40.1 C
Bhubaneswar
Thursday, April 25, 2024
Homeଓଡିଶାସାବଧାନ: ବାହାରେ ବୁଲୁଥିବା ଗାଈକୁ ନେଇଯିବ ବିଏମ୍‌ସି

ସାବଧାନ: ବାହାରେ ବୁଲୁଥିବା ଗାଈକୁ ନେଇଯିବ ବିଏମ୍‌ସି

ଭୁବନେଶ୍ୱର: ଭୁବନେଶ୍ୱର ରାସ୍ତାଘାଟରେ ବୁଲା ଗାଈଙ୍କ ସଂଖ୍ୟା ବହୁ ପରିମାଣରେ ଦେଖିବାକୁ ମିଳୁଛି । ଅଧିକାଂଶ ସ୍ଥଳରେ ଗାଈଙ୍କ ସକାଶେ ଟ୍ରାଫିକ୍ ଜନିତ ସମସ୍ୟା ଉପୁଜୁଥିବା ନଜରକୁ ଆସିଛି । ଏଣିକି ରାଜଧାନୀ ରାଜରାସ୍ତାରେ ଗାଈ ବାହାରେ ବୁଲିଲେ ନେଇଯିବ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) । ବାରମ୍ବାର ମାଲିକମାନେ ରାଜଧାନୀରେ ଗାଈମାନଙ୍କୁ ଅସୁରକ୍ଷିତ ଭାବେ ଚରିବାକୁ ଛାଡ଼ିଦେଉଥିବା ନଜରକୁ ଆସିଛି । ଏନେଇ ବିଏମ୍‌ସି ପକ୍ଷରୁ ବାରମ୍ବାର ସତର୍କ କରାଯିବା ସତ୍ତ୍ୱେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଏ ସକାଶେ କଠୋର ମନୋବୃତ୍ତି ଆପଣାଇବା ସହ ଗାଈମାନେ ସହରର ଏଣେ ତେଣେ ବୁଲିଲେ ସେମାନଙ୍କୁ ବିଏମ୍‌ସି ପକ୍ଷରୁ ଉଦ୍ଧାର କରାଯାଇ ପ୍ରଥମେ କାଞ୍ଜିଆହୁଦାରେ ଅସ୍ଥାୟୀ ଭାବେ ରଖାଯିବ ଏବଂ ପରେ ବିଏମ୍‌ସି ନକଟବର୍ତ୍ତୀ ଥିବା ଜିଲ୍ଲା ଯଥା ଖୋର୍ଦ୍ଧା, ପୁରୀ ଓ କଟକରେ ଥିବା ଏସ୍‌ଏଚ୍‌ଜିଙ୍କୁ ପ୍ରଦାନ କରାଯିବ । ଯେଉଁମାନେ କି ବିଶେଷ ଭାବେ କ୍ଷୀର ଉତ୍ପାଦନ କରୁଥିବେ, ସେମାନଙ୍କୁ ଉଦ୍ଧାର ହୋଇଥିବା ଗାଈମାନଙ୍କୁ ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଗତ ୨୦୨୦ ମସିହା ନଭେମ୍ବର ମାସ ୧୦ ତାରିଖରେ ବିଏମ୍‌ସି ମୁଖ୍ୟାଳୟରେ ହୋଇଥିବା ବୈଠକ ମୂତାବକ ବିଏମ୍‌ସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ସୂଚନା ଅନୁଯାୟୀ, ପୁରୀ, ଖୋର୍ଦ୍ଧା ଓ କଟକର ବିଭିନ୍ନ ବ୍ଲକ୍‌ରେ ଯେଉଁଠି ଏସ୍‌ଏଚ୍‌ଜି କ୍ଷୀର ଉତ୍ପାଦନ କରୁଥିବେ ସେମାନଙ୍କ ତାଲିକା ଦେବା ପାଇଁ ବିଏମ୍‌ସି ପକ୍ଷରୁ ସୋମବାର ଚିଠି ଲେଖିାଯାଇଛି । ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାର ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ବିଏମ୍‌ସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ଏହି ଚିଠି ଲେଖିଛନ୍ତି । ଭୁବନେଶ୍ୱର ରାସ୍ତାଘାଟରେ ବୁଲା ଗାଈଙ୍କ ସଂଖ୍ୟା ବହୁ ପରିମାଣରେ ଦେଖିବାକୁ ମିଳୁଛି । ଅଧିକାଂଶ ସ୍ଥଳରେ ଗାଈଙ୍କ ସକାଶେ ଟ୍ରାଫିକ୍ ଜନିତ ସମସ୍ୟା ଉପୁଜୁଥିବା ନଜରକୁ ଆସିଛି । ଏହି ସମସ୍ୟାର ସମାଧାନ ସଦୃଶ ବିଏମ୍‌ସି ସମ୍ପୃକ୍ତ ବୁଲା ଗାଈଙ୍କୁ ପ୍ରଥମେ ରାସ୍ତାରୁ ଉଦ୍ଧାର କରିବ । ପରେ ସେମାନଙ୍କୁ ଏସ୍‌ଏଚ୍‌ଜି ଗ୍ରୁପ୍ ସଦସ୍ୟଙ୍କୁ କ୍ଷୀର ଉତ୍ପାଦନ କରିବାକୁ ଯୋଗାଇବ ବୋଲି ଉକ୍ତ ଚିଠିରେ ଉଲ୍ଲେଖ ରହିଛି । ଯଦି ଗାଈକୁ ଉଦ୍ଧାର ପରେ ମାଲିକ ନେବାକୁ ଚାହିଁବେ, ତାହେଲେ ଉଦ୍ଧାର ହେବାର ୭ ଦିନ ମଧ୍ୟରେ ସେ ଗାଈକୁ ଆବଶ୍ୟକ ଜରିମାନା ଦେଇ ନେଇପାରିବେ । ଆଉ ଯଦି ଗାଈକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ମାଲିକ ନ ନେବେ, ତେବେ ତାକୁ ସମସ୍ତ ଦସ୍ତାବିଜ୍ ସହ ନିକଟବର୍ତ୍ତୀ ଏସ୍‌ଏଚ୍‌ଜିକୁ ହସ୍ତାନ୍ତର କରାଯିବ । ଯିଏକି ଗାଈକୁ ତାଙ୍କ ଦୈନନ୍ଦିନ ଜୀବନର ଆବଶ୍ୟତକା ପୂରଣ କରିବାରେ ଉପଯୋଗ କରିବେ । ହସ୍ତାନ୍ତର ପୂର୍ବରୁ ଗାଈର ସଠିକ୍ ଢ଼ଙ୍ଗରେ ଟ୍ୟାଗିଂ ଓ ସମସ୍ତ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇ ପ୍ରଦାନ କରାଯିବ ବୋଲି ବିଏମ୍‌ସି ପକ୍ଷରୁ ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି । ତେଣୁ ପୁରୀ, ଖୋର୍ଦ୍ଧା ଓ କଟକର ଜିଲ୍ଲାପାଳ ତଥା ପ୍ରକଳ୍ପ ଅଧିକାରୀ ଜିଲ୍ଲା ମଧ୍ୟରେ ଥିବା ଏପରି ଏସ୍‌ଏଚ୍‌ଜିର ତାଲିକା ପ୍ରଦାନ କରନ୍ତୁ ବୋଲି ବିଏମ୍‌ସି ପକ୍ଷରୁ ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି । ଆପାତକାଳୀନ ଭାବେ ଏହାକୁ ଗ୍ରହଣ କରିବାକୁ ବିଏମ୍‌ସି ପକ୍ଷରୁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking