ଲଣ୍ଡନ: ଆୟରଲାଣ୍ଡ ଲେଖକ ପଲ୍ ଲିଞ୍ଚ୍ଙ୍କୁ ଚଳିତବର୍ଷର ସମ୍ମାନଜନକ ବୁକର ପୁରସ୍କାର ପ୍ରଦାନ କରାଯାଇଛି । ରବିବାର ଲଣ୍ଡନରେ ଆୟୋଜିତ ଉତ୍ସବରେ ଲିଞ୍ଚ୍ଙ୍କୁ ପୁରସ୍କାର ବାବଦରେ ଟ୍ରଫି ଓ ୫୦,୦୦୦ ପାଉଣ୍ଡ୍ (ବ୍ରିଟିଶ ମୁଦ୍ରା) ଚେକ୍ ପ୍ରଦାନ କରାଯାଇଛି । ଉପନ୍ୟାସ ‘ପ୍ରଫେଟ୍ ସଙ୍ଗ୍’ ପାଇଁ ଲିଞ୍ଚ୍ ଏହି ପୁରସ୍କାରରେ ସମ୍ମାନିତ ହୋଇଥିବା କୁହାଯାଇଛି । ଆୟରଲାଣ୍ଡରେ ଏକଛତ୍ରବାଦ ଶାସନ ଚାଲିଥିବାବେଳେ ଜଣେ ମହିଳା କିଭଳି ନିଜର ପରିବାରକୁ ସୁରକ୍ଷିତ ରଖିବାକୁ ସଂଗ୍ରାମ ଚଳାଇଛନ୍ତି, ତାହା ଉପରେ ଏହି ଉପନ୍ୟାସର ବିଷୟବସ୍ତୁ ଆଧାରିତ ।
ଏହି ପୁରସ୍କାର ପାଇଁ ମୋଟ ୧୬୩ ଜଣ ଔପନ୍ୟାସିକଙ୍କୁ ତାଲିକାଭୁକ୍ତ କରାଯାଇଥିବାବେଳେ ଲିଞ୍ଚ୍ଙ୍କ ସମେତ ଆଉ ୪ ଜଣ (ଆୟରଲାଣ୍ଡ, ବ୍ରିଟେନ, ଆମେରିକା ଓ କାନାଡା) ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ । ୧୯୭୭ରେ ଜନ୍ମିତ ଲିଞ୍ଚ୍ ଡବ୍ଲିନ୍ରେ ବାସ କରୁଥିବାବେଳେ ୨୦୧୩ରେ ତାଙ୍କ ରଚିତ ପ୍ରଥମ ଉପନ୍ୟାସ ‘ରେଡ୍ ସ୍କାଏ ଇନ୍ ମର୍ଣ୍ଣିଂ’ ଆମାଜନ୍ ବୁକ୍ ଅଫ୍ ଦି ଇୟରଭାବେ ବେଶ ଲୋକପ୍ରିୟତା ହାସଲ କରିଥିଲା ।