ବଲାଙ୍ଗିର ଜିଲ୍ଲାରେ ଜାତୀୟ କୃମିନାଶକ ଔଷଧ ସେବନ ଅଭିଯାନ ଆରମ୍ଭ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାରେ ଜାତୀୟ କୃମିନାଶକ ଔଷଧ ସେବନ ଅଭିଯାନ ସୋମବାର ଠାରୁ ଆରମ୍ଭ ହୋଇଥିବା ବଲାଙ୍ଗିର ଜିଲ୍ଲା ମୁଖ୍ୟ ଭେଷଜ ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଅଭିଯାନ ୨୧ ସେପ୍ଟେମ୍ବର ଠାରୁ ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ କାର୍ଯ୍ୟକାରୀ କରାଯିବ । ଏହି ଅଭିଯାନ ମାଧ୍ୟମରେ ୧ ରୁ ୧୯ ବର୍ଷ ବୟସ୍କ ପିଲାଙ୍କୁ ଘରକୁ ଘର ଯାଇ ନିରାପଦ କୃମିନାଶକ ଔଷଧ ବିନା ମୂଲ୍ୟରେ ଖାଇବାକୁ ଦିଆଯିବ । ବଲାଙ୍ଗିର ଜିଲ୍ଲାରେ ୧ ରୁ ୧୯ ବର୍ଷ ପର୍ଯ୍ୟନ୍ତ ୪,୬୮,୨୭୭ ଜଣ ପିଲାଙ୍କୁ କୃମିନାଶକ ଔଷଧ ଦେବାପାଇଁ ଧାର୍ଯ୍ୟ କରାଯାଇଛି । ଅଙ୍ଗନୱାଡ଼ି ଦିଦି, ଆଶାକର୍ମୀ ଓ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ଯାଇ ସଂପୃକ୍ତ ବୟସ ସୀମାର ପିଲାଙ୍କୁ ଏହି କୃମିନାଶକ ଔଷଧ ଖୁଆଇବେ । ଏହି ଅଭିଯାନ ସମୟରେ କରୋନା ପ୍ରତିରୋଧ ପାଇଁ ଉଦ୍ଦିଷ୍ଟ ସମସ୍ତ ନିୟମ ପାଳନ କରିବାକୁ ଅଙ୍ଗନୱାଡ଼ି ଦିଦି, ଆଶାକର୍ମୀ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପରାମର୍ଶ ଦିଆଯାଇଛି । ସେପ୍ଟେମ୍ବର ୨୧ ରୁ ୨୬ ତାରିଖ ପର୍ଯ୍ୟନ୍ତ ଚାଲୁଥିବା ଏହି ଅଭିଯାନ ମାଧ୍ୟମରେ ୧ ରୁ ୧୯ ବର୍ଷ ବୟସ୍କ ପିଲାମାନଙ୍କୁ କୃମିନାଶକ ଔଷଧ ଖୁଆଇ ସେମାନଙ୍କୁ ପୁଷ୍ଟିହୀନତା,ରକ୍ତହୀନତା ଠାରୁ ଦୂରେଇ ରଖିବା ସହ ଏହି ଅଭିଯାନରେ ସହଯୋଗ କରିବା ପାଇଁ ସମସ୍ତ ଅଭିଭାବକମାନଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here