ରୋମ୍ : ୫୦୦ ଜଣ ଶରଣାର୍ଥୀଙ୍କୁ ନେଇ ଯାଉଥିବା ଏକ ଭୋଟ୍ ଭୂମଧ୍ୟସାଗରରେ ନିଖୋଜ ହୋଇଯାଇଛି । ଏହି ବୋଟ୍ରେ ଜଣେ ନବଜାତକ ଏବଂ ଜଣେ ଗର୍ଭବତୀ ମଧ୍ୟ ଅଛନ୍ତି । ପ୍ରବାସୀଙ୍କ ବୋଟ୍ ଉପରେ ନଜର ରଖୁଥିବା ସଂସ୍ଥା ଆଲାର୍ମ ଫୋନ୍ ଶୁକ୍ରବାର ଏହି ସୂଚନା ଦେଇଛି । ସଂସ୍ଥା ଅନୁସାରେ ଶରଣାର୍ଥୀଙ୍କ ସହିତ ଶେଷଥର ପାଇଁ ବୁଧବାର ଯୋଗାଯୋଗ ହୋଇଥିଲା । ସେତେବେଳେ ବୋଟ୍ ଲିବିୟାର ବେଙ୍ଗାଜି ପୋର୍ଟଠାରୁ ୩୨୦ ଏବଂ ଇଟାଲୀ ଠାରୁ ୪୦୦ କିମି ଦୂରରେ ଥିଲା । ସେତେବେଳେ ବୋଟ୍ର ଇଞ୍ଜିନ୍ ଠିକ୍ ଭାବେ କାମ କରୁନଥିବା ସୂଚନା ମିଳିଥିଲା । ଅନ୍ୟପକ୍ଷରେ ଇଟାଲୀର ଏମର୍ଜେନ୍ସି ଏନ୍ଜିଓ କହିଛି ତା’ ଲାଇଫ୍ ସପୋର୍ଟ ଶିପ୍ ଶରଣାର୍ଥୀଙ୍କ ବୋଟ୍କୁ ୨୪ ଘଣ୍ଟା ଧରି ଖୋଜୁଥିଲେ ମଧ୍ୟ ତାର କୌଣସି ସନ୍ଧାନ ମିଳିପାରି ନାହିଁ ।
ଅଲ୍ଜଜିରା ରିପୋର୍ଟ ଅନୁସାରେ ଇଟାଲୀର କୋଷ୍ଟ୍ଗାର୍ଡ ଗୁରୁବାର ଦୁଇଟି ଭିନ୍ନ ଅପରେସନ୍ରେ ୧୦୯୪ ଶରଣାର୍ଥୀଙ୍କ ଜୀବନ ବଞ୍ଚାଇଛି। ଏହି ଲୋକମାନେ ସମୁଦ୍ରରେ ଦିଗଭ୍ରଷ୍ଟ ହୋଇ ବୁଲୁଥିଲେ । ନ୍ୟୁୟର୍କ ଟାଇମ୍ସ ଏକ ରିପୋର୍ଟରେ ଖୁଲାସା କରିଛି ଯେ ଗ୍ରୀସ୍ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ କରି ସୋମାଲିଆ, ଇରିଟ୍ରିୟା ଏବଂ ଇଥିଓପିଆରୁ ଜୀବନ ବଞ୍ଚାଇ ଗ୍ରୀସ୍ରେ ଆଶ୍ରୟ ନେବାକୁ ଆସିଥିବା ପ୍ରବାସୀଙ୍କୁ ବୋଟ୍ରେ ବସାଇ ଫେରାଇ ଦେଇଛି । ଏଥିରେ କେତେକ ଶିଶୁ ମଧ୍ୟ ସାମିଲ ବୋଲି ରିପୋର୍ଟରେ କୁହାଯାଇଛି । ଅବଶ୍ୟ ଗ୍ରୀସ୍ ସରାର ଏହି ଅଭିଯୋଗ ଉପରେ କିଛି ବି କହିବାକୁ ମନା କରିଦେଇଛନ୍ତି । ସୂଚନାଯୋଗ୍ୟ, ହିଂସାଗ୍ରସ୍ତ ଅଞ୍ଚଳରୁ ଶରଣାର୍ଥୀମାନେ ନିଜ ଦେଶ ଛାଡ଼ି ୟୁରୋପ ପଳାଇ ଆସୁଥିବା ଧାରା ଲଗାତାର ଜାରି ରହିଛି । ଅନ୍ତର୍ଜାତୀୟ ଆଇନ ଅନୁସାରେ ସେମାନଙ୍କୁ ଫେରାଇ ଦିଆଯାଇପାରିବ ନାହିଁ । ଇତିମଧ୍ୟରେ ବୋଟ୍ ଜରିଆରେ ଇଟାଲିକୁ ୪୭ ହଜାର ଶରଣାର୍ଥୀ ଆସିସାରିଲେଣି । ଏହା ଗତବର୍ଷ ତୁଳନାରେ ୧୮ ହଜାର ଅଧିକ ।