ବ୍ରହ୍ମପୁର : ପ୍ରତି ରବିବାର ଭଳି ଆଜି ଟିମ କ୍ଲିନ ସିଟିର ସଦସ୍ୟମାନେ ଏମ କେ ସି ଜି ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଏକତ୍ରିତ ହୋଇଥିଲେ। ପରେ ସେଠାରୁ ପୂର୍ବ ନିଷ୍ପତ୍ତି ପ୍ରକାରେ ପ୍ରଥମେ ବ୍ରହ୍ମପୁର ଉପକଣ୍ଠ ହରିଡାଖଣ୍ଡି ଗ୍ରାମକୁ ଯାଇ ଗ୍ରାମ ମଧ୍ୟରେ ଅବହେଳିତ ଅବସ୍ଥାରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ସଫା କରିଥିଲେ। ସ୍ଥାନୀୟ ପୂର୍ବତନ କର୍ପୋରେଟର ବାପିଙ୍କ ସମେତ ଅନ୍ୟ ଯୁବକଙ୍କ ଉପସ୍ଥିତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ସେହି ଗ୍ରାମର ଦଣ୍ଡାସି ସାହିରେ ଥିବା ସ୍ୱାଧୀନତା ସଂଗ୍ରାମୀ ତଥା ଦୈନିକ ସମ୍ବାଦ ପତ୍ର ଦୈନିକଆଶାର ପ୍ରତିଷ୍ଠାତା ଶଶୀଭୂଷଣ ରଥଙ୍କ ପ୍ରତିମୂର୍ତ୍ତିର ସଫେଇ କରାଯାଇଥିଲା। ସେଠାରେ ସ୍ଥାନୀୟ ବରିଷ୍ଠ ନାଗରିକଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ଟିମ ସଦସ୍ୟ ମାନେ ନିକଟସ୍ଥ ଲାଠି ଗ୍ରାମକୁ ଯାଇ ସେଠାରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ସଫା କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏବଂ ଶେଷରେ ବ୍ରହ୍ମପୁର ଫେରିବା ବାଟରେ ଅନ୍ନପୂର୍ଣ୍ଣା ବଜାର ଛକରେ ଥିବା ଯୁବନେତା ସହୀଦ ରବି ମହାପାତ୍ରଙ୍କ ପ୍ରତିମୂର୍ତ୍ତିକୁ ସଫା କରିଥିଲେ। ଏଠାରେ ଗଂଜାମ ଓକିଲ ସଂଘର ସଭାପତି ବରିଷ୍ଠ ଆଇନଜୀବୀ କପିଳ ପଟ୍ଟନାୟକଙ୍କ ଉପସ୍ଥିତିରେ ଟିମ ସଦସ୍ୟମାନେ ପୁଷ୍ପମାଲ୍ୟ ଅର୍ପଣ କରି ଦିବଙ୍ଗତ ନେତାମାନଙ୍କ ସ୍ମୃତିଚାରଣ କରିଥିଲେ। ଆଜିର ଏହି ସମସ୍ତ କାର୍ଯ୍ୟରେ ଟିମର ବହୁ ସଦସ୍ୟ ସକ୍ରିୟ ସାମିଲ ହୋଇଥିଲେ।