରେ ଚାଲିଥିବା ଦୀର୍ଘଦିନ ଧରି ଚାଷୀ ଆନ୍ଦୋଳନକୁ କ୍ରିୟାଶୀଳ କରି ଏହି ଆନ୍ଦୋଳନକୁ ତୃଣମୂଳସ୍ତରରେ ପହଞ୍ଚାଇବା ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଦିଆଯାଇଥିବା ଆହ୍ୱାନ ଅନୁଯାୟୀ ଆଗାମୀ ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ସମୟରେ ଓଡ଼ିଶାରେ ନବନିର୍ମାଣ କୃଷକ ସଂଗଠନ ତରଫରୁ ପ୍ରତିବାଦ କରାଯିବ । ମହାମାରୀ କରୋନା ସମୟରେ ନରେନ୍ଦ୍ର ମୋଦି ଯେଭଳି ଢଙ୍ଗରେ ଥାଳି ବାଡ଼ାଅ, ଘଣ୍ଟ ପିଟ କାର୍ଯ୍ୟକ୍ରମ କରୁଥିଲେ, ଏବେ କୃଷକ ସଂଗଠନ ସେମାନଙ୍କର ଦାବି ହାସଲ ପାଇଁ ମୋଦିଙ୍କୁ ଆକ୍ରମଣ କରିବା ପାଇଁ ତାଙ୍କ ରଣନୀତିକୁ ସମାନ ଢଙ୍ଗରେ ଆପଣାଇଛନ୍ତି । ଦୁଇଡ଼ିଗ୍ରୀ ସେଲ୍‌ସିୟସ ଥଣ୍ଡାରେ ଦିଲ୍ଲୀରେ ଲକ୍ଷାଧିକ ଚାଷୀ କଳା କୃଷି ଆଇନ୍‌ ପ୍ରତ୍ୟାହାର ଦାବିରେ ଶୀତ କାକରରେ ଅହିଂସକ ଆନ୍ଦୋଳନ ଚଳାଇ ରଖିଥିବା ବେଳେ ମୋଦି ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଉନାହାଁନ୍ତି । ବରଂ ଭାରତୀୟ ଜନତା ପାର୍ଟି ତରଫରୁ ୭୦୦ ଜାଗାରେ ଏ ନେଇ କାନୁନ ସପକ୍ଷରେ ସଭା କରାଯିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ନରେନ୍ଦ୍ର ମୋଦିଙ୍କୁ ଓ ତାଙ୍କ ମିଥ୍ୟା ପ୍ରଚାରକୁ ମୁକାବିଲା କରିବା ପାଇଁ କୃଷକ ନେତାମାନେ ୨୭ ତାରିଖ ଦିନ ତାଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ସମୟରେ ଚାଷୀମାନେ ନିଜ ଘର ଅଗଣାରେ ଏବଂ ଛକମାନଙ୍କରେ ଥାଳି ବାଡ଼େଇ ପ୍ରତିବାଦ କରିବାକୁ
ନବନିର୍ମାଣ କୃଷକ ସଂଗଠନ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଆହ୍ୱାନ ଜଣାଇଛନ୍ତି । ଆଜି ସାମ୍ବାଦିକ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନନ୍ଦ କହିଲେ ଯେ, କଳା କୃଷି ଆଇନ କୃଷକର ସର୍ବନାଶ କରିବ । କେବଳ କୃଷକଙ୍କ ହାତରୁ ବୃତ୍ତି ଏହି ଆଇନ ବଳରେ ଚାଲିଯିବ ନାହିଁ, ବରଂ ବହୁ ଲୋକ ଭବିଷ୍ୟତରେ ଏଥିପାଇଁ ଅନାହାର ମୃତ୍ୟୁର ଶିକାର ହେବେ । ଦିଲ୍ଲୀରେ ଚାଲିଥିବା ଐତିହାସିକ ଆନ୍ଦୋଳନ କେବଳ ଚାଷୀମାନଙ୍କ ପାଇଁ ନୁହେଁ, ଏଥିରେ କୋଟି କୋଟି ଖାଉଟିଙ୍କ ଜୀବନ ମରଣ ସମସ୍ୟା ରହିଛି । ଅସାଧୁ ବ୍ୟବସାୟୀମାନେ ବେଆଇନ୍ ହୋର୍ଡ଼ିଂ ପାଇଁ ଆଇନଗତ ସହାୟତା ପାଇଲା ପରେ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥର ଦର ଆକାଶଛୁଆଁ ହୋଇଯିବ । ସେହିଭଳି ଠକ ମଞ୍ଜି ଓ ସାର କମ୍ପାନୀମାନେ ଚାଷୀଙ୍କୁ ଠକିବା ପାଇଁ ଏହି ଆଇନରେ ରାସ୍ତା ଫର୍ଚ୍ଚା କରାଯାଇଛି । ଜଣେ ଚାଷୀର ସମସ୍ତ ବିହନ ଖରାପ ପଡ଼ିଲେ ବି ସେ ଅଦାଲତକୁ ନ୍ୟାୟ ପାଇଁ ଯାଇପାରିବ ନାହିଁ । ସେହିଭଳି କମ୍ପାନୀମାନଙ୍କୁ ଆହୁରି ଠିକା ଚାଷରେ ପ୍ରୋତ୍ସାହନ ଦେବା ଦ୍ୱାରା ଚାଷୀମାନେ କମ୍ପାନୀମାନଙ୍କ ସହ ଚାଷରେ ପ୍ରତିଦ୍ୱନ୍ଦିତା କରିପାରିବେ ନାହିଁ । ଆଇନରେ ଏମ୍‌ଏସ୍‌ପି ସୁରକ୍ଷିତ ନଥିବାରୁ ମଣ୍ଡିଂ ବାହାରେ ଖୋଲା ବଜାରରେ ଚାଷୀ ଖାଦ୍ୟଶସ୍ୟ ବିକ୍ରୟ ସମୟରେ କେନ୍ଦ୍ର ସରକାରଙ୍କ ପ୍ରଚାର ଅନୁଯାୟୀ ଅଧିକ ଦାମ ନପାଇ ଅସାଧୁ ଦଲାଲ ଓ ବ୍ୟବସାୟୀମାନଙ୍କ ଶିକାର ହୋଇ ସର୍ବସ୍ୱାନ୍ତ ହେବେ । ଆଜିର ସାମ୍ବାଦିକ ସମ୍ମିଳନୀରେ ଯୁବଛାତ୍ର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ, ରାଜ୍ୟ କମିଟି ସଭ୍ୟ ଶୁଭେନ୍ଦୁ ମଲ୍ଲିକ, ସଂଗ୍ରାମ କିଶୋର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking