26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଥମିବାରେ ନାଁ ନେଉନି ସିଏଏ ନିଆଁ : ପୁଲିସ ଗୁଳିରେ ମାଙ୍ଗାଲୁରରେ ୨ , ଲକ୍ଷ୍ନୌରେ...

ଥମିବାରେ ନାଁ ନେଉନି ସିଏଏ ନିଆଁ : ପୁଲିସ ଗୁଳିରେ ମାଙ୍ଗାଲୁରରେ ୨ , ଲକ୍ଷ୍ନୌରେ ଜଣେ ମୃତ

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଆନ୍ଦୋଳନ କ୍ରମଶଃ ରାଜ୍ୟ ପରେ ରାଜ୍ୟ ବ୍ୟାପିବାରେ ଲାଗିଛି । ବିଭିନ୍ନ ସହରରେ ଆନ୍ଦୋଳନକାରୀମାନେ ନିଷେଧ୍ୟାଦେଶ ନମାନି ରାଜରାସ୍ତାରୁ ଓହ୍ଲାଇବାରୁ ନାହିଁନଥିବା ପରିସ୍ଥିତି ସୃଷ୍ଟି ହେଉଛି । ଗୁରୁବାର କର୍ଣ୍ଣାଟକରେ ମାଙ୍ଗଲୁର ପୁଲିସ ଗୁଳିରେ ୨ଜଣ ଆନ୍ଦୋଳକାରୀଙ୍କର ମୃତ୍ୟୁ ଘଟିଛି ।
ସେହିପରି ଉତରପ୍ରଦେଶର ଲକ୍ଷ୍ନୌରେ ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଛି । ରାଜଧାନୀ ଦିଲ୍ଲୀରେ ଜୋରଦାର ବିରୋଧ ପଦର୍ଶନ କରାଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଜ ରାଜ୍ୟ ଗୁଜୁରାଟରେ ପୁଲିସ ଉପରେ ଆନ୍ଦୋଳନକାରୀମାନେ ଆକ୍ରମଣ କରିଥିବା ଜଣାପଡ଼ିଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକରେ ପରିସ୍ଥିତି ସମୀକ୍ଷା କରାଯାଇଛି । ଅପରପକ୍ଷରେ ସୁପ୍ରିମକୋର୍ଟ ସିଏଏ ସମ୍ପର୍କରେ ଜନସାଧାରଣଙ୍କୁ ସ୍ପଷ୍ଟ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଗୁରୁବାର କର୍ଣ୍ଣାଟକରେ ସିଏଏକୁ ବିରୋଧ କରି ଆନ୍ଦୋଳନ ହିଂସାତ୍ମକ ରୂପ ନେଇଛି । ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଗୁଳି ଚଳାଇବାକୁ ୨ଜଣଙ୍କର ମୃତ୍ୟୁ ହୋଇଥିଲା ।
ମୃତକ ଦ୍ୱୟ ହେଲେ ଜଲିଲ(୪୯) ଓ ନୌସୀନ(୨୩) ବୋଲି ମାଙ୍ଗାଲୁର ପୁଲିସ କମିଶନର ଡ.ହର୍ଷ କହିଛନ୍ତି । ସେଠାରେ ଆନ୍ଦୋଳନକାରୀମାନେ ପୁଲିସ ଉପରକୁ ଟେକାପଥର ମାଡ଼ କରିବାରୁ ସେମାନଙ୍କୁ ଘଉଡ଼ାଇବା ପାଇଁ ପ୍ରଥମେ ଲାଠିମାଡ ଼ଓ ପରେ ଗୁଳି ଚାଳନା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ କର୍ଣ୍ଣାଟକ କଂଗ୍ରେସ ନେତା ଦିନେଶ ଗୁଣ୍ଡୁରାଓ ଟ୍ୱିଟ କରି କହିଛନ୍ତି, ମାଙ୍ଗାଲୁରରେ ଦୁଃଖଦ ଘଟଣା ଘଟିଛି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିର ଅଧୋଗତି ପାଇଁ ସେ ବିଜେପିକୁ ଦାୟୀ କରିଛନ୍ତି । ମାଙ୍ଗାଲୁର ଟାଉନହଲରେ ଗୁରୁବାର ଐତିହାସିକ ରାମଚନ୍ଦ୍ର ଗୁହାଙ୍କ ସମେତ ଶତାଧିକ ବୁଦ୍ଧିଜୀବି ଏକଜୁଟ ହୋଇ ସିଏଏକୁ ବିରୋଧ କଲାବେଳେ ସେମାନଙ୍କୁ ଅଟକ ରଖାଯାଇଥିଲା । ଏହି ପରିପ୍ରେକ୍ଷୀରେ ୨ଜଣ କଂଗ୍ରେସ ନେତା ରାଜ୍ୟସଭା ସାଂସଦ ରାଜୀବ ଗୌଡ଼ା ଓ ଜୟନଗର ବିଧାୟକ ସୌମ୍ୟ ରେଡ୍ଡୀ ରାଜ୍ୟର ବିଭିନ୍ନ ଭାଗରେ ୧୪୪ଧାରା ଜାରିକୁ କର୍ଣ୍ଣାଟକ ହାଇକୋର୍ଟରେ ଚାଲେଂଚ କରିଛନ୍ତି ।
ଲକ୍ଷ୍ନୌରେ ସିଏଏକୁ ବିରୋଧ କରି ଅନୁରୂପ ପରିସ୍ଥତି ସୃଷ୍ଟି ହୋଇଛି । ଜଣେ ଆନ୍ଦୋଳନକାରୀ ମହମ୍ମଦ ୱିକିଲ(୨୫) ଗୁଳିମାଡ଼ରେ ନିହତ ହୋଇଛନ୍ତି । ତେବେ ସେ ପୁଲିସ ଗୁଳିରେ ପ୍ରାଣ ହରାଇବା ନେଇ କୌଣସି ସ୍ପଷ୍ଟ ରିପୋର୍ଟ ମିଳିନାହିଁ । ଅନ୍ୟ ୨ଜଣଙ୍କ ଦେହରେ ଗୁଳି ବାଜିଥିବାରୁ ସେମାନେ ଆହତ ଅବସ୍ଥାରେ କିଙ୍ଗ ଜର୍ଜ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଆନ୍ଦୋଳନକାରୀମାନେ ଲକ୍ଷ୍ନୌର ପରିବର୍ତନ ଚୌକରେ ଏକ ସରକାରୀ ବସ ପୋଡ଼ି ଦେଇଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଏହି ଘଟଣା ଘଟିଛି । ପୁରୁଣା ଲକ୍ଷ୍ନୌରେ ଆନ୍ଦୋଳନକାରୀମାନେ ଏକ ଥାନା ଭଙ୍ଗାରୁଜା କରିଛନ୍ତି । ସେଠାରେ ଥାନା ଆଗରେ ରଖାଯାଇଥିବା ଯାନବାହନକୁ ଟେକାପଥର ମାରି ଆନ୍ଦୋଳନକାରୀମାନେ ଭଙ୍ଗାରୁଜା କରିବାରୁ ସେମାନଙ୍କ ଉପରେ ପୁଲିସ ପକ୍ଷରୁ ଲୁହାବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା ବୋଲି ଉତରପ୍ରଦେଶର ପୁଲିସ ମୁଖ୍ୟ ଓପି ସିଂହ କହିଛନ୍ତି ।
କେବଳ ସେତିକି ନୁହେଁ, ଆନ୍ଦୋଳନକାରୀମାନେ ମଧ୍ୟ ପରିବର୍ତନ ଚୌକରେ ଟିଭି ଚ୍ୟାନେଲର ଭ୍ୟାନ ପୋଡ଼ାଜଳା କରିଛନ୍ତି । ଗୁରୁବାର ଦିଲ୍ଲୀର ଜନ୍ତରମନ୍ତର ଓ ଅନ୍ୟାନ୍ୟ ସ୍ଥାନରେ ଆନ୍ଦୋଳନକାରୀମାନେ ଏକଜୁଟ ହୋଇ ସିଏଏକୁ ବିରୋଧ କରିଥିଲେ । ଲାଂଲକିଲ୍ଲା ଓ ମଣ୍ଡି ହାଉସ ଅଂଚଳରେ ନିଷେଧାଦେଶ ଜାରି ହୋଇଥିବାରୁ ଆନ୍ଦୋଳନକାରୀମାନେ ଜନ୍ତ୍ରମନ୍ତରରେ ଏକାଠି ହୋଇଥିଲେ । ସେଠାରେ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ବ୍ୟାରିକେଟ ନିର୍ମାଣ କରାଯାଇ ଆନ୍ଦୋଳନକାରୀଙ୍କୁ ଅଗ୍ରସର ହେବାକୁ ଯାଇନଥିଲା । ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ମେଟ୍ରୋ ପକ୍ଷରୁ ସହରରେ ଥିବା ୨୦ଟି ରେଳ ଷ୍ଟେସନରେ ପ୍ରବେଶ ଓ ପ୍ରସ୍ଥାନ ପଥ ବନ୍ଦ କରି ଦିଆଯାଇଥିଲା । ଆନ୍ଦୋଳନ ଯୋଗୁ ଦିଲ୍ଲୀରେ ବିମାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ଦିଲ୍ଲୀ-ଗୁଡଗାଓଁ ଏକ୍ସପ୍ରେସ ୱେରେ ଟ୍ରାଫିକ ଜାମ ଯୋଗୁ ଯାତ୍ରୀଙ୍କୁ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଂଚିବାରେ ଅସୁବିଧା ହୋଇଥିଲା । ୧୬ଟି ବିମାନ ଉଡ଼ାଣ ବିଳମ୍ବିତ ହୋଇଥିଲା । ଇଣ୍ଡେିଗୋ ପକ୍ଷରୁ ୨୦ଟି ବିମାନ ଚଳାଚଳ ବାତିଲ କରାଯାଇଥିଲା । ଆନ୍ଦୋଳନକୁ ଓହ୍ଲାଇଥିବା ବାମପନ୍ଥୀ ନେତା ଡି ରାଜା, ସୀତାରାମ ୟେଚୁରୀ, ନୀଳୋତ୍ପଳ ବସୁ, ବ୍ରିନ୍ଦା କରାତ ଓ ଅନ୍ୟମାନଙ୍କୁ ମଣ୍ଡି ହାଉସ ନିକଟରେ ପୁଲିସ ଅଟକ ରଖିଥିଲା । ସିପିଆଇ ସାଧାରଣ ସମ୍ପାଦକ ଡି ରାଜା କହିଛନ୍ତି, ଆମେ ସିଏଏକୁ ବିରୋଧ କରିବାରୁ ଅଟକ ରଖାଯାଇଥିଲା ।
ମହାରାଷ୍ଟ୍ରର ମୁମ୍ବାଇସ୍ଥିତ ଅଗଷ୍ଟ କ୍ରାନ୍ତି ମୈଦାନରେ ସିଏଏକୁ ବିରୋଧ କରି ବିକ୍ଷୋଭ ପଦର୍ଶନ କରାଯାଇଥିଲା । ଏଥିରେ ବଲିଉଡ ଜଗତର ବହୁକଳାକାର ସାମିଲ ହୋଇଥିଲେ । ମାଲେଗାଓଁ, ନାସିକ, ଜଳଗାଓଁ ଓ ଅମରାବତୀରେ ମଧ୍ୟ ବିକ୍ଷୋଭ ପଦର୍ଶନ ହୋଇଥିଲା । ତାମିଲନାଡୁର ଚେନ୍ନାଇରେ ୩୦୦ ରୁ ୪୦୦ ଆନ୍ଦୋଳନକାରୀ ସିଏଏକୁ ବିରୋଧ କରି ବିକ୍ଷୋଭ ପଦର୍ଶନ କରିଥିଲେ । ପଶ୍ଚିମବଙ୍ଗ, ତେଲେଙ୍ଗାନା, ଜମ୍ମୁ-କଶ୍ମୀର ,ବଂ ପୁର୍ବୋତର ରାଜ୍ୟଗୁଡ଼ିକରେ ମଧ୍ୟ ସିଏଏକୁ ବିରୋଧ କରି ଗୁରୁବାର ଆନ୍ଦୋଳନ କରାଯାଇଥିଲା ।
ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ନାଗରିକତା ସଂଶୋଧନ ଆଇନ ସମ୍ପର୍କରେ ଜନସାଧାରଣଙ୍କୁ ସ୍ପଷ୍ଟଭାବେ ଅବଗତ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଜେପି ନେତା ତଥା ଓକିଲ ଅଶ୍ୱିନୀ ଉପାଧ୍ୟାୟଙ୍କ ଆବେଦନ ଉପରେ ପ୍ରଧାନ ବିଚାରପତି ଜଷ୍ଟିସ ଏସସ ବୋବଡେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପିଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଇତିମଧ୍ୟରେ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ସାରାଦେଶରେ ସିଏଏ ଓ ଏନଆରସି ନିଶ୍ଚିନ୍ତ ରୂପେ ଲାଗୁ ହେବ ବୋଲି କହିଛନ୍ତି । ଏହାର ଦୃଢ଼ ଜବାବ ଦେବାକୁ ଯାଇ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କହିଛନ୍ତି, କେନ୍ଦ୍ର ସରକାର ଇଂଟରନେଟ ସେବା ବନ୍ଦ କରି ବିରୋଧୀଙ୍କ କଂଠରୋଧ କରିବା ସହ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ବଳ ପ୍ରୟୋଗ କରି ଦମନ କରିଛନ୍ତି । ଏହା ଦ୍ୱାରା ସରକାର ଭାରତର ଆତ୍ମାକୁ ଅପମାନିତ କରିଛନ୍ତି । ଦକ୍ଷିଣ କୋରିଆ ଗସ୍ତରେ ଥିବା ରାହୁଲ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସିଏଏକୁ ବିରୋଧ କରି ଦେଶର ବିଭିନ୍ନ ଭାଗରେ ଆନ୍ଦୋଳନ ଜୋର ଦାର ହେବା ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକରେ ପରିସ୍ଥିତିର ସମୀକ୍ଷା କରାଯାଇଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଜି କିଷନ ରେଡ୍ଡୀ ଏବଂ ବିଭାଗୀୟ ଅଧିକାରୀମାନଙ୍କ ସହ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking