30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶକଂଗ୍ରେସର ୯ ପ୍ରଶ୍ନ ଉପରେ ବିଜେପିର କଡ଼ା ଜବାବ; ସ୍ମରଣ କରାଇଲା ଟୁ-ଜି, ସିଡବ୍ଲ୍ୟୁଜି ଏବଂ...

କଂଗ୍ରେସର ୯ ପ୍ରଶ୍ନ ଉପରେ ବିଜେପିର କଡ଼ା ଜବାବ; ସ୍ମରଣ କରାଇଲା ଟୁ-ଜି, ସିଡବ୍ଲ୍ୟୁଜି ଏବଂ ବୋଫର୍ସ

ନୂଆଦିଲ୍ଲୀ : କେନ୍ଦ୍ରର ମୋଦୀ ସରକାରକୁ ଆଜି ୯ ବର୍ଷ ପୂରିଛି । ୨୦୧୪ ମେ ୨୬ ତାରିଖରେ ନରେନ୍ଦ୍ର ମୋଦୀ ପ୍ରଥମ ଥର ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏହି ଅବସରରେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ୯ଟି ପ୍ରଶ୍ନ ପଚାରିଛି । ଏଥିପାଇଁ ପାର୍ଟି ‘୯ ବର୍ଷ, ୯ ପ୍ରଶ୍ନ’ ନାମକ ଏକ ଡକ୍ୟୁମେଣ୍ଟ୍ ମଧ୍ୟ ଜାରି କରିଛି । ଏଥିରେ ପ୍ରତ୍ୟେକ ବର୍ଷ ପାଇଁ ଗୋଟିଏ ପ୍ରଶ୍ନ ପଚରା ଯାଇଛି । ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି, ରାହୁଲ ଗାନ୍ଧୀ ଭାରତ ଯୋଡ଼ ଯାତ୍ରା ବେଳେ ଏହି ୯ଟି ପ୍ରଶ୍ନ ବହୁବାର ଉଠାଇଛନ୍ତି । ମାତ୍ର ଏହା ଉପରେ ବର୍ତ୍ତମାନ ସୁଦ୍ଧା କୌଣସି ଉତ୍ତର ମିଳିପାରି ନାହିଁ । ଏବେ ସମୟ ଆସିଛି ପ୍ରଧାନମନ୍ତ୍ରୀ ଏହା ଉପରେ ମୁହଁ ଖୋଲନ୍ତୁ । ବିଜେପିର ବରିଷ୍ଠ ନେତା ରବି ଶଙ୍କର ପ୍ରସାଦ ଏହାର କଡ଼ା ଜବାବ ଦେଇଛନ୍ତି । ସେ କହିଛନ୍ତି, ଏହା କଂଗ୍ରେସର ଲଜ୍ଜାର ପରାକାଷ୍ଠା । ଏହା ସହିତ ବିଜେପି କଂଗ୍ରେସକୁ ଟୁ-ଜି, ସିଡବ୍ଲ୍ୟୁଜି ଏବଂ ବୋଫର୍ସ ଘୋଟାଲାର ସ୍ମରଣ କରାଇଛି । ବିଜେପି ମୁଖ୍ୟାଳୟରେ ସାମ୍ବାଦିକଙ୍କ ସମ୍ବୋଧନ କରି ରବି ଶଙ୍କର ପ୍ରସାଦ କହିଛନ୍ତି, କଂଗ୍ରେସ ପାର୍ଟି ଦ୍ୱାରା ଯେଉଁ ପ୍ରଶ୍ନ କରାଯାଇଛି ତାହା ପ୍ରଶ୍ନ ନୁହେଁ, ବରଂ ତାହା କଂଗ୍ରେସର କୋପକୁ ଦର୍ଶାଉଛି । ଯାହା ନରେନ୍ଦ୍ର ମୋଦୀଙ୍କ ବିରୋଧୀ ଘୃଣାଭାବରୁ ଜନ୍ମ ନେଇଛି ।

ଯେଉଁ କରୋନା ମହାମାରୀର ପ୍ରବନ୍ଧନକୁ ନେଇ ସାରା ବିଶ୍ୱରେ ଭାରତର ପ୍ରଶଂସା ହେଉଛି, ତା ଉପରେ ପ୍ରଶ୍ନ ଉଠାଇବା ‘ଲଜ୍ଜାର ପରାକାଷ୍ଠା’ । ସେ କହିଛନ୍ତି, କଂଗ୍ରେସ ଭ୍ରଷ୍ଟାଚାରକୁ ନେଇ କଂଗ୍ରେସ କରୁଛି, ଯାହାର ଶାସନ କାଳରେ ଟୁ-ଜି ଘୋଟାଲା, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଘୋଟାଲା, ଆଦର୍ଶ ଘୋଟାଲା, ବୋଫର୍ସ, ଅନ୍ତରୀକ୍ଷ ଘୋଟାଲା, ହେଲିକପ୍ଟର ଭଳି ବଡ଼ ବଡ଼ ଘୋଟାଲା ହୋଇଛି ସେ ଭ୍ରଷ୍ଟାଚାରକୁ ନେଇ ପ୍ରଶ୍ନ କରୁଛି ବୋଲି ଶ୍ରୀ ପ୍ରସାଦ କଂଗ୍ରେସ ପ୍ରତି ତାତ୍ସଲ୍ୟ କରିଛନ୍ତି । ସେ କହିଛନ୍ତି, ଆଜି ଭାରତ ବିଶ୍ୱର ପଞ୍ଚମ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ହୋଇଛି । ୧୬ ହଜାର କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ ହେଉଛି । ଭାରତ ବିଶ୍ୱର ଦ୍ୱିତୀୟ ମୋବାଇଲ୍ ଉତ୍ପାଦକ ହୋଇଥିବା ବେଳେ ଭାରତରେ ୧୦ ବିଲିୟନ୍ ଡଲାରର ଡିଜିଟାଲ୍ ପେମେଣ୍ଟ୍ ହେଉଛି । ଏପରି ସ୍ଥିତିରେ ଭାରତର ଅର୍ଥ ବ୍ୟବସ୍ଥା ବହୁ ଖରାପ ସ୍ଥିତିରେ ଥିବା କଂଗ୍ରେସର ଦାବି ଆଶ୍ଚର୍ଯ୍ୟ କରିଛି । ବିକାଶର ପ୍ରତ୍ୟେକ କ୍ଷେତ୍ରରେ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ।

ଯଦି କଂଗ୍ରେସକୁ ଏହା ଦେଖାଯାଉନି, ତେବେ କିଏ କ’ଣ କରିପାରିବ । କୃଷକଙ୍କ ସମ୍ପର୍କରେ କଂଗ୍ରେସ କରିଥିବା ଦାବିକୁ ରବି ଶଙ୍କର ମିଥ୍ୟା ବୋଲି କହିଛନ୍ତି । ଏମ୍‌ଏସ୍‌ପିର ତଥ୍ୟ ଦେଇ ସେ କହିଛନ୍ତି ଏହା ଉପରେ କଂଗ୍ରେସ ମିଛ କହୁଛି । ସେ କହିଛନ୍ତି, ୨୦୧୪-୧୫ରେ ଚାଉଳର ଏମ୍‌ଏସ୍‌ପି ପ୍ରତି କ୍ୱିଣ୍ଟାଲ୍ ୧୩୬୦ ଟଙ୍କା ଥିବାବେଳେ ଏବେ ୨୦୪୦ ଟଙ୍କା ରହିଛି । ଧାନର ଏମ୍‌ଏସ୍‌ପି ୧୪୦୦ ଟଙ୍କା ଥିବାବେଳେ ୨୦୬୦ ଟଙ୍କା ପ୍ରତି କ୍ୱିଣ୍ଟାଲ୍ ରହିଛି । ସେ କହିଛନ୍ତି, ଅଭିଯୋଗ କରିବା ପୂର୍ବରୁ କଂଗ୍ରେସ ରେକର୍ଡ ଯାଞ୍ଚ୍ କରିବା ସହିତ ନିଜ ତଥ୍ୟକୁ ଠିକ୍ କରିବା ଉଚିତ । ସେହିପରି ଚୀନ୍ ସନ୍ଦର୍ଭରେ ଜାତୀୟ ସୁରକ୍ଷାକୁ ନେଇ କଂଗ୍ରେସ କରିଥିବା ପ୍ରଶ୍ନର ଉତ୍ତରରେ ରବି ଶଙ୍କର କହିଛନ୍ତି, ଭାରତର ଯେଉଁ ଜମି ଚୀନ୍ କବ୍‌ଜା କରିଛି, ତାହା କଂଗ୍ରେସ ସରକାର ବେଳେ ହୋଇଛି । ଆଜି ଗଲୱାନ୍ ଓ ଡୋକ୍‌ଲାମ୍‌ରେ ଭାରତ ନିଜ ଶକ୍ତି ଦେଖାଇଛି । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଭାରତ, ଯିଏ ୩୦୦ ଚୀନ୍ ଆପ୍‌କୁ ବନ୍ଦ କରିଛି । ସେହିପରି ଉରୀ ହେଉ କି ବାଲାକୋଟ୍‌, ଘରେ ପଶି ମାରିଛୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking