29.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶମହାରାଷ୍ଟ୍ରରେ ବିଜେପିର ‘ଅପରେସନ୍ ଲୋଟସ୍‌’: ଦୁଇ ଆୟୋଜକ, ଦୁଇ ମଧ୍ୟସ୍ଥ ମୁଖ୍ୟ ବିନ୍ଧାଣୀ

ମହାରାଷ୍ଟ୍ରରେ ବିଜେପିର ‘ଅପରେସନ୍ ଲୋଟସ୍‌’: ଦୁଇ ଆୟୋଜକ, ଦୁଇ ମଧ୍ୟସ୍ଥ ମୁଖ୍ୟ ବିନ୍ଧାଣୀ

ନୂଆଦିଲ୍ଲୀ : ଶିବସେନାର ବରିଷ୍ଠ ନେତା ଏକନାଥ୍ ସିନ୍ଧେ ଏବଂ ଅନ୍ୟ କେତେକ ବିଧାୟକ ପାର୍ଟି ବିରୋଧରେ ବିଦ୍ରୋହ କରିବା ପରେ ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି । ଶିବସେନା ନେତୃତ୍ୱରେ ରାଜ୍ୟରେ ଚାଲିଥିବା ‘ମହାବିକାଶ ଅଗାଡ଼ି’ ମେଣ୍ଟ ସରକାରର ପତନ ଆଶଙ୍କା ସୃଷ୍ଟି ହୋଇଛି । ସିନ୍ଧେଙ୍କ ନେତୃତ୍ୱରେ ଏହି ବିଦ୍ରୋହୀ ବିଧାୟକମାନେ ମଙ୍ଗଳବାର ସୁରଟର ଏକ ପଞ୍ଚତାରକା ହୋଟେଲ୍‌ରେ ଅବସ୍ଥାନ କରୁଥିବା ବେଳେ ବୁଧବାର ସକାଳୁ ଗୁଆହାଟୀ ଅଭିମୁଖେ ଯାତ୍ରା କରିଛନ୍ତି । ତାଙ୍କ ପଛରେ ୪୬ ବିଧାୟକଙ୍କ ସମର୍ଥନ ରହିଛି ବୋଲି ସିନ୍ଧେ ଦାବି କରିଛନ୍ତି । ରାଜ୍ୟରେ ଏମ୍‌ଏଲ୍‌ସି ନିର୍ବାଚନ ପରେ ଶିବସେନାର କେତେକ ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଏକ ରିପୋର୍ଟ ଅନୁସାରେ ମହାରାଷ୍ଟ୍ର ମହାବିକାଶ ଅଗାଡ଼ି ସରକାରର ପତନ ପାଇଁ ସିନ୍ଧେ ଏବଂ ଅନ୍ୟ ବିଧାୟକମାନେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି କଳ୍ପନା ଜଳ୍ପନା ମଧ୍ୟ ପ୍ରକାଶ ପାଇଛି ।

ଏହା ପଛରେ ବିଜେପିର ଭୂମିକା ଥିବା କେତେକ ରାଜନୈତିକ ବିଶ୍ଳେଷକ ଅନୁମାନ କରୁଛନ୍ତି । ମଧ୍ୟପ୍ରଦେଶରେ ବିଜେପି ଅପରେସନ୍ ଲୋଟସ୍ ଚଳାଇ କମଳନାଥ ସରକାରର ପତନ ଘଟାଇବା ପରି ମହାରାଷ୍ଟ୍ରରେ ମଧ୍ୟରେ ବିଜେପି ଅପରେସନ୍ ଚଳାଇ ଶିବସେନା ନେତୃତ୍ୱାଧୀନ ମହାବିକାଶ ଅଗାଡ଼ି ମେଣ୍ଟ ସରକାରର ପତନ ଘଟାଇବାକୁ ଯୋଜନା ଚଳାଇଥିବା କୁହାଯାଉଛି । ଏହି ରାଜନୈତିକ ନାଟକ ପଛରେ ଦୁଇଜଣ ଆୟୋଜକ (ହୋଷ୍ଟ୍‌) ଏବଂ ଦୁଇଜଣ ମଧ୍ୟସ୍ଥ (ନେଗୋସିଏଟର୍‌)ଙ୍କ ପ୍ରମୁଖ ଭୂମିକା ରହିଛି । ସେମାନେ ହେଲେ ଗୁଜରାଟ ବିଜେପି ମୁଖ୍ୟ ସିଆର୍ ପାଟିଲ୍‌, କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ବିଜେପି ସାଧାରଣ ସମ୍ପାଦକ ସିଟି ରବି ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱସର୍ମା । ସିଆର୍ ପାଟିଲ୍ ମୂଳତଃ ମହାରାଷ୍ଟ୍ର ଜଳଗାଓଁ ନିବାସୀ ହୋଇଥିବା ବେଳେ ଉଦ୍ଧବ ଠାକ୍‌ରେଙ୍କ ବିରୋଧରେ ସିନ୍ଧେ ଏବଂ ତାଙ୍କ ସମର୍ଥକଙ୍କ ବିଦ୍ରୋହ ପଛରେ ତାଙ୍କ ହାତ ଥିବା କୁହାଯାଉଛି ।

ବିଦ୍ରୋହୀ ବିଧାୟକମାନେ ସୁରଟରେ ପହଞ୍ଚିବା ପରେ ସେ ଆୟୋଜକ ପରି କାର୍ଯ୍ୟ କରିଥିଲେ ଏବଂ ନିଜର ସମସ୍ତ ପୂର୍ବ କାର୍ଯ୍ୟକ୍ରମ ବାତିଲ କରି ଅହମ୍ମଦାବାଦରୁ ସୁରଟ ଯାତ୍ରା କରିଥିଲେ । ସେଠାରେ ବିଦ୍ରୋହୀମାନେ ରହୁଥିବା ହୋଟେଲ ଲି ମେରିଡିଆନ୍‌ରେ ଏକ୍‌ନାଥ ସିନ୍ଧେଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ଏହା ବ୍ୟତୀତ ଗୁଜରାଟ ପୁଲିସ ଶିବସେନା ବିଧାୟକ ରହୁଥିବା ହୋଟେଲ୍‌ରେ ସୁରକ୍ଷାକୁ ବଢ଼ାଇ ଦେଇଥିଲା । ବୁଧବାର ବିଦ୍ରୋହୀ ସେନା ବିଧାୟକ ଗୋଷ୍ଠୀ ବିଜେପି ଶାସିତ ରାଜ୍ୟ ଆସାମର ରାଜାଧାନୀରେ ପହଞ୍ଚିବା ପରେ ଫୋକସ୍ ଗୁଆହାଟୀକୁ ସ୍ଥାନାନ୍ତର ହୋଇଥିଲା । ମହାରାଷ୍ଟ୍ର ରାଜନୀତିରେ ଦେଖାଦେଇଥିବା ସଙ୍କଟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱସର୍ମାଙ୍କ ଏଣ୍ଟ୍ରି ଘଟିଥିଲା । ମହାରାଷ୍ଟ୍ର ବିଧାୟକ ଏୟାର୍‌ପୋର୍ଟରେ ପହଞ୍ଚିବା ପୂର୍ବରୁ ବିଶ୍ୱସର୍ମା ଗୁଆହାଟୀର ରାଡିସନ୍ ବ୍ଲୁ ହୋଟେଲ୍ ପରିଦର୍ଶନରେ ଯାଇଥିଲେ । ସେହିପରି ଗୁଆହାଟୀ ଏୟାର୍‌ପୋର୍ଟରେ ଆସାମର ବିଜେପି ବିଧାୟକ ସୁଶାନ୍ତ ବୋରଗୋହେନ୍ ମହାରାଷ୍ଟ୍ର ବିଦ୍ରୋହୀ ବିଧାୟକମାନଙ୍କୁ ସ୍ୱାଗତ କରିଥିଲେ ।

ଅନ୍ୟପକ୍ଷରେ ସିନ୍ଧେ ଓ ଅନ୍ୟ ବିଦ୍ରୋହୀ ବିଧାୟକ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଏଥିପାଇଁ ବିଜେପି ପକ୍ଷରୁ ଉଦ୍ୟମ ମଧ୍ୟ ଆରମ୍ଭ ହୋଇଛି । ଏ ନେଇ ସିନ୍ଧେ ଓ ଅନ୍ୟ ବିଧାୟକଙ୍କ ସହ ଆଲୋଚନା ପାଇଁ ବିଜେପି ପକ୍ଷରୁ ଦୁଇଜଣ ମଧ୍ୟସ୍ଥ ବରିଷ୍ଠ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ ପାର୍ଟି ସାଧାରଣ ସମ୍ପାଦକ ସିଟି ରବିଙ୍କୁ ଦାୟିତ୍ୱ ଦିଆଯାଇଛି । ବିଭିନ୍ନ ରାଜ୍ୟର ବିଧାସଭା ନିର୍ବାଚନଠାରୁ ପାର୍ଟିର ସାଂଗଠନିକ ପ୍ରସଙ୍ଗ ପରି ବିଭିନ୍ନ ସମସ୍ୟା ଏବଂ ଆହ୍ୱାନକୁ ମୁକାବିଲା କରିବାରେ ସିଦ୍ଧହସ୍ତ ଶ୍ରୀ ଯାଦବଙ୍କୁ ବିଜେପିର ଜଣେ ଗୁରୁତ୍ୱପୂର୍ଣ୍ଣ ନେତା ଭାବେ ଗଣାଯାଇଥାଏ । ମଧ୍ୟସ୍ଥତା କ୍ଷେତ୍ରରେ ତାଙ୍କର ବିପୁଳ ଅଭିଜ୍ଞତା ଥିବାବେଳେ ଏହି ମାମଲାରେ ତାଙ୍କୁ ମଧ୍ୟସ୍ଥ ଭାବେ ପାର୍ଟି ଦାୟିତ୍ୱ ଦେଇଛି । ସେହିପରି ମହାରାଷ୍ଟ୍ର, ତାମିଲନାଡ଼ୁ ଏବଂ ଗୋଆରେ ବିଜେପି ପ୍ରଭାରୀ ଥିବା ସାଧାରଣ ସମ୍ପାଦକ ସିଟି ରବିଙ୍କୁ ମଧ୍ୟ ବିଦ୍ରୋହୀ ସେନା ବିଧାୟକଙ୍କୁ ପାର୍ଟିରେ ମିଶାଇବା ଦାୟିତ୍ୱ ପ୍ରଦାନ କରାଯାଇଛି । ସେମାନେ ସିନ୍ଧେ ଏବଂ ଅନ୍ୟ ବିଧାୟକଙ୍କ ସମ୍ପର୍କରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking