27.1 C
Bhubaneswar
Tuesday, March 19, 2024
Homeଓଡିଶାକାହାଣୀ ଏକ ଏଭଳି ଭଉଣୀର, ନା ସୁରକ୍ଷା ମିଳିପାରିଲା, ନା ନ୍ୟାୟ

କାହାଣୀ ଏକ ଏଭଳି ଭଉଣୀର, ନା ସୁରକ୍ଷା ମିଳିପାରିଲା, ନା ନ୍ୟାୟ

ବଲାଙ୍ଗିର (ଦେବାଶିଷ ମିଶ୍ର) : ଆଜି ରକ୍ଷାବନ୍ଧନ । ଦିନଟି ଭଉଣୀମାନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ସୁରକ୍ଷାର ପ୍ରତୀକ । ଆଜିର ଦିନରେ ଏହି ଉତ୍ସବର ମାହୋଲ୍ ଦେଖିଲେ ମନେହୁଏ ଏ ସମାଜରେ ଭଉଣୀମାନେ ବେଶ୍ ସୁରକ୍ଷିତ । ଖୁବ୍ ଆଦୃତ ବି । ଯେଉଁ ଦେଶରେ ଏଭଳି ପବିତ୍ର ପରମ୍ପରା ରହିଛି, ସେଇଠି ନାରୀ ଜାତିର ସୁରକ୍ଷା, ସମ୍ମାନ ବି କ’ଣ ଏକ ସମସ୍ୟା ହୋଇପାରେ ?  କିନ୍ତୁ ଠିକ୍ ସେତେବେଳେ ମନେ ପଡ଼ିଯାଏ ଆଉ ଏକ ଭଉଣୀର ଲୁହଭରା କାହାଣୀ । ତା’ ପ୍ରତି ଏମିତି କ’ଣ ହେଲା ଯେ ଏ ସମାଜ ତା’ଠୁ ମୁହଁ ଫେରାଇ ନେଲା ! ବଂଚିଥିବା ବେଳେ ନା’ ଦେଲା ତାକୁ ସୁରକ୍ଷା ନା’ ମରିଯିବା ପରେ ଦେଇ ପାରିଲା ନ୍ୟାୟ ?  ଏପରିକି ସରକାର ଓ ବ୍ୟବସ୍ଥା ମଧ୍ୟ ତାକୁ ନ୍ୟାୟ ଦେବାରେ ପଛଘୁଂଚା ଦେଉଥିବା ଭଳି ମନେହୁଏ । ତାକୁ ନ୍ୟାୟର ଦେବୀ ପାଖକୁ ବି ଯିବାକୁ ଦିଆ ଯାଇନାହିଁ ଏ ପର୍ଯ୍ୟନ୍ତ । କ’ଣ ସେ ଏ ରକ୍ଷାବନ୍ଧନର ଅଧିକାରିଣୀ ନୁହେଁ ? କ’ଣ ସେ ଭଉଣୀ ନୁହେଁ, ମୋର ଆପଣଙ୍କର….କି ସନ୍ତାନ ନୁହେଁ ଏ ଦେଶ ମାଟିର ?
ଘଟଣା ୨୨ ମଇ ୨୦୧୫ର । ପାଟଣାଗଡ଼ ଅନ୍ତର୍ଗତ ସର୍ଗିପାଲି ଗ୍ରାମର ଶ୍ରୀମତୀ ଡାଳିମ୍ବ ଛତ୍ରିଆ ଓ ଆର୍ତ୍ତ ଛତ୍ରିଆଙ୍କ ଏକମାତ୍ର କନ୍ୟା ଥିଲା ସ୍ନେହଲତା ଛତ୍ରିଆ । ମାଟ୍ରିକ ପାଶ୍ କରିଥିଲା ପ୍ରଥମ ଶ୍ରେଣୀରେ । ଶାନ୍ତ, ସରଳ ଝିଅଟିଏ । ନିକଟସ୍ଥ ହରିଶଙ୍କର ନାଳକୁ ଗାଧୋଇବାକୁ ଯାଇ ଆଉ ଫେରି ନଥିଲା । ମା’ବାପା, ବନ୍ଧୁ ପରିଜନ ଖୋଜି ଖୋଜି ନୟାନ୍ତ । ପରଦିନ ସ୍ନେହଲତା ଗାଧୋଇବାକୁ ଯାଇଥିବା ନାଳ ପାଖରେ ପଡ଼ିଥିଲା ତା’ର ମୃତ ଉଲଗ୍ନ ଦେହ । କ୍ଷତ ବିକ୍ଷତ ଶରୀର । ବିଭତ୍ସ ଭାବରେ ତା’ ପ୍ରତି ହୋଇଥିବା ଅମାନବୀୟ ଅତ୍ୟାଚାର, ତା’ ଶବକୁ ଦେଖିଲେ ବୁଝି ହୋଇ ଯାଉଥିଲା । ଦୁଷ୍କର୍ମ ପରେ ଅମଣିଷମାନେ ତାକୁ ନୃଶଂସ ଭାବରେ ଖୁବ୍ କଷ୍ଟ ଦେଇ ହତ୍ୟା କରିଥିଲେ । ତାର ଶବକୁ ଚିହ୍ନି ହେବନାହିଁ ଭାବି ସେମାନେ ତା’ ମୁହଁରେ, ଦେହରେ ଏସିଡ଼୍ ମଧ୍ୟ ଢାଳି ପୋଡ଼ି ଦେଇଥିଲେ । ଅତି ଦୟନୀୟ ସେଇ ଦୃଶ୍ୟ । ଏବେ ବି ମନେ ପକେଇଲେ ଦେହ ଶୀତେଇ ଯାଏ ।
ଏଭଳି ଅବସ୍ଥାରେ ସ୍ନେହଲତାର ଶବକୁ ଦେଖି ସମସ୍ତ ସ୍ତବ୍ଧ ହୋଇ ଯାଇଥିଲେ । ମାମଲା ରୁଜ୍ଜୁ ହେଲା ସ୍ଥାନୀୟ ଥାନାରେ । ଶବକୁ ବ୍ୟବଚ୍ଛେଦ ପାଇଁ ନିଆଗଲା ଡାକ୍ତରଖାନା । କିନ୍ତୁ ରାତିକରେ କ’ଣ ହେଲା କେଜାଣି, ଶବ ବ୍ୟବଚ୍ଛେଦ ନ ହୋଇ ଫେରି ଆସିଲା ଡାକ୍ତରଖାନାରୁ । ଆଜିଯାଏଁ ହୋଇ ପାରିନାହିଁ ତାର ଚାର୍ଜସିଟ୍ । କ୍ରାଇମବ୍ରାଂଚ୍ ତଦନ୍ତ ନିର୍ଦ୍ଦେଶ ପରେ ବି ଧରା ପଡ଼ିଲେ ନାହିଁ ନର ରାକ୍ଷାସମାନେ । ସ୍ନେହଲତାକୁ ନ୍ୟାୟ ଦେବା ପାଇଁ ବାରମ୍ବାର ଆନ୍ଦୋଳନ ହେଲା । ଜୋରଦାର ଆଲୋଚନା ପର୍ଯ୍ୟାଲୋଚନା ଚାଲିଲା । ଅଥଚ ଆଜିଯାଏଁ ସ୍ନେହଲତା ପାଇଲା ନାହିଁ ନ୍ୟାୟ । ଏ ଭିତରେ ଦୀର୍ଘ ପାଂଚ ବର୍ଷ ବିତି ଯାଇଛି । ଏହି ଦଳିତ ନାବାଳିକା ଗଣ ଦୁଷ୍କର୍ମ ଘଟଣାର ପର୍ଦ୍ଧାଫାସ୍ କରିବା ପାଇଁ ବାରମ୍ବାର ଅନୁରୋଧ କରିଛି ସାବିତ୍ରୀ ବାଇ ଫୁଲେ ସଂଗଠନ । ଏପରିକି କିଛି ଦିନ ତଳେ ରାଜ୍ୟର ସମସ୍ତ ସାଂସଦଙ୍କୁ ଏହି ଘଟଣାର କ୍ରାଇମବ୍ରାଂଚ ତଦନ୍ତ ପାଇଁ ଅର୍ଜି ଦେଇଛି । କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର କୌଣସି ସଠିକ୍ ଉତ୍ତର ମିଳି ପାରିନାହିଁ । ସତେ ଯେମିତି ଏବେ ବି ଚାହିଁ ବସିଛି ନ୍ୟାୟକୁ ସ୍ନେହଲତାର ଆତ୍ମା ! ଜଗି ବସିଛି ରକ୍ଷା ବନ୍ଧନର ସେହି ପବିତ୍ର ଡୋରିର ସୁରକ୍ଷାର ସଂକଳ୍ପକୁ । ସ୍ନେହଲତା ବି ଏ ମାଟିର ଭଉଣୀ, ଏ ମାଟିର କନ୍ୟା । ତେବେ କ’ଣ ଏ ଭଉଣୀକୁ ନ୍ୟାୟ ଦେବାରେ ଭାରତୀୟ ଆଇନ ବ୍ୟବସ୍ଥା ସତରେ ଅସମର୍ଥ ?

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking