38.1 C
Bhubaneswar
Tuesday, April 23, 2024
Homeରାଜନୀତିସୀମା ବିବାଦ ପ୍ରସଙ୍ଗରେ ରାଜ୍ୟସରକାର ନୀରବ କାହିଁକି? : ଭୃଗୁ ବକ୍ସିପାତ୍ର

ସୀମା ବିବାଦ ପ୍ରସଙ୍ଗରେ ରାଜ୍ୟସରକାର ନୀରବ କାହିଁକି? : ଭୃଗୁ ବକ୍ସିପାତ୍ର

ଆନ୍ଧ୍ର ମନ୍ତ୍ରୀ ଓଡିଶାରେ ଅନାଧିକାର ପ୍ରବେଶ କରି ଗୁଣ୍ଡାଗିରି କରିବା ପ୍ରସଙ୍ଗ

+ରାଜ୍ୟ ସରକାର ଓଡିଶା ସୀମାର ସଂପୂର୍ଣ୍ଣ ସର୍ଭେ କରନ୍ତୁ
ପଡୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଓଡିଶାର ମୁଖ୍ୟମନ୍ତ୍ରୀ କଥା ହୋଇ ସୀମା ବିବାଦର ସମାଧାନ କରନ୍ତୁ
+ଓଡିଶାର ସୀମାକୁ ସୁରକ୍ଷା ଦେବାରେ ଫେଲ୍ ମାରିଛନ୍ତି ରାଜ୍ୟ ସରକାର
+ରାଜ୍ୟ ସରକାର ସୀମା ବିବାଦ ନେଇ କୋର୍ଟ କଚେରୀରରେ ନିଜର ତଥ୍ୟ ନଦେଇପାରିବା ଯୋଗୁଁ ପଡୋଶୀ ରାଜ୍ୟମାନଙ୍କର ଅନୁପ୍ରବେଶ ଅଧିକ ମାତ୍ରାରେ ବଢିଛି
+ଆନ୍ଧ୍ର ମନ୍ତ୍ରୀ ଓଡିଶାରେ ଅନାଧିକାର ପ୍ରବେଶ କରିବା ଏବଂ ଓଲଟା ଆମ ରାଜ୍ୟର ସରକାରୀ ଅଧିକାରୀଙ୍କୁ ଧମକ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା
+୪୮ ଘଂଟା ବିତିଲା ପରେ ବି ଓଡିଶା ସରକାର କୌଣସି ମନ୍ତବ୍ୟ ଦେଲେ ନାହିଁ କି ଆନ୍ଧ୍ର ମନ୍ତ୍ରୀ ଏବଂ ଆନ୍ଧ୍ର ଅଫିସରଙ୍କ ବିରୁଦ୍ଧରେ ଏତଲା ରୁଜୁ କଲେ ନାହିଁ
+ଓଡିଶା ସରକାର ନିଜ ଜିଲ୍ଲାର ବାସିନ୍ଦା ଓ ସରକାରୀ ଅଧିକାରୀଙ୍କୁ ସୁରକ୍ଷା ଦେଉ ନାହାଁନ୍ତି କାହିଁକି?
+ଖଣି ଚୋରଙ୍କୁ ବଂଚାଇବା ପାଇଁ ରାଜ୍ୟ ସରକାର ଦାମୀ ଓକିଲଙ୍କୁ ଲଗାଉଛନ୍ତି କିନ୍ତୁ ରାଜ୍ୟର ସୀମା ସୁରକ୍ଷା ପ୍ରସଙ୍ଗରେ ନୀରବ ରହୁଛନ୍ତି
+ବିଧାନସଭା ଗୃହ କମିଟି ଏହି ପ୍ରସଙ୍ଗ ନେଇ ବସିବାର ୮ ମାସ ବିତିଲା ପରେ ବି ଏପର୍ଯ୍ୟନ୍ତ ସୀମାବର୍ତୀ ଅଂଚଳକୁ ଗଲେ ନାହିଁ
+ବିଧାନସଭା ପ୍ରଶ୍ନରେ ମଧ୍ୟ ରାଜସ୍ୱ ମନ୍ତ୍ରୀ ସଠିକ ଭାବେ ବିବାଦୀୟ ସୀମାବର୍ତୀ ଗାଁର ତଥ୍ୟ ଦେଉ ନାହାଁନ୍ତି
+ବିଜେପିର ସୀମା ସୁରକ୍ଷା କମିଟି ସୀମା ବିବାଦ ନେଇ ବିଚାର ବିମର୍ଷ କରିବା ସହ ସଂସଦ ଓ ବିଧାନସଭାରେ ଏଭଳି ଏକ ସ୍ପର୍ଶକାତର ବିଷୟକୁ ଉଠାଇବ
ଭୁବନେଶ୍ୱର : ଓଡିଶାର ସୀମା ଅସୁରକ୍ଷିତ ହୋଇ ପଡିଛି । ଓଡିଶାର ଦକ୍ଷିଣାଚଂଳ, ପଶ୍ଚିମାଚଂଳ ଏବଂ ଉତରା ପୂର୍ବାଚଂଳ ସୀମାରେ ପଡୋଶୀ ଆନ୍ଧ୍ର ପ୍ରଦେଶ, ଛତିଶଗଡ, ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ବିଭିନ୍ନ ସମୟରେ ରାଜ୍ୟ ଭିତରେ ପଶି ଓଡିଶାର ଅଂଚଳକୁ ନିଜ ଅକ୍ତିଆରକୁ ନେବା ପାଇଁ ଅପଚେଷ୍ଟା କରିଆସୁଛନ୍ତି । ବିଡମ୍ବନାର କଥା ହେଉଛି ଯେ, ରାଜ୍ୟ ସରକାର ଓଡିଶାର ସୀମାକୁ ସୁରକ୍ଷା ଦେବାରେ ଫେଲ୍ ମାରିଛନ୍ତି । ରାଜ୍ୟ ସରକାର ସୀମା ସୁରକ୍ଷା ଦିଗରେ କୌଣସି ପଦକ୍ଷେପ ନେଉ ନାହାଁନ୍ତି । ୨୧ ବର୍ଷର ଲମ୍ବା ଶାସନ ପରେ ବି ନିଜର ସୀମାକୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର ସୀମା ବିବାଦ ନେଇ କୋର୍ଟ କଚେରୀରରେ ନିଜର ତଥ୍ୟ ନଦେଇପାରିବା ଯୋଗୁଁ ପଡୋଶୀ ରାଜ୍ୟମାନଙ୍କର ଅନୁପ୍ରବେଶ ଅଧିକ ମାତ୍ରାରେ ବଢିଛି ବୋଲି ବିଜେପି ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର ଅଭିଯୋଗ କରିଛନ୍ତି ।
ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ, ବିଗତ ୨ ବର୍ଷ ଧରି ପଡୋଶୀ ରାଜ୍ୟମାନେ ଓଡିଶାର କୋଟିଆ, ଗଜପତି ଜିଲ୍ଲାର ମାଣିକପାଟଣା ଏବଂ ବାଲେଶ୍ୱରର ଉଦୟପୁର ଅଂଚଳରେ ଅନାଧିକାର ପ୍ରବେଶ କରିଛନ୍ତି । ଗତ ୭ ଦିନ ତଳେ ଗଜପତି ଜିଲ୍ଲାର ରାଇଗଡ ବ୍ଲକ ଗଙ୍ଗାବାଡ ପଂଚାୟତର ମାଣିକପାଟଣା ଗ୍ରାମରେ ଆନ୍ଧ୍ର ସରକାର ଅଙ୍ଗନବାଡି କେନ୍ଦ୍ର ଖୋଲିଥିଲେ । ଜିଲ୍ଲା ପ୍ରଶାସନ ୭ ତାରିଖ ଦିନ ଅଙ୍ଗନବାଡି କେନ୍ଦ୍ରକୁ ସିଲ୍ କଲେ ଏବଂ ଆନ୍ଧ୍ର ସରକାରଙ୍କୁ ସହଯୋଗ କରୁଥିବା ସେହି ଗ୍ରାମର ବ୍ୟକ୍ତି ଗୁରୁନାଥ ଶବରଙ୍କୁ ଗିରଫ କଲେ । ଏହାର ପ୍ରତିବାଦରେ ସେପ୍ଟେମ୍ବର ୯ ତାରିଖରେ ମାଣିକ ପାଟଣାରେ ଆନ୍ଧ୍ର ମନ୍ତ୍ରୀ ଏସ.ଅପଲା ରାଜୁ ସାଙ୍ଗରେ ତହସିଲଦାର, ସବ କଲେକ୍ଟର, ଡିଏସପି ଏବଂ ୪ ପ୍ଲାଟୁନ ପୁଲିସ ନେଇ ମାଣିକ ପାଟଣାରେ ପହଂଚି ଦାଦାଗିରି ଆରମ୍ଭ କରିଥିଲେ । ଆନ୍ଧ୍ର ମନ୍ତ୍ରୀ ଓଡିଶା ଅଫିସରଙ୍କୁ ନାଲି ଆଖି ଦେଖାଇବା ସହ ଗିରଫ କରିବାର ଭୟ ଦେଖାଇଥିଲେ । ଓଡିଶାରେ ଅନାଧିକାର ପ୍ରବେଶ କରିବା ଏବଂ ଓଲଟା ଆମ ରାଜ୍ୟର ସରକାରୀ ଅଧିକାରୀଙ୍କୁ ଧମକ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା । ଏ ସମସ୍ତ ଘଟଣା ପରେ ବି ରାଜ୍ୟ ସରକାର ସେମାନଙ୍କ ବିରୁଦ୍ଧରେ ଏତଲା ରୁଜୁ ନକରିବା ନିନ୍ଦନୀୟ ଘଟଣା । ଏଥିରୁ ପ୍ରମାଣିତ ହେଉଛି ଯେ, ରାଜ୍ୟ ସରକାର ନିଜ ରାଜ୍ୟରେ ବସବାସ କରୁଥିବା ଲୋକଙ୍କୁ ସୁରକ୍ଷା ଦେବାରେ ଫେଲ୍ ମାରିଛନ୍ତି ଏବଂ ଆନ୍ଧ୍ରର ଗୁଣ୍ଡାଗିରିକୁ ରାଜ୍ୟ ସରକାର ପ୍ରଶୟ ଦେଉଛନ୍ତି ।
ଗତ ଫେବୃଆରୀର ମାସରେ ପଡୋଶୀ ଆନ୍ଧ୍ର ମାଲକାନଗିରି, କୋରାପୁଟ, ରାୟଗଡା ଏବଂ ଗଂଜାମରେ ପଂଚାୟତ ନିର୍ବାଚନ କରିବା ପାଇଁ ଅପଚେଷ୍ଟା କରିଥିଲା । ଫେବୃଆରୀ ମାସରେ ରାଜ୍ୟ ସଭାପତି ଶ୍ର ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ସୀମାବିବାଦ ଅଂଚଳ ବୁଲି ସରଜମିନ ତଦନ୍ତ କରିଫେରିଥିଲା । ବିଜେପି ପ୍ରତିନିଧୀ ଦଳଙ୍କ ବିଭିନ୍ନ ପ୍ରଶ୍ନ ଓ ଚାପରେ ନିର୍ବାଚନ ପ୍ରସ୍ତୁତି ଚଲାଇଥିବା ଆନ୍ଧ୍ର ଅଧିକାରୀମାନେ ଛତ୍ରଭଙ୍ଗ ଦେଇଥିଲେ । କିନ୍ତୁ ଏ ଖବର ଓଡିଶା ସରକାରଙ୍କ ପାଖରେ ନଥିଲା । ସେତେବେଳେ ରାଜ୍ୟ ସରକାରଙ୍କ ଗୁଇନ୍ଦା ବିଭାଗ ଫେଲ୍ ମାରିଥିଲା ଏବଂ ଗତ ଦୁଇ ଦିନ ତଳେ ଆନ୍ଧ୍ର ମନ୍ତ୍ରୀ ଦଳବଳ ହୋଇ ଆସିବା ଘଟଣାରେ ବି ରାଜ୍ୟ ସରକାରଙ୍କ ଗୁଇନ୍ଦା ବିଭାଗ ଫେଲ୍ ମାରିଥିଲା । ଘଟଣାସ୍ଥଳରେ ଓଡିଶା ପକ୍ଷରୁ ଗଜପତି ଜିଲ୍ଲା ଏଡିଏମ ଓ ତହସିଲଦାରଙ୍କ ସମେତ ମାତ୍ର ୪ ଜଣ କନେଷ୍ଟବଳ ଥିଲେ । ଆନ୍ଧ୍ର ମନ୍ତ୍ରୀ ଓଡିଶାର ମାଟିରେ ପ୍ରବେଶ କରି ଓଡିଶା ସରକାରଙ୍କ ଅଫିସରଙ୍କୁ ଗାଲିଗୁଲଜ କଲେ ଏବଂ ଗିରଫ ଦେବାର ଧମକ ଦେଲେ । ଓଡିଶାର ଅଙ୍ଗନବାଡିକୁ ଉଡେଇ ଦେବାର ଧମକ ଦେଲେ । ଦୁର୍ଭାଗ୍ୟର କଥା ଏହି ଘଟଣାକୁ ୪୮ ଘଂଟା ବିତିଲା ପରେ ବି ଓଡିଶା ସରକାର କୌଣସି ମନ୍ତବ୍ୟ ଦେଲେ ନାହିଁ କି ଆନ୍ଧ୍ର ମନ୍ତ୍ରୀ ଏବଂ ଆନ୍ଧ୍ର ଅଫିସରଙ୍କ ବିରୁଦ୍ଧରେ ଏତଲା ରୁଜୁ କଲେ ନାହିଁ । ଆନ୍ଧ୍ରର ପୁଲିସ ସେ ଅଂଚଳରେ ଦିନକୁ ୩ ଥର ପାଟ୍ରୋଲିଂ କରୁଛି । ଓଡିଶା ସରକାରଙ୍କୁ ସହଯୋଗ କରୁଥିବା ପୂର୍ବତନ ସରପଂଚ ହରିବନ୍ଧୁ କାର୍ଜିଙ୍କୁ ଗତ ୪ ଦିନ ଧରି ଆନ୍ଧ୍ର ପୁଲିସ ଭୟଭୀତ କରି ରଖିଛି । ତାଙ୍କ ନାଁରେ ଆନ୍ଧ୍ର ଥାନାରେ ଏତଲା ଦାୟର କରିଛି । ହରିବନ୍ଧୁ ଓଡିଶା ପୁଲିସକୁ ସୁରକ୍ଷା ମାଗୁଥିବା ସମୟରେ ପୁଲିସ ତାଙ୍କୁ ସୁରକ୍ଷା ଦେବା ବଦଳରେ ତାଙ୍କୁ ଆତ୍ମଗୋପନ କରିବା ପାଇଁ ପ୍ରବର୍ତାଉଛନ୍ତି । ଓଡିଶା ସରକାର ନିଜ ଜିଲ୍ଲାର ବାସିନ୍ଦା ଓ ସରକାରୀ ଅଧିକାରୀଙ୍କୁ ସୁରକ୍ଷା ଦେଉ ନାହାଁନ୍ତି କାହିଁକି ବୋଲି ଶ୍ରୀ ବକ୍ସିପାତ୍ର ପ୍ରଶ୍ନ କରିଛନ୍ତି ।
ଗତ ୧୯ ଜାନୁଆରୀ ୨୦୨୧ରେ ଓଡିଶାରେ ସୀମା ବିବାଦ ଗୃହ କମିଟି ବସିଥିଲା । ଏହି କମିଟିର ଅଧ୍ୟକ୍ଷ ଖୋଦ୍ ବାଚସ୍ପତି ସୀମାନ୍ତ ଜିଲ୍ଲାକୁ ପ୍ରତିନିଧିତ୍ୱ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଓ ରାଜସ୍ୱମନ୍ତ୍ରୀ ସୀମାନ୍ତ ଜିଲ୍ଲାର ବ୍ୟକ୍ତି । ପ୍ରଥମ ବୈଠକରେ ବିଧାନସଭା ଗୃହ କମିଟିର ସଦସ୍ୟମାନେ ସୀମା ବିବାଦକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ବିଧାନସଭା ଗୃହ କମିଟି ଏହି ପ୍ରସଙ୍ଗ ନେଇ ବସିବାର ୮ ମାସ ବିତିଲା ପରେ ବି ଏପର୍ଯ୍ୟନ୍ତ ସୀମାବର୍ତୀ ଅଂଚଳକୁ ଗଲେ ନାହିଁ । ସୀମା ବିବାଦକୁ ନେଇ ଓଡିଶାର ମୁଖ୍ୟମନ୍ତ୍ରୀ ପଡୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ମଧ୍ୟ କଲେ ନାହିଁ । ସଂପୂର୍ଣ୍ଣ ମ୍ୟାପ ଏବଂ ରେକର୍ଡ ଅଫ ରାଇଟସ ଓଡିଶାର ଥିବା ସତ୍ୱେ ପଡୋଶୀ ରାଜ୍ୟମାନେ ଏଠି ଦାଦାଗିରି ଆରମ୍ଭ କରିଛନ୍ତି । ଓଡିଶା-ଆନ୍ଧ୍ର ସୀମା ନିର୍ଦ୍ଧାରଣ ସମୟରେ ଓଡିଶା ଭିତରେ ମାଣିକପାଟଣା ଗ୍ରାମ ଅବସ୍ଥିତ ଅଛି । ଏହି ଗ୍ରାମ ଉପରେ ଆନ୍ଧ୍ର ସକରାକରଙ୍କ କୌଣସି ଅଧିକାର ନାହିଁ । କିନ୍ତୁ ଆନ୍ଧ୍ର ସରକାର ସୀମାନ୍ତବର୍ତୀ ଲୋକଙ୍କୁ ପ୍ରଲୋଭିତ କରାଇ ବିଭିନ୍ନ ଯୋଜନାରେ ସାମିଲ କରି ଓଡିଶାର ଗାଁକୁ ଆନ୍ଧ୍ରରେ ସାମିଲ କରିବା ନେଇ ଷଡଯନ୍ତ୍ର ରଚିଛନ୍ତି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ସୀମା ବିବାଦକୁ ନେଇ ରାଜ୍ୟ ବିଜେପି ବାରମ୍ବାର ସରକାରଙ୍କୁ ସର୍ତକ କରାଇ ଆସୁଛି । କିନ୍ତୁ ରାଜ୍ୟ ସରକାର ସୀମା ସୁରକ୍ଷାକୁ ନେଇ ଚିନ୍ତିତ ନୁହଁନ୍ତି । ସମୁଦ୍ର ଜୁଆରରୁ ରକ୍ଷା ପାଇବା ପାଇଁ ପଶ୍ଚିମବଙ୍ଗ ସରକାର ବାଲେଶ୍ୱର ଉଦୟପୁର ଠାରେ ୩୦ ଫୁଟ ଲମ୍ବର ବନ୍ଧ ନିର୍ମାଣ କରିବା ପରେ ଗତ ୩ ଦିନ ହେବ କାମ ବନ୍ଦ ରଖିଛନ୍ତି । ଦକ୍ଷିଣ ଓଡିଶାର ସମସ୍ତ ସୀମାନ୍ତ ଗାଁ ଗୁଡିକରେ ଆଦିବାସୀ ଲୋକ ବସବାସ କରନ୍ତି । ତାଙ୍କ ସମସ୍ୟା ବୁଝିବା ପାଇଁ ଓଡିଶାର ସରକାରୀ ଅଫିସର ମାନେ ଆନ୍ଧ୍ର ଭିତର ଦେଇ ୪୦ କିମି ରାସ୍ତା ପାର୍ ହୋଇ ଆସୁଛନ୍ତି । ସେଠାରେ ଜଣେ ମହିଳା ତଦସିଲଦାର ଆନ୍ଧ୍ର ପୁଲିସ ଏବଂ ସରକାର ସହ ଲଢେଇ କରୁଛନ୍ତି । ଯଦି ତାଙ୍କର କିଛି କ୍ଷତି ହୁଏ ଏଥିପାଇଁ ଓଡିଶା ସରକାର ଦାୟୀ ରହିବେ । ଓଡିଶାର ସୀମା ମାଲକାନଗିରିରୁ ମୟୁରଭଂଜ, ନୂଆପଡାରୁ ସୁନ୍ଦରଗଡ ପର୍ଯ୍ୟନ୍ତ ଅସୁରକ୍ଷିତ ଅବସ୍ଥାରେ ଅଛି । ଖଣି ଚୋରଙ୍କୁ ବଂଚାଇବା ପାଇଁ ରାଜ୍ୟ ସରକାର ଦାମୀ ଓକିଲଙ୍କୁ ଲଗାଉଛନ୍ତି କିନ୍ତୁ ରାଜ୍ୟର ସୀମା ସୁରକ୍ଷା ପ୍ରସଙ୍ଗରେ ନୀରବ ରହୁଛନ୍ତି । ବିଧାନସଭା ପ୍ରଶ୍ନରେ ମଧ୍ୟ ରାଜସ୍ୱ ମନ୍ତ୍ରୀ ସଠିକ ଭାବେ ବିବାଦୀୟ ସୀମାବର୍ତୀ ଗାଁର ତଥ୍ୟ ଦେଉ ନାହାଁନ୍ତି । ମାଣିକପାଟଣା ଏବଂ ଗୁଡିଖଳା ଗାଁକୁ ସରକାର ବିବାଦୀୟ ସୀମାବର୍ତୀ ଗାଁ ଭାବେ ଗ୍ରହଣ କରୁନାହାଁନ୍ତି । ସୀମା ବିବାଦ ପ୍ରସଙ୍ଗରେ ରାଜ୍ୟ ସରକାର ନୀରବ କାହିଁକି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ରାଜ୍ୟ ସରକାର ଓଡିଶା ସୀମାର ସଂପୂର୍ଣ୍ଣ ସର୍ଭେ କରନ୍ତୁ । ଓଡିଶାର ପ୍ରତ୍ୟେକ ସୀମାନ୍ତ ଗାଁକୁ ଅଫିସରମାନେ ପହଁଚି ସୀମାନ୍ତ ଲୋକଙ୍କ ତଥ୍ୟ ସଂଗ୍ରହ କରନ୍ତୁ । ପଡୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଓଡିଶାର ମୁଖ୍ୟମନ୍ତ୍ରୀ କଥା ହୋଇ ସୀମା ବିବାଦର ସମାଧାନ କରନ୍ତୁ । ଆଗାମୀ ଦିନରେ ବିଜେପିର ସୀମା ସୁରକ୍ଷା କମିଟି ସୀମା ବିବାଦ ନେଇ ବିଚାର ବିମର୍ଷ କରିବା ସହ ସଂସଦ ଓ ବିଧାନସଭାରେ ଏଭଳି ଏକ ସ୍ପର୍ଶକାତର ବିଷୟକୁ ଉଠାଇବ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ପାରଳାଖେମୁଣ୍ଡି ବିଧାୟକ ତଥା ଗଜପତି ଜିଲ୍ଲା ସଭାପତି କେ.ନାରାୟଣ ରାଓ, ମୁଖପାତ୍ର ଠାକୁର ରଂଜିତ ଦାସ, ଗଣମାଧ୍ୟମ ବିଭାଗ ମୁଖ୍ୟ ଦିଲୀପ ମଲ୍ଲିକ, ଚିକିଟି ବିଜେପି ନେତା ମନୋରଂଜନ ଧ୍ୟାନସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking