ଭୁବନେଶ୍ୱର: ଜମି ଦେବାକୁ କହି ୬ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଜଣେ ବିଲ୍ଡରକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ପଳାସୁଣି ସୁଭଦ୍ରା ଏଲକ୍ଲେଭ୍ରେ ଫ୍ଲାଟ୍ ନଂ-୨୦୩ରେ ରହୁଥିବା ଯାଜପୁରର ବିଭୂତି ଭୂଷଣ ବେହେରା(୩୬) । ମହମ୍ମଦ ମୁସ୍ତାକ ଅଲ୍ଲୀ ନାମକ ଜଣେ ବ୍ୟକ୍ତିଙ୍କୁ ସେ ଠକିଛନ୍ତି । ଏନେଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତକୁ ମଙ୍ଗଳବାର କୋର୍ଟ ଚାଲାଣ କରିଛି ।
ସୂଚନା ଅନୁଯାୟୀ, ଅଭିଯୁକ୍ତ ବିଭୂତି ଏମ୍/ଏସ ବି ଆର୍ ତନ୍ଭି ଇନଫ୍ରା ଷ୍ଟ୍ରକଚର୍ ନାମକ ଏକ ବିଲ୍ଡର ସଂସ୍ଥାର ନିର୍ଦ୍ଦେଶକ । ସେ କଳିଙ୍ଗନଗର ଅଞ୍ଚଳରେ ୫୦ଲକ୍ଷରେ ଏକ ଜମି ଦେବାକୁ ମୁସ୍ତାକ ଅଲ୍ଲୀଙ୍କ ସହ ଡିଲ୍ କରିଥିଲା । ପରେ ଜମି ବାବଦକୁ ୬ଲକ୍ଷ ଟଙ୍କା ଚେକ୍ ଆକାରରେ ନେଇଥିଲା । ହେଲେ ଟଙ୍କା ନେବା ପରେ ଆଉ ଧରାଛୁଆଁ ଦେଇନଥିଲା । ଏମିତିକି ଯୋଗାଯୋଗ କରିବାରୁ ମାରିଦେବାକୁ ଧମକ ଦେଇଥିଲା । ଶେଷରେ ବାଧ୍ୟହୋଇ ମୁସ୍ତାକ ଅଲ୍ଲୀ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ ।