ନୂଆଦିଲ୍ଲୀ: ମେଘାଳୟ ବିଧାନସଭାର ସମସ୍ତ ଆସନରେ ବିଜେପି ନିର୍ବାଚନ ଲଢିବ । ଦଳ ପକ୍ଷରୁ ଆଜି (ଗୁରୁବାର) ସମସ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ କୋନରାଡ କେ ସାଙ୍ଗମାଙ୍କ ବିପକ୍ଷରେ ବିଜେପି ଏହାର ରାଜ୍ୟ ଉପାଧ୍ୟକ୍ଷ ତଥା ପୂର୍ବ ଉଗ୍ରବାଦୀ ନେତା ବର୍ନାର୍ଡ ଏନ ମାରାକଙ୍କୁ ମୈଦାନକୁ ଓହ୍ଲାଇଛି । ବର୍ନାର୍ଡଙ୍କୁ ଦକ୍ଷିଣ ତୁରା ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସାଙ୍ଗମାଙ୍କ ବିରୋଧରେ ପ୍ରାର୍ଥୀ ଘୋଷିତ କରାଯାଇଛି । ୨୦୨୧ ମସିହାରେ, ତାଙ୍କ ଉପରେ ମେଘାଳୟର ତୁରାସ୍ଥିତ ନିଜ ଫାର୍ମହାଉସରେ ଏକ ବେଶ୍ୟାଳୟ ଚଳାଇଥିବାର ଅଭିଯୋଗ ହୋଇଥିଲା ଏବଂ ଏହି କାରଣରୁ ତାଙ୍କୁ ଗିରଫ କରାଯାଇଥିଲା ।
ତାଙ୍କୁ ଗିରଫ କରିବା ପାଇଁ ପୋଲିସ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲା । ତାଙ୍କୁ ଉତ୍ତରପ୍ରଦେଶରୁ ପୋଲିସ ଗିରଫ କରିଥିଲା । ତେବେ ମେଘାଳୟ ବିଧାନସଭାର ସମସ୍ତ ୬୦ଟି ଆସନରେ ବିଜେପି ନିଜର ପ୍ରାର୍ଥୀ ଦେବାକୁ ଯାଉଛି । ବିଜେପି ମୁଖପାତ୍ର ଏମ.ଏଚ ଖାରକାଙ୍ଗ କହିଛନ୍ତି ଯେ ଗତ ମାସରେ ଦଳ କୋନରାଡ ସାଙ୍ଗମାଙ୍କ ନେତୃତ୍ୱରେ ଶାସକ ମେଘାଳୟ ଡେମୋକ୍ରାଟିକ୍ ଆଲାଇନ୍ସରୁ ଦୂରେଇ ଯାଇ ରାଜ୍ୟ ବିଧାନସଭା ନିର୍ବାଚନରେ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଥିଲା ।