27.8 C
Bhubaneswar
Friday, April 19, 2024
Homeଓଡିଶାଲକ୍‌ଡାଉନ୍ ଯୋଗୁଁ ବନ୍ଦ ବସ୍ ଚଳାଚଳ, ଦୁର୍ଦ୍ଦିନରେ ୮ଶହରୁ ଊର୍ଦ୍ଧ୍ୱ ପରିବାର

ଲକ୍‌ଡାଉନ୍ ଯୋଗୁଁ ବନ୍ଦ ବସ୍ ଚଳାଚଳ, ଦୁର୍ଦ୍ଦିନରେ ୮ଶହରୁ ଊର୍ଦ୍ଧ୍ୱ ପରିବାର

  1. ରାୟଗଡା : ମହାମାରୀ କରୋନାରେ ତାଲା ବନ୍ଦ ଯୋଗୁଁ ରାୟଗଡ଼ା ଜିଲ୍ଲାର ସମସ୍ତ ଘରୋଇ ବସ୍ ଚଳାଚଳ ବନ୍ଦ ହୋଇଯାଇଛି । ଚକଅଖ ବନ୍ଦ ଯୋଗୁଁ ବିଭିନ୍ନ ବସଷ୍ଟାଣ୍ଡରେ ଦିନ ଦିନ ଧରି ବସ୍ ପଡି଼ରହିଛି । ଯାହା ଫଳରେ ଜିଲ୍ଲାର ବିଭିନ୍ନ ବସ୍ ଆସୋସିଏସନ୍ ସହ ଜଡ଼ିତ ପ୍ରାୟ ୮୦୦ରୁ ଊର୍ଦ୍ଧ୍ୱ ଡ୍ରାଇଭର, କଣ୍ଡକ୍ଟର ଓ ହେଲପର୍‌ଙ୍କ ଜୀବିକା ପୂରା ପ୍ରଭାବିତ ହୋଇଛି । କରୋନାର ପ୍ରଥମ ଲହରୀରେ ସରକାରୀ କଟକଣା ଯୋଗୁଁ କମ୍ ଯାତ୍ରୀଙ୍କୁ ନେଇ ଘରୋଇ ବସ୍ ଚଳାଚଳ କିଛି ପରିମାଣରେ ବନ୍ଦ ରହିବା ପରେ ତାଲା ବନ୍ଦ ଯୋଗୁଁ ସମ୍ପୂର୍ଣ୍ଣ ବସ୍ ସେବା ବନ୍ଦ ହୋଇଯାଇଛି । ଯାହାଫଳରେ ଦାରିଦ୍ର‌୍ୟ ସୀମାରେଖା ତଳେ ବସବାସ କରୁଥିବା ଅନେକ ବସ୍ କର୍ମଚାରୀଙ୍କ ପରିବାର ସମସ୍ୟା ଦେଇ ଗତି କରୁଛନ୍ତି ।
    ବସ୍ ଚଳାଚଳ ଦ୍ୱାରା ଡ୍ରାଇଭର, କଣ୍ଡକ୍ଟର ଓ ହେଲପର୍‌ମାନଙ୍କୁ ଦୈନିକ ମଜୁରୀ ମିଳିଯାଇଥିବାବେଳେ ଏବେ ବସ୍ ଚଳାଚଳ ବନ୍ଦ ଯୋଗୁଁ ପେଟକୁ କିଏ ଦାନା ଦେବ ଆଉ ପରିବାର କିପରି ପ୍ରତିପୋଷଣ ହେବ ତାକୁ ନେଇ ଅନେକ ବସ୍ କର୍ମଚାରୀ ଚିନ୍ତାରେ ପଡ଼ିଛନ୍ତି । କିଛି କର୍ମଚାରୀ ପେଟ ପାଇଁ ମଜୁରୀ କାମ କରୁଛନ୍ତି ତ ଆଉ କିଛି ଘରୋଇ ବସ୍ ର କର୍ମଚାରୀମାନେ ସ୍ୱଳ୍ପ ବେପାର ଆରମ୍ଭ କରିଛନ୍ତି । ରାୟଗଡ଼ା ବସ୍ ଆସୋସିଏସନ୍ ଅଧିନରେ ପ୍ରାୟ ୬୧ଟି ବସ୍ ରହିଥିବା ବେଳେ ଗୁଣପୁର, ବିଷମକଟକ ଓ ମୁନିଗୁଡା ସଂଘକୁ ମିଶାଇ ପ୍ରାୟ ୧୫୦ଟି ବସ୍ ରହିଛି । ଅନ୍ୟପଟେ ଉକ୍ତ ୧୫୦ଟି ବସ୍‌ର ମାଲିକମାନେ ମଧ୍ୟ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି । କାରଣ ଗତ ଫେବ୍ରୁଆରୀ ପହିଲାରୁ ଜିଲ୍ଲାରେ କିଛି କିଛି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବସ୍ ଚଳାଚଳ ଉପରେ ନିର୍ଦ୍ଦିଷ୍ଟ କଟକଣା ଜାରି କରାଗଲା । ତେବେ ଉକ୍ତ କଟକଣାକୁ ପାଳନ କରି ବସ୍ ଚଳାଚଳ କଲେ ରୋଜଗାରର କମ୍ ଆଶା ଥିବା ଦର୍ଶାଇ ଅନେକ ବସ୍ ମାଲିକ ରାସ୍ତାରେ ଆଉ ଗାଡ଼ି ଚଳାଇଲେ ନାହିଁ । ସେହିପରି ଦୀର୍ଘ ୩ ମାସରୁ ଊର୍ଦ୍ଧ୍ୱ କାଳ ହେବ ବସ୍ ଚଳାଚଳ ହୋଇପାରୁନଥିବାରୁ ନିୟମିତ ଭାବେ ଫାଇନାନ୍ସ୍‌, ଇନ୍‌ସ୍ୟୁରାନ୍ସ୍ ଓ ସରକାରୀ ଟିକସ ପୈଠ କରିବା ବସ୍ ମାଲିକଙ୍କୁ ଭାରି ପଡୁଥିବା କୁହାଯାଇଛି । କରୋନାର ପ୍ରଥମ ଲହରୀରେ ଜିଲ୍ଲାର ବିଭିନ୍ନ ବସ୍ ମାଲିକ ସଂଘ ପ୍ରଶାସନକୁ ସହଯୋଗ କରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରୁ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ତେବେ ଦ୍ୱିତୀୟ ଲହରୀରେ ମଧ୍ୟ କରୋନା ଜିଲ୍ଲାରେ ଉଗ୍ରରୂପ ନେଇଥିବା ବେଳେ କେବେ ସ୍ୱାଭାବିକ ପରିସ୍ଥିତି ଫେରିପାଇବ ଓ କେବେ ବସ୍ କର୍ମଚାରୀ ମାନେ ଦୁଇମୁଠା ଦାନା ପାଇବେ ତାକୁ ନେଇ ବସ୍ କର୍ମଚାରୀମାନେ ଚିନ୍ତାରେ ପଡ଼ିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking