29.1 C
Bhubaneswar
Thursday, April 25, 2024
Homeଓଡିଶାଶୌଚାଳୟ ତିଆରିରେ ଦୁର୍ନୀତି : ଭିଜିଲାନ୍ସ ତଦନ୍ତ ଦାବି କଲା ବିଜେପି

ଶୌଚାଳୟ ତିଆରିରେ ଦୁର୍ନୀତି : ଭିଜିଲାନ୍ସ ତଦନ୍ତ ଦାବି କଲା ବିଜେପି

ବଲାଙ୍ଗିର/ ସଇଁନ୍ତଳା, – ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକରେ ପାଇଖାନା ଦୁର୍ନୀତିର ଗୁମର ଖୋଲିବାରେ ଲାଗିଛି । ଅର୍ଦ୍ଧନିର୍ମିତ ପାଇଖାନାଗୁଡ଼ିକର ସଂପୂର୍ଣ୍ଣ ବିଲ୍ ଉଠାଇ ନେଇ ମାଲେମାଲ୍ ହୋଇଛନ୍ତି ଯନ୍ତ୍ରୀ ତଥା ଠିକାଦାର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଏହି ଦୁର୍ନୀତିର ଖବର ପାଇବା ପରେ ବ୍ଲକ୍ ପ୍ରଶାସନର ତନାଘନା ସ୍ଥିତି ଦେଖିବାକୁ ମିଳିଥିବା ବେଳେ ଭିଜିଲାନ୍ସ ତଦନ୍ତ ପାଇଁ ଦାବୀ କରିଛି ବିଜେପି ଦଳ । ଅନେକ ହିତାଧିକାରୀଙ୍କଠାରୁ କାଗଜପତ୍ର ନେଇ ହଜାର ହଜାର ଲୋକଙ୍କ ଟଙ୍କା ମଧ୍ୟ ଉଠି ସାରିଥିବା କୁହାଯାଉଛି। ଏହାର ହିସାବ ବ୍ଲକ୍ ପ୍ରଶାସନ ପ୍ରଦାନ କରୁ ନଥିବା ଯୋଗୁଁ ସନେ୍ଧହ ଆହୁରି ଘନେଇବାରେ ଲାଗିଛି ।
ପ୍ରକାଶଯୋଗ୍ୟ ଯେ, ଗତ ୩ ମାସ ହେବ ସଇଁନ୍ତଲା ବିଡ଼ିଓ ଭାବରେ ଦେବାଶିଷ ସାମଲ ଯୋଗ ଦେଇଥିବା ବେଳେ ତାଙ୍କ ସମୟରେ ଏଭଳି ଦୁର୍ନୀତି ହୋଇ ନଥିବା ସେ କହିଛନ୍ତି । ତେବେ ଆଗରୁ କେଉଁ ଅଧିକାରୀ ତଥା କେଉଁ ଠିକାଦାର ଏହି ଦୁର୍ନୀତି ମାମଲାରେ ରହିଛନ୍ତି ତାହାର ଭିଜିଲାନ୍ସ ତଦନ୍ତ ହେଉ ବୋଲି ବିଜେପି. ପକ୍ଷରୁ ଦାବୀ କରାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଯେ, କୁଇକେଡ଼ା, ଟିକ୍ରାପଡ଼ା, ଛଡ଼ଛଡ଼ା, କରମତଲା ଭଳି ଅନେକ ଗ୍ରାମରେ ପାଇଖାନା ନାଁରେ ଲୋକଙ୍କ ଅଜାଣରେ ଟଙ୍କା ଉଠି ସାରୁଥିବା କୁହାଯାଇଛି । ଲୋକେ ଜାଣିବା ପରେ ବ୍ଲକ୍ ପ୍ରଶାସନ ପାଖକୁ ଆସିଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ନୀରବ ରହୁଥିବା ମଧ୍ୟ ସୂଚନା ମିଳିଛି । ଠକେଇର ଶିକାର ହୋଇଥିବା ହିତାଧିକାରୀମାନେ ନିରାଶ ହୋଇ ଫେରିଛନ୍ତି । ସୂଚନା ଅନୁସାରେ ସଂପୃକ୍ତ ବ୍ଲକ୍ର ୨୨ଟି ପଂଚାୟତରେ ହଜାର ହଜାର ପାଇଖାନା ନିର୍ମାଣ ହୋଇଛି, କିନ୍ତୁ ବ୍ଲକ୍ ପ୍ରଶାସନ ପାଖରେ ତାର ହିସାବ ନାହିଁ ।
ଠିକାଦାର ଓ ବ୍ଲକ୍ ପ୍ରଶାସନିକ ଅଧିକାରୀମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏଭଳି ଦୁର୍ନୀତି ଘଟିଥିବା ବୁଦ୍ଧିଜୀବୀମାନେ ପ୍ରକାଶ କରନ୍ତି । ଟିଟିଲାଗଡ଼ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କୁ ଏ ସଂପର୍କରେ ପଚରାଯିବାରୁ ସେ କହିଛନ୍ତି ଯେ, ଏ ଘଟଣା ସଂପର୍କରେ ମୁଁ ଜାଣିନାହିଁ, ଯଦି ଏଭଳି ଘଟଣା ଘଟିଛି ତେବେ ତଦନ୍ତ କରାଯିବ । ବଲାଙ୍ଗିର ଭିଜିଲାନ୍ସ ଡିଏସ୍ପି. କାଦମ୍ବିନୀ ସାମଲ୍ଙ୍କ ମନ୍ତବ୍ୟ ନେବାରୁ ସେ ପ୍ରକାଶ କରିଛନ୍ତି, ଯଦି ବିନା ପାଇଖାନାରେ ଟଙ୍କା ଉଠିଛି, ତେବେ ଅଭିଯୋଗ ଆସିଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୂଚନା ଅନୁସାରେ ସଇଁନ୍ତଲା ବ୍ଲକ ଘୁନସର ପଂଚାୟତ ଦେଉଳୀ ଗାଁରେ ୩୭ ଜଣ ହିତାଧିକାରୀଙ୍କ ନାମରେ ୪ ଲକ୍ଷ ୪୪ ହଜାର ଟଙ୍କା ପାଇଖାନା ହଡ଼ପ ହୋଇଥିବା ବେଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ଏକ ମାମଲା ରୁଜୁ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking