ଏଜବାଷ୍ଟନ୍: ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ସିରିଜ୍ର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ର ଦ୍ୱିତୀୟ ଦିନରେ ଭାରତ ତା’ର ଅସମାପ୍ତ ପ୍ରଥମ ଇନିଂସକୁ ୪୧୬ ରନ୍ରେ ଶେଷ କରିଛି । ପ୍ରଥମ ଦିନରେ ଦଳ ୭ ୱିକେଟ୍ ବିନିମୟରେ ୩୩୮ ରନ୍ କରିଥିବା ବେଳେ ଦ୍ୱିତୀୟ ଦିନରେ ଶନିବାର ଏଥିରେ ଆଉ ୭୮ ରନ୍ ଯୋଡ଼ିପାରିଛି । ତେବେ ଦ୍ୱିତୀୟ ଦିନରେ ଟିମ୍ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ତୁଲାଉଥିବା ପ୍ରମୁଖ ପେସର୍ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ ପୂର୍ବକ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଜଣକ ପ୍ରତିପକ୍ଷ ପେସର୍ ଷ୍ଟୁଆର୍ଟ ବ୍ରଡ୍ଙ୍କ ଗୋଟିଏ ଓଭର୍ରୁ ୩୫ ରନ୍ ସଂଗ୍ରହ କରି ଟେଷ୍ଟ୍ କ୍ରିକେଟ୍ରେ କିମ୍ବଦନ୍ତୀ ଖେଳାଳି ବ୍ରାଏନ୍ ଲାରାଙ୍କ ନାମରେ ଥିବା ରେକର୍ଡକୁ ନିଜ ନାମରେ କରାଇପାରିଛନ୍ତି ।
ଶନିବାରର ଖେଳ ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ରବୀନ୍ଦ୍ର ଜାଡେଜା (୮୩) ଓ ମହମ୍ମଦ ଶମି (୦) ଆରମ୍ଭ କରିଥିଲେ । ଉଭୟଙ୍କ ମଧ୍ୟରେ ୪୮ ରନ୍ର ଭାଗୀଦାରୀ ହେବା ପରେ ଶମି ଆଉଟ୍ ହେବା ଫଳରେ ଇଂଲଣ୍ଡ ପାଇଁ ଦ୍ୱିତୀୟ ଦିନରେ ପ୍ରଥମ ସଫଳତା ଆଣିଦେଇଥିଲେ ବ୍ରଡ୍ । ସେତେବେଳକୁ ଶମି ୩ଟି ଚୌକା ସହ ୧୬ ରନ୍ କରିଥିଲେ । ଇତିମଧ୍ୟରେ ଜାଡେଜା ଟେଷ୍ଟ୍ କ୍ରିକେଟ୍ରେ ତାଙ୍କର ତୃତୀୟ ଶତକ ପୂରଣ କରିଥିଲେ । ସେ ୧୩ଟି ଚୌକା ଜରିଆରେ ୧୦୪ ରନ୍ କରି ଜେମ୍ସ ଆଣ୍ଡର୍ସନ୍ଙ୍କ ଚତୁର୍ଥ ଶିକାର ବନିଥିଲେ । ଜାଡେଜା ନବମ ବ୍ୟାଟ୍ସମ୍ୟାନ୍ ଭାବେ ଆଉଟ୍ ହେବା ବେଳକୁ ଭାରତର ସ୍କୋର୍ ୩୭୫ ହୋଇଥିଲା । ତେଣୁ ଦଳ ୪ ଶହ ରନ୍ରେ ପହଞ୍ଚିବ ବୋଲି କେହି ବି ଆଶା କରି ନ ଥିଲେ ।
କିନ୍ତୁ ବୁମ୍ରା ଇନିଂସର ୮୪ତମ ଓଭର୍ରେ ସମସ୍ତଙ୍କୁ ଚକିତ କରିବା ପରି ବ୍ୟାଟିଂ କରିଥିଲେ । ସେ ବ୍ରଡ୍ଙ୍କ ଉକ୍ତ ଓଭର୍ରେ ବ୍ୟକ୍ତିଗତ ଭାବେ ୨୯ ରନ୍ କରିଥିଲେ । ଏହାଛଡ଼ା ବ୍ରଡ୍ ଓଭର୍ର ଦ୍ୱ୍ିତୀୟ ବଲ୍କୁ ୱାଇଡ୍ ଓ ଚୌକା ଦେବା ଫଳରେ ଏଥିରୁ ୫ ରନ୍ ମିଳିଥିଲା । ତା’ଛଡ଼ା ପରବର୍ତ୍ତୀ ବଲ୍ଟିକୁ ସେ ନୋ ମଧ୍ୟ ପକାଇଥିଲେ । ସେହିପରି ବୁମ୍ରା ଉକ୍ତ ଓଭର୍ରେ ୪ଟି ଚୌକା ଓ ୨ଟି ଛକା ସହ ଅନ୍ତିମ ବଲ୍ରେ ଗୋଟିଏ ରନ୍ ନେଇଥିଲେ । ଏଥିସହ ସେ ଲାରାଙ୍କୁ ଅତିକ୍ରମ କରିଥିଲେ । ପୂର୍ବରୁ ଲାରା ୨୦୦୩-୦୪ ସିଜନ୍ରେ ସାଉଥ୍ ଆଫ୍ରିକୀୟ ସ୍ପିନର୍ ରବିନ୍ ପିଟର୍ସନ୍ଙକ୍ର ଗୋଟିଏ ଓଭର୍ରୁ ୨୮ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୪ଟି ଚୌକା ଓ ୨ଟି ଛକା ରହିଥିଲା । ଏହାଛଡ଼ା ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଜର୍ଜ ବେଲି ମଧ୍ୟ ଗୋଟିଏ ଓଭର୍ରେ ୨୮ ରନ୍ ସଂଗ୍ରହ କରିଥିଲେ । କିନ୍ତୁ ବାଉଣ୍ଡାରୀ ସଂଖ୍ୟାରେ ସେ ଲାରାଙ୍କ ପଛରେ ରହିଥିଲେ ।
ବୁମ୍ରା ୧୬ ବଲ୍ରେ ୪ଟି ଚୌକା ଓ ୨ଟି ଛକା ସହ ୩୧ ରନ୍ କରି ଅପରାଜିତ ରହିଥିଲେ ହେଁ ଏକାଦଶତମ ବ୍ୟାଟ୍ସମ୍ୟାନ୍ ମହମ୍ମଦ ସିରାଜ୍ (୨) ଆଉଟ୍ ହେବା ଫଳରେ ୮୪.୫ ଓଭର୍ରେ ଭାରତର ପ୍ରଥମ ଇନିଂସ ସମାପ୍ତ ହୋଇଥିଲା । ଇଂଲଣ୍ଡ ପକ୍ଷରୁ ଆଣ୍ଡରସନ୍ ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ମ୍ୟାଟି ପୋଟ୍ସ ୨ଟି ଏବଂ ବ୍ରଡ୍, ଅଧିନାୟକ ବେନ୍ ଷ୍ଟୋକ୍ସ ଓ ଜୋ ରୁଟ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଇଂଲଣ୍ଡ ପ୍ରଥମ ସେସନ୍ରେ ତା’ର ପ୍ରଥମ ଇନିଂସ ଆରମ୍ଭ କରି ଓପନର ଆଲେକ୍ସ ଲିସ୍ଙ୍କ ୱିକେଟ୍ ସଅଳ ହରାଇଥିଲା । ସେ ୬ ରନ୍ କରିଥିବା ସମୟରେ ବୁମ୍ରା ତାଙ୍କୁ ବୋଲ୍ଡ କରିଦେଇଥିଲେ ।
ତେବ ୩ ଭର୍ରେ ଦଳୀୟ ସ୍କୋର୍ ୧୬/୧ ଥିବା ବେଳେ ବର୍ଷା କାରଣରୁ ମଧ୍ୟାହ୍ଣଭୋଜନ ବିରତି ସଅଳ ହୋଇଥିଲା । ବେଶ୍ କିଛି ଘଣ୍ଟା ବିଳମ୍ବରେ ପୁଣିଥରେ ଖେଳ ଆରମ୍ଭ ହେବା ପରେ ବୁମ୍ରା ଦ୍ୱିତୀୟ ୱିକେଟ୍ ଭାବେ ଅନ୍ୟତମ ଓପନର ଜ୍ୟାକ୍ କ୍ରଲିଙ୍କୁ ପ୍ୟାଭିଲିୟନ୍ ଫେରାଇଦେଇଥିଲେ । ସେତେବେଳକୁ କ୍ରଲି ୯ ରନ୍ କରିଥିଲେ । ପରେ ବୁମ୍ରା ମଧ୍ୟ ଓଲି ପୋପ୍ (୧୦)ଙ୍କୁ ଆଉଟ୍ କରିଥିଲେ । ରୁଟ୍ ୨ଟି ଚୌକା ସହ ୧୯ ଏବଂ ଜନ୍ନି ବେୟାର୍ଷ୍ଟୋ ଗୋଟିଏ ଚୌକା ସହ ୬ ରନ୍ କରି ଅପରାଜିତ ଥିବା ବେଳେ ବର୍ଷା ହୋଇଥିଲା । ଅନ୍ତିମ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ବର୍ଷା ଥମିଥିଲେ ହେଁ ପୁଣିଥରେ ଖେଳ ଆରମ୍ଭ ହୋଇପାରିନାହିଁ ।