28.1 C
Bhubaneswar
Wednesday, April 24, 2024
Homeଓଡିଶା୬ ଦିନ ପୂର୍ବରୁ ବଜେଟ୍ ଅଧିବେଶନ ଶେଷ

୬ ଦିନ ପୂର୍ବରୁ ବଜେଟ୍ ଅଧିବେଶନ ଶେଷ

– ପ୍ରତିବାଦରେ ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଲେ ବିଜେପି ସଭ୍ୟ
– ଉତ୍ତର ଦେଇ ପାରୁ ନଥିବାରୁ ପଳାୟନପନ୍ଥୀ ସାଜିଲେ: ଜୟନାରାୟଣ
– କାର୍ଯ୍ୟ ଥାଇ ଆଗୁଆ ଗୃହକୁ ବନ୍ଦ୍ କରିବା ଅଗଣତାନ୍ତ୍ରିକ: ନରସିଂହ
– ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ନଥିବାରୁ ଅଧିବେଶନକୁ ସମାପ୍ତ କରାଯାଉଛି: ମୁଦୁଲି

ଭୁବନେଶ୍ୱର: ପୁଣି ଆଗୁଆ ଶେଷ ହୋଇଛି ବଜେଟ୍ ଅଧିବେଶନ । ୬ ଦିନ ଓ ୪ଟି କାର୍ଯ୍ୟଦିବସ ବାକି ଥାଇ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ତେବେ ୬ ଦିନ ପୂର୍ବରୁ ବିଧାନସଭାକୁ ବନ୍ଦ କରିବାକୁ ସହଜରେ ଗ୍ରହଣ କରିପାରି ନଥିଲେ ବିରୋଧୀ । ଉଭୟ ବିଜେପି ଓ କଂଗ୍ରେସ କକ୍ଷ ତ୍ୟାଗ କରିଥିବାବେଳେ ବିଜେପି ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଇଥିଲା । ବିଭିନ୍ନ ପ୍ରସଙ୍ଗରେ ସରକାର ଉତ୍ତର ଦେଇପାରୁ ନଥିବାରୁ ପଳାୟନପନ୍ଥୀ ସାଜିଥିବା ଅଭିଯୋଗ ଆଣିଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସେହପରି କାର୍ଯ୍ୟ ଥାଇ ଆଗୁଆ ଗୃହକୁ ବନ୍ଦ୍ କରିବା ଅଗଣତାନ୍ତ୍ରିକ ବୋଲି ନିନ୍ଦା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଅନ୍ୟପକ୍ଷରେ ଗୃହରେ ସେପରି କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ନଥିବାରୁ ଅଧିବେଶନକୁ ସମାପ୍ତ କରାଯାଉଛି ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ପ୍ରକାଶ କରିଛନ୍ତି । ଦୁଇ ପର୍ଯ୍ୟାୟ ବିଶିଷ୍ଟ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିଲା ।

ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୧ ଯାଏ ବସିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୦ରୁ ଏପ୍ରିଲ ୬ ଯାଏ ଚାଲିବା କଥା । ୬ ଦିନ ଓ ୪ଟି କାର୍ଯ୍ୟଦିବସ ପୂର୍ବରୁ ବନ୍ଦ୍ ହୋଇଛି ବିଧାନସଭା ବଜେଟ୍ ଅଧିବେଶନ । ଫଳରେ ଏହି ଅବଧି ମଧ୍ୟରେ ମୋଟ୍ ୨୪ଟି କାର୍ଯ୍ୟଦିବସ ରହିଛି । ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ନିଜର ଅଭିଭାଷଣ ପ୍ରଦାନ କରି ରାଜ୍ୟର ସମସ୍ତ ଅଞ୍ଚଳର ବିକାଶ ଏବଂ ସମସ୍ତ ବର୍ଗର ଲୋକଙ୍କୁ ସଶକ୍ତ କରିବାକୁ ‘ମୋର ସରକାର’ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବକୁ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗତ କରିବା ପରେ ଫେବ୍ରୁଆରୀ ୨୨ ଓ ୨୩ରେ ବିସ୍ତୃତ ଆଲୋଚନା ହୋଇଥିଲା । ଫେବ୍ରୁଆରୀ ୨୪ରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩-୨୪ ଆର୍ଥିକ ବର୍ଷରେ ବଜେଟ୍ ଆଗତ କରିଥିଲେ ।

ବଜେଟ୍ ଉପରେ ଫେବ୍ରୁଆରୀ ୨୭ରୁ ମାର୍ଚ୍ଚ ୧ ଯାଏ କ୍ରମାଗତଃ ତିନି ଦିନ ଆଲୋଚନା ହେବା ପରେ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଶେଷ ହୋଇଥିଲା । ପୁଣି ଦ୍ୱିତିୟ ପର୍ଯ୍ୟାୟ ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ଏପ୍ରିଲ ୬ରେ ଶେଷ ହେବା କଥା । ମାତ୍ର ତାହା ହେଲାନାହିଁ । ଏହି ଅବଧିକାଳରେ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ପାରିତ ସହ ଓ ବିଭିନ୍ନ କମିଟି ଗଠନ ହୋଇଥିଲା । ୧୨ଟି ମୁତଲବୀ ନୋଟିସ ଆସିଥିଲାବେଳେ ସେଥିରୁ ୯ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ସରକାରଙ୍କ ପକ୍ଷରୁ ମୋଟ ୬ଟି ବିବୃତ୍ତି ଏହି ଅଧିବେଶନ କାଳରେ ଗୃହରେ ଘୋଷଣା ହୋଇଛି । ୩ଟି ସିଏଜି ରିପୋର୍ଟ ଓ ୧୨ଟି ବାର୍ଷିକ ରିପୋର୍ଟ ଚଳିତ ଅଧିବେଶନରେ ଗୃହରେ ଉପସ୍ଥାପିତ ହୋଇଛି । ମାର୍ଚ୍ଚ ୩୧ରେ ଅର୍ଥମନ୍ତ୍ରୀ ୨୦୨୩-୨୪ ଆର୍ଥିକ ବର୍ଷରେ ବଜେଟ୍ ଉପରେ ବିନିଯୋଗ ବିଲ୍ ଆଗତ କରିଥିଲେ । ପ୍ରବଳ ହଟ୍ଟଗୋଳ ମଧ୍ୟରେ ତାହା ପାରିିତ ହୋଇଛି ।

ତେବେ ଏହି ଅଧିବେଶନ କାଳରେ ଗୃହ ଅରମ୍ଭରୁ ସର୍‌ଗମରମ୍ ହୋଇଥିଲା । ଶାସକ ଦଳକୁ ଘେରିଥିଲେ ବିରୋଧୀ । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଭଳି ଅନେକ ଅସ୍ତ୍ରକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ସଭ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ବିଶେଷକରି ୫-ଟି ରୂପାନ୍ତରଣ ପ୍ରସଙ୍ଗ, ଅଫିସର ରାଜ୍‌, ସୀମା ବିବାଦ, ମହାନଦୀ ଜଳବିବାଦ, ଜାଲ୍ ସାର୍ଟିଫିକେଟ ଭଳି ପ୍ରସଙ୍ଗକୁ ବିରୋଧୀ ଦଳ ମୁଖ୍ୟ ମୁଦ୍ଦା କରିଥିଲେ । ବିରୋଧୀଙ୍କୁ ମୁକାବିଲା କରିବା ପାଇଁ ଶାସକ ବିଜେଡି କେନ୍ଦ୍ରୀୟ ଅବହେଳା ଓ ଚାଉଳ ଉଠାଣ ପ୍ରସଙ୍ଗ ଉଠାଇଥିଲା । ତେବେ ଏହି ଅଧିବେଶନ ଆରମ୍ଭରୁ ଶେଷ ଯାଏଁ ଉଷ୍ଣ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking